ଝାରସୁଗୁଡ଼ା : ଘର ତିଆରି ହେଲେ ପୁଣି ଆସିବି” କହିଲେ ମାନ୍ୟବର ରାଜସ୍ବ ମନ୍ତ୍ରୀ; ବୃଦ୍ଧା ମା’ଙ୍କ ଦୁଆରେ ପହଞ୍ଚିଲା ‘ଲୋକଙ୍କର ସରକାର’, ଘର ଅଗଣାରେ ମିଳିଲା ଆବାସ କାର୍ଯ୍ୟାଦେଶ
ପ୍ରଶାସନିକ ତତ୍ପରତା ପରେ ପକ୍କା ଘର ତିଆରି ପାଇଁ କାର୍ଯ୍ୟାଦେଶ ପାଇଲେ ଗଣ୍ଡଘୋରାର ବୃଦ୍ଧା ରଙ୍ଗବତୀ ପାଣ୍ଡି
-ଅତିଶୀଘ୍ର ଘର ତିଆରି କାମ ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଝାରସୁଗୁଡା କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ବ୍ରଜରାଜନଗର ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ଶୁଣିବା, ସେମାନଙ୍କ ସଂଘର୍ଷକୁ ବୁଝିବା ଏବଂ ସମ୍ମାନ ଓ ସମ୍ବେଦନଶୀଳତାର ସହ ସେମାନଙ୍କ ଦୁଆରେ ସରକାରୀ ସେବା ପହଞ୍ଚାଇବା ହିଁ ପ୍ରକୃତ ଜନସେବା l ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଗଣ୍ଡଘୋରା ଠାରେ l ମାନ୍ୟବର ରାଜସ୍ବ ଓ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସିଧାସଳଖ ହିତାଧିକାରୀଙ୍କ ଘରେ ପହଞ୍ଚି ବୃଦ୍ଧା ମା’ ଶ୍ରୀମତୀ ରଙ୍ଗବତୀ ପାଣ୍ଡିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ତିଆରି ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି l କାର୍ଯ୍ୟାଦେଶ ପ୍ରଦାନ କରିବା ସହ “ଘର ତିଆରି ହେଲେ ପୁଣି ଆସିବି” ବୋଲି ମନ୍ତ୍ରୀ ବୃଦ୍ଧା ମା’ଙ୍କୁ ଆତ୍ମୀୟତାର ସହ ପ୍ରତିଶ୍ରୁତି ଦେଇଛନ୍ତି l ସୂଚନାଯୋଗ୍ୟ ଯେ, ଗଣ୍ଡଘୋରାର ବାସିନ୍ଦା ଶ୍ରୀମତୀ ରଙ୍ଗବତୀ ପାଣ୍ଡି ଦୀର୍ଘଦିନ ଧରି ଏକ ଭଙ୍ଗା ଓ ଜର୍ଜରିତ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ l ନିଜ ନାମରେ ଜମି ନଥିବାରୁ ସେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଥିଲେ l ତେବେ ନିକଟରେ ତାଙ୍କ ଭାଇ ତାଙ୍କୁ ଜମି ଦାନ କରିବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଜମି ରେକର୍ଡ ସଂଶୋଧନ କରାଯାଇଥିଲା ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା l ‘ସମସ୍ତଙ୍କ ପାଇଁ ପକ୍କା ଘର’ ଏବଂ ‘ଦୁଆରେ ସରକାରୀ ସେବା’ ଲକ୍ଷ୍ୟ ନେଇ ଆଜି ମନ୍ତ୍ରୀ ଓ ଜିଲ୍ଲାପାଳ ତାଙ୍କ ବାସଭବନରେ ପହଞ୍ଚି ଏହି କାର୍ଯ୍ୟାଦେଶ ହସ୍ତାନ୍ତର କରିଛନ୍ତି l କାର୍ଯ୍ୟାଦେଶ ମିଳିବା ପରେ ଏବେ ତାଙ୍କର ପକ୍କା ଘର ତିଆରି ହେବାର ବାଟ ଫିଟିଛି l ଏହି ଅବସରରେ ଶ୍ରୀମତୀ ପାଣ୍ଡିଙ୍କ ଘର ତିଆରି କାମ ଯେପରି ଅତିଶୀଘ୍ର ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ନିଜର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ, “ଆଜି ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଗଣ୍ଡଘୋରା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ବୃଦ୍ଧା ମା’ ଶ୍ରୀମତୀ ରଙ୍ଗବତୀ ପାଣ୍ଡିଙ୍କୁ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି l ଦୀର୍ଘଦିନ ଧରି ଜର୍ଜରିତ ଅବସ୍ଥାରେ ନିଜର ଭଙ୍ଗା ଘରେ ଦିନ କାଟୁଥିଲେ; ଆଜି ନିଜର ଏକ ପକ୍କା ଘର ତିଆରି ପାଇଁ କାର୍ଯ୍ୟାଦେଶ ପାଇବା ପରେ ମା’ଙ୍କ ମୁହଁରେ ଫୁଟିଥିବା ଖୁସିର ହସ ଆମକୁ ସନ୍ତୋଷ ଓ ଜନସେବା ପାଇଁ ଆହୁରି ପ୍ରେରଣା ଯୋଗାଉଛି l
‘ଲୋକଙ୍କର ସରକାର’ର ଏହି ମାନବୀୟ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟାଦେଶ ପ୍ରଦାନ ସମୟରେ ବ୍ରଜରାଜନଗର ପୌରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଗୋପାଳ ସିତାନୀ ଏବଂ ସାଂସଦ ପ୍ରତିନିଧି ଶ୍ରୀ ବବଲୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l











