ଝାରସୁଗୁଡ଼ା : ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ.. -ହାଇ-ଲେଭଲ୍ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଜମି ବ୍ୟବହାରକୁ ମଞ୍ଜୁରୀ
ଝାରସୁଗୁଡ଼ା ଓ କିର୍ମିରାର ମୋଟ ୧୭ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ଅନୁମୋଦିତ
ଝାରସୁଗୁଡ଼ା କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି l ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜଙ୍ଗଲ ଜମି ଅଧିକାର ସମ୍ପର୍କିତ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା l ବୈଠକରେ ବିକାଶମୂଳକ ଭିତ୍ତିଭୂମିକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଦୁମୁହାଁ ଯୋଡ଼ ନାଳ ଉପରେ ଏକ ହାଇ-ଲେଭଲ୍ ସେତୁ ନିର୍ମାଣ ନିମନ୍ତେ ୦.୧୮୨ ହେକ୍ଟର ଜଙ୍ଗଲ ଜମି ଅଣ-ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପ୍ରସ୍ତାବକୁ କମିଟି ଦ୍ୱାରା ଅନୁମୋଦନ କରାଯାଇଛି l ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଜଙ୍ଗଲ ଜମି ଅଧିକାର ପ୍ରଦାନ ଉଦ୍ଦେଶ୍ୟରେ ଝାରସୁଗୁଡ଼ାର ୫ଟି ଏବଂ କିର୍ମିରା ବ୍ଲକର ୧୨ଟି—ସର୍ବମୋଟ ୧୭ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟାକୁ ବିଧିବଦ୍ଧ ଭାବେ ମଞ୍ଜୁରୀ ଦିଆଯାଇଛି l ଏହି ବୈଠକରେ ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ମନୁ ଅଶୋକ ଭଟ୍ଟ, କିର୍ମିରା ଜିଲ୍ଲା ପରିଷଦ ସଦସ୍ୟା ରୀତା ବାଘ, ଝାରସୁଗୁଡ଼ା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଦିଗମ୍ବର ଭୋଇ ଉପସ୍ଥିତ ଥିଲେ l ଏଥିସହ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଦିଲ୍ଲୀପ ପ୍ରଧାନ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଏବଂ ଜିଲ୍ଲାର ସମସ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l











