ୱେବ ସାଇଟ ଯୁଗ ଆରମ୍ବ //ପୁଣି ବିବାଦରେ ପିନାକୀ ମିଶ୍ର, ଇଡି ତଦନ୍ତ ଆରମ୍ଭ: ଓପିଇଣ୍ଡିଆ ରିପୋର୍ଟ
ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପିନାକୀ ମିଶ୍ରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି । ଓଡ଼ିଶାରେ ଥିବା ବିଦ୍ୟା ଜ୍ୟୋତି ଟ୍ରଷ୍ଟରେ ଆର୍ଥିକ ଦୁର୍ନୀତି, ମନି ଲଣ୍ଡ୍ରିଂ ଏବଂ ସଂସଦରେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ପ୍ରଶ୍ନ ପଚାରି ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ଅଭିଯୋଗରେ ପିନାକୀ ମିଶ୍ର ପୁଣିଥରେ ବିବାଦଘେରକୁ ଆସିଛନ୍ତି ବୋଲି ଜାତୀୟସ୍ତରର ନ୍ୟୁଜ୍ ୱେବପୋର୍ଟାଲ ‘ଓପିଇଣ୍ଡିଆ ଡଟ୍ କମ୍’ରେ ପ୍ରକାଶିତ ହୋଇଛି । ପିନାକୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଏବେ ଗୃହ ମନ୍ତ୍ରଣାଳୟ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ରହିଥିବା ୱେବସାଇଟ୍ ଦାବି କରିଛି ।
ବିଦ୍ୟା ଜ୍ୟୋତି ଟ୍ରଷ୍ଟରେ ଆର୍ଥିକ ଅନିୟମିତତା
ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ପବ୍ଲିକ୍ ସ୍କୁଲ (ଡିପିଏସ) କଳିଙ୍ଗ ପରିଚାଳନା କରୁଥିବା ବିଦ୍ୟା ଜ୍ୟୋତି ଟ୍ରଷ୍ଟ ଆୟକର ଆଇନର ଧାରା ୧୨-ଏ ଅଧୀନରେ କର ଛାଡ଼ ସୁବିଧା ପାଇଛି । କିନ୍ତୁ, ଏହି ଟ୍ରଷ୍ଟ ଆର୍ଥିକ ଦୁର୍ନୀତି, ଅବୈଧ ଅର୍ଥର ସ୍ତରୀକରଣ (ଲେୟାରିଂ) ଏବଂ କଳା ଟଙ୍କା ଲଣ୍ଡ୍ରିଂ ପାଇଁ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି । ୨୦୦୧ରେ ମହିମାନନ୍ଦ ମିଶ୍ର ଏବଂ ମାଲା ମିଶ୍ରଙ୍କ ଦ୍ୱାରା ଗଠିତ ଏହି ଟ୍ରଷ୍ଟରେ ପିନାକୀ ମିଶ୍ର, ତାଙ୍କ ପୂର୍ବତନ ପତ୍ନୀ ସଙ୍ଗୀତା ମିଶ୍ର ଏବଂ ମହିମାନନ୍ଦଙ୍କ ପୁତ୍ର ଚର୍ଚିତ ଓ ଚନ୍ଦନ ମିଶ୍ର ଟ୍ରଷ୍ଟି ଭାବେ ରହିଛନ୍ତି । ଟ୍ରଷ୍ଟି ମାଲା ମିଶ୍ର ଏବଂ ସଙ୍ଗୀତା ମିଶ୍ରଙ୍କୁ “ପ୍ରଫେସନାଲ ଫି” ନାମରେ ସିଧାସଳଖ ଅର୍ଥ ପରିଶୋଧ କରାଯାଇଥିବା ଅଭିଯୋଗ ହୋଇଛି । ଏହି ପରିଶୋଧଗୁଡ଼ିକ ଆୟକର ଆଇନର ଧାରା ୧୩(୩)ର ଉଲ୍ଲଂଘନ ବୋଲି ଦାବି କରାଯାଇଛି, କାରଣ ଏହି ବ୍ୟକ୍ତିଙ୍କର ଏପରି ଫି ପାଇବା ପାଇଁ କୌଣସି ଯୋଗ୍ୟତା ନାହିଁ । ୨୦୧୫-୧୬ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ସ୍କୁଲର ବ୍ୟାଙ୍କ ଆକାଉଂଟରେ ପ୍ରତି ବର୍ଷ ୧ କୋଟିରୁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ନଗଦ ଜମା ହୋଇଛି । ବିଶେଷ କରି, ୨୦୧୬-୧୭ ଆର୍ଥିକ ବର୍ଷରେ, ଯେତେବେଳେ ସମଗ୍ର ଦେଶରେ ‘ନୋଟବନ୍ଦୀ’ ହୋଇଥିଲା, ପ୍ରାୟ ୮ କୋଟି ଟଙ୍କା ଜମା ହୋଇଥିଲା, ଯାହା ଅବୈଧ ଅର୍ଥକୁ ବୈଧ କରିବାର ଉଦ୍ଦେଶ୍ୟ ଥିବା ଅଭିଯୋଗ ହୋଇଛି ।
ସମ୍ପତ୍ତି କାରବାରରେ ଦୁର୍ନୀତି ଅଭିଯୋଗ
ଅଭିଯୋଗରେ ଦାବି କରାଯାଇଛି ଯେ, ପିନାକୀ ମିଶ୍ର ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଏବଂ କଳାକୃତି ଅବୈଧ ଉପାୟରେ ଅର୍ଜନ କରିଛନ୍ତି । ବିଶେଷକରି ୮୦ କୋଟି ଟଙ୍କା ମୂଲ୍ୟର କଳାକୃତିକୁ ମାତ୍ର ୬-୮ କୋଟି ଟଙ୍କାରେ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି । ଏହାସହିତ, ୨୦୨୦-୨୧ ଆର୍ଥିକ ବର୍ଷରେ ପିନାକୀ ଦିଲ୍ଲୀର ଜୋର ବାଗରେ ଥିବା ଏକ ସମ୍ପତ୍ତି ବଜାର ମୂଲ୍ୟଠାରୁ କମରେ ବିକ୍ରି କରି ହାୱାଲା ମାଧ୍ୟମରେ ଅର୍ଥ ପଠାଇ ତାଙ୍କ ପୁଅ ଧନରାଜ ମିଶ୍ରଙ୍କ ନାମରେ ଲଣ୍ଡନରେ ଏକ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଛି । ଏହି କାରବାର ଆୟକର ଆଇନର ଉଲ୍ଲଂଘନ ଏବଂ ଅବୈଧ ଅର୍ଥ ସ୍ଥାନାନ୍ତରଣର ଏକ ପ୍ରମାଣ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି ।
ସଂସଦରେ ସମ୍ବେଦନଶୀଳ ପ୍ରଶ୍ନ, ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ
ପିନାକୀ ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ, ସେ ସଂସଦରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମ୍ବେଦନଶୀଳ ପ୍ରଶ୍ନ କରିଛନ୍ତି । ଅଭିଯୋଗକାରୀ ଦାବି କରିଛନ୍ତି ଯେ, ପିନାକୀ ଭାରତର ପରମାଣୁ ସବମେରିନ, ମିସାଇଲ ସିଷ୍ଟମ ଏବଂ ପ୍ରତିରକ୍ଷା ଚୁକ୍ତି ସଂପର୍କରେ ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଏବଂ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ, ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦଜନକ ହୋଇପାରେ । ୨୦୧୭ ମାର୍ଚ୍ଚରେ ସଂସଦରେ ଏକ ପ୍ରଶ୍ନରେ ପିନାକୀ ପଚାରିଥିଲେ ଯେ, ଭାରତରେ ଭିଏତନାମୀ ଯୁଦ୍ଧ ବିମାନ ଚାଳକମାନଙ୍କୁ ସୁଖୋଇ-୩୦ ଏମକେଆଇ ବିମାନରେ ପ୍ରଶିକ୍ଷଣ ଦିଆଯିବ କି ନାହିଁ । ପ୍ରଶିକ୍ଷଣ ପାଇଥିବା ଚାଳକଙ୍କ ସଂଖ୍ୟା, ପ୍ରଶିକ୍ଷଣର ଅବଧି ଏବଂ ଭାରତୀୟ ଚାଳକମାନେ ବିଦେଶରେ ପ୍ରଶିକ୍ଷଣ ପାଇବେ କି ନାହିଁ ସେ ସଂପର୍କରେ ସେ ବିସ୍ତୃତ ତଥ୍ୟ ମାଗିଥିଲେ । ସେହିପରି ୨୦୧୮ ଫେବୃଆରୀରେ ପିନାକୀ ବୈଦେଶିକ ମନ୍ତ୍ରଣାଳୟକୁ ପଚାରିଥିଲେ ଯେ, ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ପରେ ଭାରତ ଉପରେ ଆମେରିକା ପ୍ୟୋଙ୍ଗୟାଙ୍ଗ ସହ ସଂପର୍କ ହ୍ରାସ କରିବାକୁ ଚାପ ପକାଉଛି କି ନାହିଁ । ଅଭିଯୋଗକାରୀ ଏହାକୁ “ରୁଷ ବିରୋଧୀ’ ମନୋଭାବ ବୋଲି ଦାବି କରିଛନ୍ତି, ଯାହା ଭାରତର ପ୍ରତିରକ୍ଷା ନୀତି ଓ ରୁଷ ସହ ସଂପକର୍କୁ ଦୁର୍ବଳ କରିପାରେ । ଏପରି ସମ୍ବେଦନଶୀଳ ତଥ୍ୟ ସାଧାରଣତଃ ସଂସଦରେ ଉଠାଯାଏ ନାହିଁ ଏବଂ ଏହା ଜାତୀୟ ସୁରକ୍ଷାକୁ ବିପନ୍ନ କରିବାର ଆଶଙ୍କା ରହିଛି ବୋଲି ଅଭିଯୋଗରେ ଦର୍ଶାଯାଇଥିବା ‘ଓପିଇଣ୍ଡିଆ’ର ଖବରରେ ଦର୍ଶାଯାଇଛି ।
ମହୁଆ ମୈତ୍ର ସହ ସମ୍ପର୍କ ଓ ଅଭିଯୋଗରେ ସମାନତା
ଅଭିଯୋଗକାରୀ ପିନାକୀ ମିଶ୍ରଙ୍କ ବର୍ତ୍ତମାନର ପତ୍ନୀ ତଥା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ସହ ସମାନତାକୁ ମଧ୍ୟ ଦର୍ଶାଇଛନ୍ତି । ମହୁଆ ମୈତ୍ର ମଧ୍ୟ ସଂସଦରେ ଗୌତମ ଅଦାନୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ଉଠାଇ ଜଣେ ବ୍ୟବସାୟୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଅଭିଯୁକ୍ତ ଅଛନ୍ତି ।
ତଦନ୍ତ ଆରମ୍ଭ
ଏହି ଅଭିଯୋଗଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ‘ଓପିଇଣ୍ଡିଆ’ ୱେବସାଇଟ୍ ତା’ର ରିପୋର୍ଟରେ ଦାବି କରିଛି ।
Leave a Reply