ଗଜପତି ପୋଲିସଖାଇ ହାଇଦ୍ରାବାଦକୁ ଚାଲାଣ କରାଯାଇଥିବା 5 ନାବାଳିକା ଉଦ୍ଧାର, ଦଲାଲ ଗିରଫ ପାରଳାଖେମୁଣ୍ଡି, 27/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରୁ 5 ଜଣ ନାବାଳିକାଙ୍କୁ ଚାକ ଦେଖାଇ ଚାଲାଣ ଅଭିଯୋଗ ଘଟଣାରେ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ତେଲେଙ୍ଗାନାର ହାଇଦ୍ରାବାଦରୁ 5 ଜଣ ନାବାଳିକାଙ୍କୁ ଅଡ଼ବା ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦଲାଲ ରାଜକୁମାର ବାସ୍ତ୍ରେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.

ଘଟଣାରୁ ପ୍ରକାଶ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାବର୍ଷୀ ଅଞ୍ଚଳର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଆଦିବାସୀ ପରିବାରର ନାବାଳିକାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଦ୍ଧାର ନାବାଳିକାଙ୍କ ମଧ୍ୟରେ କନ୍ଧ ଓ ସଉରା ସମ୍ପ୍ରଦାୟର ଝିଅ ଥିବା ଜଣାପଡ଼ିଛି। ଏନେଇ ଅଡ଼ବା ଅଞ୍ଚଳର ଜଣେ ମହିଳା ସରପଞ୍ଚଙ୍କ ଅଭିଯୋଗ କ୍ରମେ ଅଡ଼ବା ଥାନାରେ ଚଳିତମାସ ୧୭ ତାରିଖରେ କେସ୍ ନଂ. ୧୮୦/୨୦୨୬ରେ ଏକ ମକଦ୍ଦମା ରୁଜୁ ହୋଇଥିଲା। ଆର୍. ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ସମୟରେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ମିଳିବା ପରେ ଗଜପତି ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ହାଇଦ୍ରାବାଦ ପଠାଯାଇଥିଲା | ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଓ ଯାଞ୍ଚ କରିବା ପରେ ୫ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରରାଯାଇଥିଲା.
ଗଜପତି : ଜଙ୍ଗଲ ମଧ୍ୟରୁ 1 କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, 27/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରୁ ୯ କ୍ରିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି. ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରୁ ବେଆଇନ ଗଞ୍ଜେଇ କାରବାରକୁ ସମ୍ପୂର୍ଣ ଭାବେ ନିର୍ମୁଳ କରିବା ପାଇଁ ନିର୍ଦେଶକ୍ରମେ ଆର. ଉଦୟଗିରି ଥାନ ଆଇଆଇସି କଳ୍ପଲତା ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍ ଛେଳିଗଡ଼, ମହେନ୍ଦ୍ରଗଡ଼, ସିଆଳିଲଟି, କଣକଟା ଓ ପୁରୁଣାପାଣି ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଓ
ୱାରେଣ୍ଟ ଧରପଗଡ଼ରେ ନିୟୋଜିତ ଥିଲେ। ଏହି ସମୟରେ କାଦମୁଳି ଗ୍ରାମ ପଛପଟ ପାହାଡ଼ିଆ ଜଙ୍ଗଲରେ ରାଜ୍ୟ ବାହାରକୁ ଚୋରାଚାଲାଣ ଉଦ୍ଦେଶ୍ୟରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ସୂଚନା ପାଇଥିଲେ। ଆର. ଉଦୟଗିରି ପୋଲିସର ଏକ ଟିମ ପହଞ୍ଚି ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରୁ ୩୦ ଗୋଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ୍ ମିଳିଥିଲା। ଏନେଇ ଆର.ଉଦୟଗିରି ଥାନାରେ କେସ୍ ନମ୍ବର ୧୫୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଘଟଣା ନେଇ କାହାକୁ ଗିରଫ କରାଯାଇନାହିଁ. ପୋଲିସ ଚଢାଉକୁ ଆସୁଥିବା ଜାଣି ଗଞ୍ଜେଇ ମାଫିଆମାନେ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ସୂଚନା ମିଳିଛି. ପୋଲିସ ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛନ୍ତି.
ଗଜପତିର ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି, 27/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ, ପୁତ୍ର ଦ୍ଵୟ ଅମିତ ଓ ମନୋଜ ତଥା କନ୍ୟା ସୁନୀତା ଏବଂ ଅନ୍ୟାନ୍ୟ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ.

ତାଙ୍କର ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ପାରଳାର ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ ଉପସଭାପତି କେ. ନାରାୟଣ ରାଓ, ବିଭିନ୍ନ ରାଜନୈତିକ ଦଳର ବହୁ ନେତା, ପାରଳା ସହରର ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଗଜପତି ଜିଲ୍ଲା ସ୍ତରୀୟ ସାମ୍ୱାଦିକ ଗରୁଡଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା,ଦ୍ବିଜେନ ପାଢ଼ୀ, ଭାଗବତ ପାଢୀ , ବାସୁଦେବ ଦାସ , ବିବେକାନନ୍ଦ ବେହେରା ଗଣେଶ କୁମାର ରାଜୁ, ଆଦର୍ଶ ଦାସ, ହରିହର ପଟ୍ଟନାୟକ, ରୁପେଶ କୁମାର ସାହୁ , ଟି. ଶେଖର , ରାଜେନ୍ଦ୍ର ରଥ, ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟଯୋଶୀ , ଅଲିନ୍ , ଗିରିଧାରୀ ପରିଚ୍ଛା , କୁନା ପଟ୍ଟନାୟକ, ସୁଜିତ ବିଶୋୟୀ , ରଶ୍ମୀରଂଜନ ମିଶ୍ର , ସନ୍ତୋଷ ପଟ୍ଟନାୟକ ତଥା ଅନ୍ୟାନ୍ୟ ସାମ୍ୱାଦିକ ଏବଂ ସମାଜସେବୀ ମନୋଜ ଦାଶ , ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିବା ସହ ଦିବଂଗତ ଆତ୍ମାଙ୍କ ପରିବାର ବୃନ୍ଦଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।
ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ ହରାଇବେ ଜମି ଓ ବାସଗୃହ
ପାରଳାଖେମୁଣ୍ଡି, 27/8(ତାରିଣୀ ପ୍ରସାଦ ପଣ୍ଡା):
ଆନ୍ଧ୍ରର ‘ନେରେଡି’ ପ୍ରକଳ୍ପ ପାଇଁ ଗଜପତିର 2 ହଜାର ଚାଷୀ 106 ରୁ ଉର୍ଦ୍ଧ ଏକର ଚାଷ ଜମି ଓ ବାସଗୃହ ହରାଇବେ. ଏଥିନେଇ ଚାଷୀ ଓ ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସର୍ବସାଧାରଣରେ ଏହାକୁ ଦୃଢ ବିରୋଧ କରାଯାଉଛି. ଏନେଇ ସାଧାରଣଙ୍କ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିବା ସହ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ଯୁଗ୍ମ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ସେପଟେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖବର ପ୍ରଚାର ହେବା କ୍ଷଣି ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୫ଟି ଗାଁର ୨୦୦୦ ପରିବାର ବାସଗୃହ ଓ ଚାଷଜମି ହରାଇବା ନିଶ୍ଚିତ ହୋଇପଡିଛି | ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରାଯାଇ ନଥିବା ଅଭିଯୋଗ ହୋଇଛି. ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରସ୍ତାବିତ ବ୍ୟାରେଜ୍ର ଉଚ୍ଚତା ପ୍ରାୟ ୧୮ ଫୁଟ ହେବ ନଦୀଠାରୁ ପ୍ରାୟ ୧୦ ଫୁଟ ତଳେ କିଛି ଗାଁ ରହିଥିବାରୁ ବ୍ୟାରେଜ୍ ନିର୍ମାଣ ପରେ ଜଳସ୍ତର ବୃଦ୍ଧି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଶହ ଶହ ଏକରଚାଷଜମି ଜଳମଗ୍ନ ହେବା ସହ ବଂଶଧାରା ଉପରେ ନିର୍ଭରଶୀଳ ଉଠାଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବ ସେହିପରି ଏହି ବ୍ୟାରେଜ୍ର ସୁଫଳ କେବଳ ଆନ୍ଧ୍ର ଚାଷୀ ପାଇବେ। ‘ଓଡ଼ିଶା ଚାଷୀ ଜମି ହରାଇବେ, ଆନ୍ଧ୍ର ଚାଷୀ ସୁନାର ଫସଲ ଉତ୍ପାଦନ କରିବେ. ଏହାର ଦୃଢ଼ ପ୍ରତିବାଦ କରି ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ସମିତିସଭ୍ୟ ଜଗନ୍ନାଥ ଦୋରା, ବଂଶଧାରା ସୁରକ୍ଷା ମଞ୍ଚର ସଭାପତି ବ୍ରଜମୋହନ ନାୟକ ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।











