ଦୃଷ୍ଟି ଦେଉନି ପ୍ରଶାସନ,ପଲିଥିନ ତଳେ ବିତୁଛି ଶ୍ରବଣଙ୍କ ପରିବାର
ନିଆଳି:୧୮/୯(ଦର୍ଶନ ସମୀକ୍ଷା)ଗରିବ ଓ ଅସହାୟ ଲୋକଙ୍କ ପାଇଁ ରହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା ।ହେଲେ ବାସ୍ତବରେ ଏହା ଗ୍ରାମାଞ୍ଚଳର ଅସହାୟ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।ସରକାରଙ୍କ ଆବାସ ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସାତସପନ ପାଲଟିଛି। ଭଙ୍ଗା ଦଦରା ଘରେ ରହୁଥିବା ବେଳେ ମୁଣ୍ଡ ଉପରେ ରହିଛି ଏକ ପତଳା ପଲିଥିନ। କାଳ ବୈଶାଖୀ ଜନିତ ବର୍ଷା,ପବନ ଓ କୁଆ ପଥର ମାଡରେ ପଲିଥିନ ନଷ୍ଟ ହେବା ସହିତ ଘର ଭାଙ୍ଗି ଯାଇ ଜୀବନ ଯିବାର ଭୟ ମଧ୍ୟ ରହିଛି। ଏହି ପରି ଭାବରେ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହୋଇଛି ଶ୍ରବଣଙ୍କ ପରିବାର। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଏରଞ୍ଚ ପଞ୍ଚାୟତ ଖରିବିଲି ଗ୍ରାମ ୧୧ ନମ୍ବର ୱାଡରେ।ଘର କହିଲେ ଶ୍ରବଣଙ୍କ ବେକରେ ପାଞ୍ଚଜଣ ବନ୍ଧା। ଚାରି ଝିଅ ଏବଂ ଶ୍ରବଣଙ୍କ ପତ୍ନୀ ପ୍ରଭାତୀ ସେନାପତି। ଶ୍ରବଣ ଜଣେ ଦିନ ମଜୁରୀଆ,ଯାହା ଦିନକୁ ରୋଜଗାର କରନ୍ତି ଛଅ ଜଣଙ୍କ ପେଟରେ ଦାନା ଗଣ୍ଡାକ ପଡେ। ଶ୍ରବଣଙ୍କର ଚାରି ଝିଅ ମଧ୍ୟରୁ ବଡ ଝିଅର ଯୁକ୍ତ ତିନି ପାଠ ସରିଥିବା ବେଳେ ଆଉ ତିନି ଝିଅ ଯୁକ୍ତ ତିନି, ଦଶମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି। ଶ୍ରବଣଙ୍କର ଗୋଟିଏ ବୋଲି ନୁଆଁଣିଆ ଚାଳ ଛପର ମାଟିର କୁଢ଼ିଆ, ଲଗାଣ ବର୍ଷାରେ ଭିଜି ଥିବା କାନ୍ଥ ଅନେକ ଜାଗାରେ ଫାଟି ଆଁ କରିଛି। ବର୍ଷା ହେଲେ ଶୋଇବା ତ ଦୂରର କଥା ଚାଳ କୁଢିଆରେ ଗଳୁଛି ପାଣି। ସ୍ଵଳ୍ପ ରୋଜଗାରରେ ଘରେ ତିନି ଝିଅଙ୍କ ପାଠପଢା ଖର୍ଚ୍ଚ ସାଙ୍ଗକୁ ଘରର ଆସବା ପତ୍ର ଖର୍ଚ୍ଚ ସତେ ଯେମିତି ଦୁଃଖର ପାହାଡ ନଦୀ ହୋଇପଡିଛି ବାପା ଶ୍ରବଣଙ୍କ ଉପରେ। ଏମାନଙ୍କ ଘର ଆପଣ ଦେଖିଲେ କିଭଳି ଦୁର୍ଦ୍ଦଶାରେ ସେମାନେ ଦିନ କାଟୁଥିବେ ତାହା ସହଜେ ଅନୁମାନ କରିପାରିବେ। ସାଧାରଣତଃ ଗୃହପାଳିତ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଘର ମଧ୍ୟ ଉନ୍ନତ ଧରଣର ହୋଇଥାଏ। ସାମାନ୍ୟ ବର୍ଷା ହେଲେ ଘର ଭିତରେ ପାଣି ପଶିଯାଏ। ସନ୍ତସନ୍ତିଆ ଓ ଅପରିତ୍ୟକ୍ତ ପରିବେଶରେ ଦୀର୍ଘ ବର୍ଷ ହେବ ଶ୍ରବଣଙ୍କ ପରିବାର ରହିଆସିଛନ୍ତି। ଘରର ଅବସ୍ଥା ଯେଉଁ ଭଳିଆ ଅଛି ଦିନରେ ମଧ୍ୟ ସାପ, ବିଛା ଆଦି ବିଷାକ୍ତ ଜୀବଜନ୍ତୁ ମଧ୍ୟ ପଶିଯିବାର ଭୟ ରହିଛି ।ଆଉ ରାତି କଥା ନକହିବା ଭଲ। ତେବେ ଏଭଳି ଗରିବ ଅସହାୟ ଖଟିଖିଆ ହିତାଧିକାରୀଙ୍କୁ ଏ ଯାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭଲ ଘର ଟିଏ ମିଳିପାରିଲା ନାହିଁ। ଶ୍ରବଣ କୁମାର ରାସନ୍ କାର୍ଡ ପାଇଛନ୍ତି କିନ୍ତୁ ଘର ଟିଏ ପାଇଁ ସତେ ଯେମିତି ପ୍ରଶାସନିକ ଅଧିକାରୀ ଏ ଦିଗରେ ଆଖି ବୁଜି ଦେଇଛନ୍ତି। ସ୍ବାଧୀନତାର ଦୀର୍ଘ ୭୯ ବର୍ଷ ବିତିଯାଇ ଦେଶ,ରାଜ୍ୟ,ସହର ଏବଂ ଗ୍ରାମାଞ୍ଚଳ ଉନ୍ନତି ପଥରେ ଆଗେଇ ଚାଲିଛି। ହେଲେ ଏବେବି ଏଭଳି କିଛି ଗାଁ ରହିଛି ଯେଉଁ ଗାଁ ଗୁଡିକରେ ଲୋକେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି।ହେଲେ ଦୁଃଖର କଥା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ମଧ୍ୟ ପଡ଼ିପାରୁ ନାହିଁ ଏପରି ଲୋକଙ୍କ ଉପରେ। ଏ ସମ୍ପର୍କରେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏ ନେଇ ଶ୍ରବଣଙ୍କ ପରିବାର ନିରାଶ ହୋଇ ଭଙ୍ଗା ଦଦରା ଘର ଭିତରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।ତେବେ ଯଥାଶୀଘ୍ର ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Leave a Reply