ପୂର୍ବବର୍ଷଠାରୁ ଅଧିକ ଆକର୍ଷଣୀୟ ହେବ ଅଁଳାନବମୀ ଯାତ୍ରା
ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ସାଧାରଣ ଦର୍ଶନ ଉପରେ ଗୁରୁତ୍ୱ-ବିଧାୟକ
ସକାଳ ୬ଟାରୁ ସାହାଣମେଲା ଦର୍ଶନ
ସତ୍ୟବାଦୀ, ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଗଣପର୍ବ ଶ୍ରୀ ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର ଅଁଳାନବମୀ, ମା’ ରାଧାରାଣୀଙ୍କ ପାଦଦର୍ଶନ ଓ ବଡ଼ଏକାଦଶୀ ଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ଉପଲକ୍ଷେ ଦ୍ୱିତୀୟ ସମନ୍ୱୟ ବୈଠକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ନଭେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ। ବର୍ଷକୁ ଥରେ ମା’ ରାଧାରାଣୀଙ୍କ ପାଦଦର୍ଶନର ସୁଯୋଗ ମିଳୁଥିବାରୁ ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି। ଅଁଳାନବମୀ ଦିନ ସକାଳ ୬ଟାରୁ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହେବାକୁ ସ୍ଥିର ହୋଇଛି । ବୈଠକରେ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ଦେବୋତ୍ତର କମିଶନର ରୋହିତ ମିଶ୍ର, ଉପଜିଲ୍ଲାପାଳ ରାଜକିଶୋର ଜେନା, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ଏସ୍ପି ସଚ୍ଚିନ ପଟେଲ, ଏସ୍ଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ସଭାପତି ଗଦାଧର ମହାପାତ୍ର, ସମ୍ପାଦକ ଉମେଶ ନନ୍ଦଙ୍କ ସମେତ ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ। ସତ୍ୟବାଦୀ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ବୈଠକ ପରିଚାଳନା କରିଥିଲେ। ବୈଠକରେ ମନ୍ଦିରର ନୀତିକାନ୍ତି, ସୌନ୍ଦର୍ଯ୍ୟକରଣ, ଆଇନଶୃଙ୍ଖଳା, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା, ପାସ୍ ଓ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସେବାୟତ ପରିବାର ସଦସ୍ୟଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ ପାରିତୋଷିକ ପ୍ରଦାନ ଏବଂ ଅଁଳାନବମୀ ଦିନ ଜିଲ୍ଲାସ୍ତରୀୟ ଛୁଟି ଘୋଷଣା ପାଇଁ ସେବାୟତ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ, କୁଲର, ଫ୍ୟାନ୍, ସିସିଟିଭି ଲଗାଇବା ଓ ମନ୍ଦିର ଆଲୋକୀକରଣ ସମ୍ପର୍କରେ ‘ପ୍ରିଲୁଡ୍’ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ସ୍ଲାଇଡ୍ ପ୍ରଦର୍ଶନ କରାଯାଇଥିଲା। ଭିଆଇପି ଦର୍ଶନରେ ପାରଦର୍ଶିତା ପାଇଁ କ୍ୟୁଆର କୋଡ ଯୁକ୍ତ ପାସ ପାଇଁ ନିଷ୍ପତି ହୋଇଥିଲା। ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳକୁ ନୋ ଭେହିକିଲ୍ ଜୋନ୍ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅଞ୍ଚଳରେ କେବଳ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ିକୁ ଛାଡ଼ି ଅନ୍ୟ କୌଣସି ଗାଡ଼ି ଚଳାଚଳ କିମ୍ବା ପାର୍କିଂ କରିପାରିବ ନାହିଁ।
ସେହିପରି ସାକ୍ଷୀଗୋପାଳ ବସ୍ଷ୍ଟାଣ୍ଡରୁ ମନ୍ଦିର ଏବଂ କଲେଜ ଛକରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ମରାମତି କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଆର୍ଡି ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ କୁହାଯାଇଥିଲା। ନିର୍ଦ୍ଧାରିତ ସ୍ଥାନରେ ଅସ୍ଥାୟୀ ପାର୍କିଂସ୍ଥଳ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଆର୍ଡି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ, ଅଗ୍ନିଶମ ବ୍ୟବସ୍ଥା ଓ ସଫେଇ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଧାୟକ ଓମପ୍ରକାଶ ମିଶ୍ର ମନ୍ଦିରର ଫୁଲ ସଜା, ରଙ୍ଗିନ ଆଲୋକ ଓ ସାଉଣ୍ଡ ବ୍ୟବସ୍ଥା ପ୍ରଦର୍ଶିତ ସ୍ଲାଇଡ଼ ଅନୁସାରେ କରାଯିବ ବୋଲି କହିଥିଲେ। ଚାରିଦିନ ଧରି ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ମୀନାବଜାରରେ ଅସ୍ଥାୟୀ ଦୋକାନୀମାନଙ୍କ ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ବୁଲା ଗୋରୁଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ଗୋଶାଳା ନିର୍ମାଣ କରିବାକୁ ବ୍ଲକ ପଶୁଧନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ ତଥା ମରାମତି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ କୁହାଯାଇଥିଲା।
ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଣୁପ୍ରିୟା ବରାଳଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ସତ୍ୟବାଦୀ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ମନ୍ଦିରର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।











