ବୃକ୍ଷ ପ୍ରେମୀ ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ମର୍ଯ୍ୟାଦା ଜନକ “ନଗରବନ୍ଧୁ ସମ୍ମାନ” ପ୍ରଦାନ*
ଭୁବନେଶ୍ୱର :~(ଦର୍ଶନ ସମୀକ୍ଷା)
ଦୀର୍ଘ ୪୦ ବର୍ଷଧରି ଭୁବନେଶ୍ୱରରେ ରହି ଗୋସେବା, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ରକ୍ତଦାନ, ସ୍ୱାସ୍ଥ୍ୟ ସେବା ଓ ସଚେତନତା ଶିବିରମାନ ଆୟୋଜନ କରିଆସୁଥିବା ତଥା ଦୈବ ଦୁର୍ବିପାକ, ପୂଜା, ପର୍ବ ପର୍ବାଣୀ, ଯାତ୍ରା ଏଵଂ ମେଳା ମହୋତ୍ସବରେ ସେବା କରିଆସୁଥିବା ବରିଷ୍ଠ ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଚୟନ କରାଯାଇ ମର୍ଯ୍ୟାଦା ଜନକ ନଗର ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି। ରାଜଧାନୀ ଜୟଦେବ ଭବନର ଭରପୁର ପ୍ରେକ୍ଷାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମେୟର, ସୁଲୋଚନା ଦାସ, ଡେପୁଟି ମେୟର, ମଞ୍ଜୁଲତା କହଁର, ଏକାମ୍ର ବିଧାୟକ ବାବୁସିଂ, ମହାନଗର ନିଗମ ସାଂସ୍କୃତିକ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଏଵଂ କମିଶନର, ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ, ନଗର ଉନ୍ନୟନ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ମହାନ୍ତିଙ୍କୁ ପୁଷ୍ପ ଗୁଚ୍ଛ, ଉପାୟନ, ମାନପତ୍ର ଏଵଂ ସମ୍ମାନ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟଯେ କେନ୍ଦ୍ରାପଡା ଜିଲ୍ଲା ଗରାପୁର ଗ୍ରାମର ସ୍ବର୍ଗତଃ କାମପାଳ ମହାନ୍ତି ଏଵଂ ଶଶୀପ୍ରଭା ମହାନ୍ତିଙ୍କ ସୁପୁତ୍ର ମନୋରଞ୍ଜନ ମହାନ୍ତି ପିଲାଟି ଦିନରୁ ପିତା ମାତା ଏଵଂ ବଡ ବାପା ବଡ ବୋଉ ସ୍ୱାଧୀନତାସଂଗ୍ରାମୀ ସଚ୍ଚିଦାନନ୍ଦ ମହାନ୍ତି ଏଵଂ ପ୍ରଭାବତୀ ଦେବୀଙ୍କ ପ୍ରେରଣାରେ ସମାଜସେବାପ୍ରତି ଆଗ୍ରହ ପ୍ରକାଶ କରିବାସହ ବୃକ୍ଷରୋପଣ, ଓ ତାହାର ରକ୍ଷଣାବେକ୍ଷଣ, ସ୍ୱଚ୍ଛ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମ, ଦୁସ୍ଥ,ଦରିଦ୍ର ନାରାୟଣ ଏଵଂ ପଶୁ ପକ୍ଷୀ ମାନଙ୍କର ସେବାରେ ନିଜକୁ ନିୟୋଜିତ କରିଚାଲିଛନ୍ତି।
ନବେ ଦଶକରେ ଭୁବନେଶ୍ୱରରେ ପାଦଦେବାପରେ ନେହରୁ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଓ ମାନବବାଦୀ ମଣିଷ ବୈକୁଣ୍ଠନାଥ ମିଶ୍ରଙ୍କ ସଂସ୍ପର୍ଶରେ ଆସି ସବୁଜ ସୁନ୍ଦର ଭୁବନେଶ୍ୱର କାର୍ଯ୍ୟକ୍ରମ ଆରମ୍ଭ କରିବାସହ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ନିଶା ନିବାରଣ,ମହିଳା ଓ ଶିଶୁ ପ୍ରତିଭା ଓ ନୈତିକତା ବିକାଶ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ରଖିଛନ୍ତି। ରାଜ୍ୟ ରେଡ଼କ୍ରସ, ନେହରୁ ଯୁବ ପ୍ରତିଷ୍ଠାନ, ଭାରତ କୃଷକ ସମାଜ, ଭାରତ ବିକାଶ ପରିଷଦ, ପ୍ଲାଣ୍ଟ ଲଭର୍ସ ଆସୋସିଏସନ, କିଚେନ ଗାର୍ଡେନ ଆସୋସିଏସନ, ରୂଫ ଟଫ ଗାର୍ଡେନ ଆସୋସିଏସନ, ଉତ୍କଳସମ୍ମିଳନୀ, କେନ୍ଦ୍ରାପଡା ଜ଼ିଲ୍ଲା ବିକାଶ ପରିଷଦ ଏଵଂ ଓସେଡୋ ପ୍ରମୁଖ ଅନୁଷ୍ଠାନ ସହ ଜଡିତ ରହି ବନ୍ୟା,ମହାବାତ୍ୟା, ଘୁର୍ଣ୍ଣି ଝଡ, ହସ୍ତୀସୂଣ୍ଢ ପଡିବା, ମରୁଡି, ଅଗ୍ନ୍ୟୁତ୍ପାତ, ଭୂମିକମ୍ପ, ସୁନାମି, ମେଘ ଫାଟିବା,ରାସ୍ତା ଦୁର୍ଘଟଣା ଜନିତ ଦୈବ୍ୟ ଦୁର୍ବିପାକ ସମୟରେ ରିଲିଫ, ଉଦ୍ଧାର ଏଵଂ ସହାୟତାର ହାତ ବଢ଼ାଇବା ସହ କେତେକ ଧର୍ମାନୁଷ୍ଠାନ ଯଥା ଏକାମ୍ର ସତ୍ୟ ସେବାଶ୍ରମ, ଜଗନ୍ନାଥ ସଂସ୍କୃତି ପରିଷଦ, ଶିବାନନ୍ଦ ଆଶ୍ରମ, ଭାରତ ସେବାଶ୍ରମ ସଙ୍ଘ, ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱାବିଦ୍ୟାଳୟ, ପ୍ରମୁଖ ଅନୁଷ୍ଠାନର ଆଶୀର୍ବାଦରେ ସମାଜରେ ନୈତିକ ଏଵଂ ଆଧ୍ୟାତ୍ମିକ ଭାବଧାରାର ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଅଛନ୍ତି।
ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନ ମିଳିବାପରେ ବହୁ ସାମାଜିକ ଅନୁଷ୍ଠାନ, ଧର୍ମାନୁଷ୍ଠାନ, ସାମାଜିକ କର୍ମୀ,ସ୍ବେଚ୍ଛାସେବୀ, ସମାଜସେବୀ ଏଵଂ ବରିଷ୍ଠ ନାଗରୀକମାନେ ଆନନ୍ଦ ପ୍ରକାଶ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବାର ଖବର ଆମର ହସ୍ତଗତ ହୋଇଛି।
ଏହି ସମ୍ମାନ ପାଇବା ପରେ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ
ଏହା ତାଙ୍କୁ ଅଧିକରୁ ଅଧିକ ସମାଜସେବା କରିବାରେ ଉତ୍ସାହ ପ୍ରଦାନ କରିବା ସହ ଅନ୍ୟ ସମାଜସେବୀ ଓ ଯୁବ ପିଢିଙ୍କୁ ସବୁଜ ସୁନ୍ଦର ଭୁବନେଶ୍ୱର ଗଠନରେ ପ୍ରେରଣା ଯୋଗାଇ ଏହାକୁ ପୃଥିବୀର ୧ନମ୍ବର ସହରରେ ପରିଣତ କରିବାରେ ସହାୟକ ହେବ ନିଶ୍ଚୟ।
ଏତଦଭିନ୍ନ ଶ୍ରୀ ମହାନ୍ତି ୧୯୯୯ ମହାବାତ୍ୟାସମୟରେ ଦୀର୍ଘ ୨ମାସକଳ ରାଜ୍ୟ ସରକାରଙ୍କ ରିଲିଫ ସଂଯୋଜକ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୦୧ ମସିହାରେ ଗୁଜୁରାଟ ଭୂମିକମ୍ପ ସମୟରେ ଓଡି଼ମେଏମର ଏକ ୨୧ ଜଣିଆ ଦଳର ନେତୃତ୍ୱ ନେଇ କଛ, ଭୁଜ ଏଵଂ ପାକିସ୍ଥାନ ସୀମାନ୍ତବର୍ତ୍ତୀ ଅଂଚଳରେ ଉଦ୍ଧାର ଏଵଂ ସହାୟତା ସେବା ପ୍ରଦାନକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଫନି, ହୁଡୁହୁଡୁ, ତିତିଲି, ଫାଇଲିନ ଭଳି ବାତ୍ୟା ସମୟରେ ଉଦ୍ଧାର ଏଵଂ ରିଲିଫ ସହାୟତା ବ୍ୟତୀତ ଥଣ୍ଡା ପାନୀୟ ଜଳ ବଣ୍ଟନ ଏଵଂ ବାତ୍ୟା ପରବର୍ତ୍ତି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟତା କରିଛନ୍ତି।
ବିଶେଷଭାବେ କୋଭିଡ – ୧୯ ମହାମାରୀ ସମୟରେ ଭୁବନେଶ୍ୱରରେ ପ୍ରାୟ ୨୦୦୦ ପାରିବାରଙ୍କୁ ୨ ମାସଧରି ରନ୍ଧା ଖାଦ୍ୟ ଏଵଂ ରାସନ ଯୋଗାଇଥିବାବେଳେ ପରେ ପରେ କୋଭିଡ ପ୍ରତିରୋଧଜ ହୋମିଓପାଥି ଔଷଧ ବଣ୍ଟନ କରି ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରିଥିଲେ। ସେଥିପାଇଁ ବହୁ ଅନୁଷ୍ଠାନ ତାଙ୍କୁ କୋଭିଡ ଯୋଦ୍ଧା ସହ ସମାଜସେବୀ ସମ୍ମାନରେ ସମ୍ମାନିତ କରିଥିଲେ।
Leave a Reply