୩ଟି ଲୁଟ୍ ଅଭିଯୋଗ ଘଟଣାରେ ରାଉରକେଲା ପୁଲିସ ଦ୍ବାରା ୨ ଗିରଫ୍,୨ଟି ସୁନା ଚେନ୍, ୨ଟି ମୋବାଇଲ୍ ଫୋନ୍, ଗୋଟିଏ ବଜାଜ୍ ମ୍ୟାକ୍ସିମା ଅଟୋ ଜବତ

Spread the love

୩ଟି ଲୁଟ୍ ଅଭିଯୋଗ ଘଟଣାରେ ରାଉରକେଲା ପୁଲିସ ଦ୍ବାରା ୨ ଗିରଫ୍

ରାଉରକେଲା ୧୮/୭,ଦର୍ଶନ ସମୀକ୍ଷା

ଲୁଟେରାଙ୍କ ଦ୍ବାରା ମହିଳାଙ୍କ ବେକରୁ ସୁନାଗହଣା ଛିନତାଇ କରିବା ଅଭିଯୋଗରେ ରାଉରକେଲା ଝିରପାଣି ଥାନା ପୋଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିଛି। ଦୁଇ ଅପରାଧିଙ୍କ ଠାରୁ ଜବତ କରାଯାଇଥିବା ପଦାର୍ଥ ମଧ୍ୟରେ ୨ଟି ସୁନା ଚେନ୍, ୨ଟି ମୋବାଇଲ୍ ଫୋନ୍, ଗୋଟିଏ ବଜାଜ୍ ମ୍ୟାକ୍ସିମା ଅଟୋ ଯାହାର ପଞ୍ଜିକରଣ ନମ୍ବର ଓଡି ୧୪ଏମ୍ ୫୯୩୮ ଏବଂ ଗୋଟିଏ ଟିଭିଏସ୍ ଆପାଚି ମୋଟର ସାଇକେଲ ଯାହାର ପଞ୍ଜିକରଣ ନମ୍ବର ବି. ଆର. ୦୨ବିଏନ୍ ୮୩୦୧।
ସୂଚନା ଅନୁସାରେ, ୨୦୨୫ ଜୁନ୍ ୨୯ ତାରିଖ ଦିନ ୧୨ଟା ୧୫ ସମୟରେ କୋଏଲ ନଗର ସି/୯୧ରେ ରହୁଥିବା ମନୋରମା ମଲ୍ଲିକ (୭୫) ସ୍ବାମୀ ସ୍ବର୍ଗତଃ ସର୍ବେଶ୍ଵର ମଲ୍ଲିକ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଯେ, ଗତ ୨୮.୦୬.୨୦୨୫ ରାତି ପ୍ରାୟ ୮.୩୦ ସମୟରେ ସେ ସି-ବ୍ଲକ୍ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରୁ ଫେରୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ପଛ ପାର୍ଶ୍ୱରୁ ଆସି ତାଙ୍କ ବେକରୁ ପ୍ରାୟ ୧୭ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେଇ କିଛି ଦୂରକୁ ପଳାଇ ଯାଇଥିଲେ। ସେ ଦେଖିବାକୁ ପାଇଥିଲେ ଯେ, ପୂର୍ବରୁ ଅପେକ୍ଷା କରିଥିବା ଲୁଟେରାଙ୍କ ସହଯୋଗୀ ଏକ ଷ୍ଟାର୍ଟିଂ ବାଇକ୍ ନେଇ ତାଙ୍କ ପାଇଁ ଅପେକ୍ଷା କରିଥିଲେ ଏବଂ ସେମାନେ ଖସି ପଳାଇଥିଲେ।
ଅନ୍ଯ ଏକ ଘଟଣାରେ, ଜଗଦା କ୍ବାର୍ଟର ନମ୍ବର ଜେଇ/୧୦୮ର ବିବିଆନା କାନ୍ଦିର ସ୍ବାମୀ – ୱିଲିୟମ୍ ସିନ୍ଦୁର ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଯେ ଗତ ତା ୦୨.୦୫.୨୦୨୫ରିଖ ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ସେ ଝିରପାଣି ଚର୍ଚ୍ଚରେ ପ୍ରାର୍ଥନା ସାରି ଫେରୁଥିବା ସମୟରେ, ଦୁଇ ଜଣ ଅଜଣା ବ୍ୟକ୍ତି ପଛ ପାର୍ଶ୍ୱରୁ ଏକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ପଳାଇଥିଲେ।
ତୃତୀୟ ଘଟଣାରେ, କୋଏଲ ନଗରର ଘର ନମ୍ବର ବି/୧୬୩ରେ ରହୁଥିବା ଆଶା ଲଥା ସ୍ବାମୀ – ପି ପ୍ରବୀଣ କୁମାର ୨୦୨୩ ଅକ୍ଟୋବର ୨୩ ତାରିଖରେ ଅଭିଯୋଗ କରିଥିଲେ ଯେ, ୨୩.୧୦.୨୦୨୪ ତାରିଖ ସକାଳ ୬ଟା ସମୟରେ ସେ ଶକ୍ତିନଗର ଷ୍ଟେଟ୍ ବ୍ୟାଙ୍କ ଆଡକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ପଛ ପାର୍ଶ୍ୱରୁ ଏକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ପ୍ରାୟ ୧୦ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେଇ ସେହି ବାଇକ୍‌ରେ ପଳାଇ ଯାଇଥିଲେ।
ଏହି ତିନୋଟି ଘଟଣାରେ ଝିରପାଣି ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ବିରମିତ୍ରପୁର ଥାନା ଅଧିନସ୍ଥ ଧାଙ୍ଗିରନୋଚା ଗ୍ରାମରେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ରାଜେଶ ସାହୁ ଓରଫ୍ ହାଣ୍ଡି (୩୩) ଏବଂ ବାସନ୍ତୀ କଲୋନୀ ମାଲଗୋଦାମ ଅଂଚଳର ଅକ୍ଷୟ ଓରଫ୍ ସତୀଶ କୁମାର ବର୍ମା ଓରଫ୍ ଏସ୍ କେ (୩୫)କୁ ଗିରଫ୍ କରି କରିବା ସହିତ ସେମାନଙ୍କ ନିକଟରୁ ୨ଟି ସୁନା ଚେନ୍, ୨ଟି ମୋବାଇଲ ଫୋନ୍, ଗୋଟିଏ ବଜାଜ୍ ମ୍ଯାକ୍ସିମା ଅଟୋ, ଗୋଟିଏ ଟିଭିଏସ୍ ଆପାଚି ମୋଟର ସାଇକେଲ ଜବତ୍ କରିଥିଲେ।
ତଦନ୍ତ ସମୟରେ ସମସ୍ତ ପାରମ୍ପରିକ ଏବଂ ବୈଷୟିକ ସୁରାକ ଯାଞ୍ଚ କରାଯାଇଥିଲା ଏବଂ ଅଭିଯୁକ୍ତ ରାଜେଶ ସାହୁ ଓରଫ୍ ହାଣ୍ଡିକୁ ଗିରଫ କରାଯାଇଥିଲା। ପୋଲିସ ହେପାଜତରେ ଥିବା ସମୟରେ ସେ ନିଜର ଦୋଷ ସ୍ୱୀକାର କରିଥିଲା ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ଯପକ୍ଷରେ ରିସିଭର ଅକ୍ଷୟ ଓରଫ୍ ଏସ୍ କେ ଓରଫ୍ ସତୀଶ କୁମାର ବର୍ମାଙ୍କୁ ପାଇବା ପରେ ତାଙ୍କ ଠାରୁ ସୁନା ଚେନ ଉଦ୍ଧାର କରଯାଇଥିଲା। ଅପରାଧ ସମୟରେ ପରିବହନ ଓ ଯୋଗାଯୋଗର ମାଧ୍ୟମ ସାଜି ବ୍ୟବହୃତ ହେଉଥିବା ଯାନବାହନ ଏବଂ ମୋବାଇଲ୍ ଫୋନକୁ ପୋଲିସ୍ ପକ୍ଷରୁ ଜବତ କରାଯାଇଥିଲା।
ପୋଲିସ୍ ପକ୍ଷରୁ ସୂଚନା ଅନୁସାରେ ଦୁଇ ଅପରାଧିଙ୍କ ବିରୁଦ୍ଧରେ ପୂର୍ବରୁ ରାଜେଶ ସାହୁ ଓରଫ୍ ହାଣ୍ଡି ବିରୁଦ୍ଧରେ ୧୬ଟି ମାମଲା ରହିଥିବା ବେଳେ ଅପରାଧି ସତୀଶ କୁମାର ବର୍ମା ଓରଫ୍ ଅକ୍ଷୟ ଓରଫ୍ ଏସ୍ କେ ନାମରେ ପୂର୍ବରୁ ୩ଟି ଲୁଟ୍ ମାମଲା ରହିଛି।
ଉଭୟ ଲୁଟେରାଙ୍କୁ ଝିରପାଣି ଥାନାର କେସ୍ ନମ୍ବର ୭୭/୨୦୨୫, ୬୭/୨୦୨୫ରେ ବିଏନ୍ଏସ୍ ୩୦୪(୨) ଏବଂ ୧୬୧/୨୦୨୪ ଧାରାରେ ମାମଲା ଏବଂ ବିଏନ୍ଏସ୍ ୩୦୯(୪) ଓ ୩(୫) ଧାରାରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *