Spread the love

କୋଣାର୍କ ନାଟ୍ୟ ମଣ୍ଡପରେ ଜମିଲା ଝୁଲଣ ଉତ୍ସବ; ଓଡ଼ିଆ ପାରମ୍ପରିକ କଳାରେ ମତୁଆଲା ଦର୍ଶକ

ନିମାପଡ଼ା, ୨୭/୦୮: ଦର୍ଶନ ସମୀକ୍ଷା

କୋଣାର୍କ ନାଟ୍ୟ ମଣ୍ଡପ ଆନୁକୂଲ୍ୟରେ ଆୟୋଜିତ ପାଞ୍ଚଦିନିଆ ଝୁଲଣ ଉତ୍ସବରେ ଓଡ଼ିଆ ପାରମ୍ପରିକ କଳା, ସଂସ୍କୃତି ଓ ନୃତ୍ୟର ଭବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ଗତ ସୋମବାର ଏହି ଉତ୍ସବର ଶୁଭାରମ୍ଭ ହୋଇଥିବା ବେଳେ ତୃତୀୟ ଦିନର କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିଣିଥିଲା। ତୃତୀୟ ଦିନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ସୂଚିସ୍ମିତା ମନ୍ତ୍ରୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନିମାପଡ଼ା ପ୍ରେସ୍ କ୍ଲବ୍‌ର ସଭାପତି ଅକ୍ଷୟ ବେହେରା ଏବଂ ଜି ଅନ୍ ଏଜର ପ୍ରତିଷ୍ଠାତା ପ୍ରଦୀପ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁ ଶ୍ରୀ ପ୍ରକାଶ କୁମାର ମହାପାତ୍ରଙ୍କ ସିତାର ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ତବଲାରେ ଗୁରୁ ଶ୍ରୀ ବିଶ୍ୱରଞ୍ଜନ ନନ୍ଦ ସହଯୋଗ କରିଥିବା ବେଳେ ତାନପୁରୀରେ ଜାନଭି ଶୁହାସିନୀ ସହଯୋଗ କରିଥିଲେ। ଏହାପରେ ମୁମ୍ବାଇର ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ତ୍ରିଏ ନରସିଂହ ରାଣାଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ତାଙ୍କର ଚିତ୍ତାକର୍ଷକ ନୃତ୍ୟ ପରିବେଷଣକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଅକ୍ଷୟ ବେହେରା ଓଡ଼ିଶୀ ନୃତ୍ୟଗୁରୁ ତ୍ରିଏ ନରସିଂହ ରାଣାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନିରଞ୍ଜନ ପଳତା ଏବଂ ଶ୍ରେୟା ମିଶ୍ର ସୁଚାରୁରୂପେ ପରିଚାଳନା କରିଥିଲେ। ଝୁଲଣ ଉତ୍ସବରେ ଓଡ଼ିଆ କଳା ଓ ସଂସ୍କୃତିର ଏଭଳି ଭବ୍ୟ ପ୍ରଦର୍ଶନ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।