Spread the love

ନାଚୁ ନାଚୁ ଥମିଗଲା ଜୀବନର ଛନ୍ଦ: ଅଫେରା ରାଇଜରେ ଓଡ଼ିଶୀ ସାଧକ ଗୁରୁ ପ୍ରଶାନ୍ତ
ତା -07/08/2026 ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ପାଦରେ ବନ୍ଧା ଥିଲା ଘୁଙ୍ଗୁର, ଆଖିରେ ଥିଲା ନୃତ୍ୟର ଦିବ୍ୟ ଝଲକ, ଆଉ ମନରେ ଥିଲା କଳାର ଅଫୁରନ୍ତ ଆବେଗ। କିନ୍ତୁ କିଏ ଜାଣିଥିଲା, ସେହି ମଞ୍ଚ ହିଁ ହେବ ତାଙ୍କ ଜୀବନର ଶେଷ ପରିଚୟ! ଓଡ଼ିଶୀ ନୃତ୍ୟ ଜଗତର ଜଣେ ନିଷ୍ଠାପର ସାଧକ ତଥା ବିଶିଷ୍ଟ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ସାହୁ ଆଜି ଆଉ ଆମ ଗହଣରେ ନାହାନ୍ତି।

ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ନିଜର ଶେଷ କଳା ପରିବେଷଣ କରିସାରି ଗ୍ରୀନ୍ ରୁମ୍‌କୁ ଫେରିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସାଥୀ କଳାକାରମାନେ ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚର ଝଲମଲ ଆଲୋକ ଲିଭିବା ପୂର୍ବରୁ ହିଁ ଲିଭିଗଲା ଜଣେ ସମର୍ପିତ କଳାକାରଙ୍କ ଜୀବନଦୀପ।

ପୂଜ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାର୍ଗଦର୍ଶନରେ କୋଣାର୍କ ନାଟ୍ୟ ମଣ୍ଡପରୁ ଆରମ୍ଭ ହୋଇଥିବା ତାଙ୍କ ନୃତ୍ୟଯାତ୍ରା ରାଷ୍ଟ୍ରପତି ଭବନର ମର୍ଯ୍ୟାଦାଜନକ ଦରବାର ପର୍ଯ୍ୟନ୍ତ ବ୍ୟାପିଥିଲା। ମାତ୍ର କିଛି ଦିନ ତଳେ ରାଷ୍ଟ୍ରପତି ଭବନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ।

କେବଳ ଜଣେ ସଫଳ ନର୍ତ୍ତକ ନୁହେଁ, ବରଂ ନୂଆ ପିଢ଼ି ଗଢ଼ିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ୨୦୧୭ ମସିହାରୁ ସେ ବଡ଼ବିଲର ପ୍ରତିଷ୍ଠିତ ଅନୁଷ୍ଠାନ “ଦ୍ରୌପଦୀ ଦେବୀ କଲଚରାଲ ଇନଷ୍ଟିଚ୍ୟୁଟ” ର ନୃତ୍ୟଗୁରୁ ଭାବେ ଯୋଗଦେଇ ସଫଳତାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲେ। ତାଙ୍କରି ସ୍ନେହଭରା ପ୍ରଶିକ୍ଷଣରେ ଅନୁଷ୍ଠାନର ଶତାଧିକ ଛାତ୍ରୀ ରାଜ୍ୟର ବିଭିନ୍ନ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିବା ସହ ଅନେକ ପୁରସ୍କାର ଅର୍ଜନ କରିଛନ୍ତି।

ତାଙ୍କର ଅପ୍ରତ୍ୟାଶିତ ବିୟୋଗରେ ‘ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ’ ର ସମସ୍ତ ଛାତ୍ରଛାତ୍ରୀ, କର୍ମକର୍ତ୍ତାଙ୍କ ସମେତ ସମଗ୍ର ଓଡ଼ିଶାର କଳାପ୍ରେମୀ ମହଲ ଆଜି ଗଭୀର ଶୋକାଭିଭୂତ। ଏହି ପରିପ୍ରେକ୍ଷୀରେ ଶନିବାର ଅନୁଷ୍ଠାନ ପରିସରରେ ସ୍ୱର୍ଗତ ପ୍ରଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ଗୁରୁ, ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ କଳାପ୍ରେମୀ ଯୋଗଦେଇ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।

ଏହି ଶୋକାକୂଳ ପରିବେଶରେ ଛାତ୍ରଛାତ୍ରୀମାନେ ନିଜର ପ୍ରିୟ ଗୁରୁଙ୍କୁ ମନେପକାଇ ଭାବବିହ୍ବଳ ହୋଇପଡ଼ିଥିଲେ। ସ୍ୱଭାବରେ ଅତ୍ୟନ୍ତ ସରଳ, ଅମାୟିକ ତଥା ମିଷ୍ଟଭାଷୀ ଥିବା ପ୍ରଶାନ୍ତଙ୍କ ଏହି ଅକାଳ ବିୟୋଗ ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ସଚ୍ଚା ସାଧକ ଭାବେ ମଞ୍ଚ ଉପରେ ହିଁ ସେ ନିଜ ଜୀବନର ଶେଷ ଯବନିକା ଟାଣି ଚିରଦିନ ପାଇଁ ଅମର ହୋଇଗଲେ ବୋଲି ଉପସ୍ଥିତ ଶୁଭେଚ୍ଛୁ ଓ ପ୍ରଶଂସକମାନେ ମତବ୍ୟକ୍ତ କରିଛନ୍ତି।