ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହୋଇଛି ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।୩୦ ଦିନ ଜେଲ୍‌ରେ ରହିଲେ ଯିବ ପଦ…ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

Spread the love

ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ, ୩୦ ଦିନ ଜେଲ୍‌ରେ ରହିଲେ ଯିବ ପଦ…

ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହୋଇଛି ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।

ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି କେନ୍ଦ୍ର ମନ୍ତ୍ରୀ ପରିଷଦର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଏପରି ଗମ୍ଭୀର ଅପରାଧରେ ଗିରଫ ହୁଅନ୍ତି, ଯାହାର ପରିଣାମ ସ୍ୱରୂପ ସର୍ବନିମ୍ନ ୫ ବର୍ଷ ଜେଲ୍ ହୋଇପାରେ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡିବ । ନହେଲେ ପଦରୁ ହଟାଇ ଦିଆଯିବ । ବିଶେଷ କଥା ହେଉଛି ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏପର୍ଯ୍ୟନ୍ତ ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବ୍ୟବସ୍ଥା ନଥିଲା । ତଥାପି ଏହି ବିଲ୍ ଆଜି ପାସ୍ ହେବ ନାହିଁ । ଏହାକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ।

ହେଲେ ଏହି ବିଲ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବିରୋଧୀ । ଏପରି କରି ସରକାର ଅଣ-ବିଜେପି ସରକାରଙ୍କ ପ୍ରତି ଦାଉ ସାଧିବେ ବୋଲି ଅଭିଯୋଗ କରି ଲୋକସଭା ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବିଲଟି ଲୋକସଭାରେ ଆଗତ ହେବା ପରେ ଉକ୍ତ ବିଲର କପିକୁ ଚିରିକି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଡକୁ ଫିଙ୍ଗିଛନ୍ତି ବିରୋଧୀ । ଫଳରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

Leave a Reply

Your email address will not be published. Required fields are marked *