ବୌଦ୍ଧ : ରାଷ୍ଟ୍ରୀୟ ଏକତା ଦିବସ ପାଳିତ..
କୁନା ଦିଗାଲ ଦର୍ଶନ ସମୀକ୍ଷା
ବୌଦ୍ଧ ଜିଲ୍ଲା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି, ସାମୂହିକ ‘ରନ୍ ଫର୍ ୟୁନିଟି’ ଓ ଏକତା ସଂକଳ୍ପ ପାଠ.
ବୌଦ୍ଧ ଜିଲ୍ଲା ରେ ଲୌହପୁରୁଷ, ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ବୌଦ୍ଧ ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ (National Unity Day) ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଇଯାଇଛି l ଏହି ଅବସରରେ ସାମୂହିକ ‘ରନ୍ ଫର୍ ୟୁନିଟି’ ଶୋଭାଯାତ୍ରା, ସ୍ମୃତିଚାରଣ ସଭା ଓ ଏକତା ସଂକଳ୍ପ ପାଠ ଆୟୋଜିତ ହୋଇଥିଲା l ଆଜି ସକାଳେ ବୌଦ୍ଧ ଷ୍ଟାଡିୟମଠାରୁ ସାମୂହିକ ‘ରନ୍ ଫର୍ ୟୁନିଟି’ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା l ଏଥିରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତିରଞ୍ଜନ ଭୁଏ, ବୌଦ୍ଧ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଆଇପିଇ ଆନନ୍ଦ ବେହେରା, ଡିପିସି ମିଶନ ଶକ୍ତି ରଶ୍ମିରଞ୍ଜନ ସେଠୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ l ପରେ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେଇଥିଲା l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ନିମନ୍ତେ ଏକତା ସଂକଳ୍ପ ପାଠ କରାଇଥିଲେ l ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଏକତା ସଂକଳ୍ପ ପାଠ କରିଥିଲେ l
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିଜର ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ନେତୃତ୍ୱ, ଦେଶପ୍ରେମ ଓ ଦୂରଦର୍ଶିତା ବଳରେ ସ୍ୱାଧୀନତା ପରେ ଦେଶର ଶତାଧିକ ଗଡ଼ଜାତ ରାଜ୍ୟକୁ ଏକତ୍ରିତ କରି ଏକ ଅଖଣ୍ଡ ଭାରତ ଗଠନରେ ଐତିହାସିକ ଭୂମିକା ନିର୍ବାହ କରିଥିଲେ l ତାଙ୍କର ତ୍ୟାଗ, ନିଷ୍ଠା, ଦୃଢ଼ ସଂକଳ୍ପ ଓ ଜାତୀୟ ଏକତା ପ୍ରତି ଅବଦାନ ସମଗ୍ର ଦେଶବାସୀଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ l ଜାତି, ଧର୍ମ, ଭାଷା ଓ ଅଞ୍ଚଳଗତ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ଦେଶର ଏକତା, ଅଖଣ୍ଡତା, ସାମାଜିକ ସଦ୍ଭାବ ଓ ଭାଇଚାରା ବଜାୟ ରଖିବା ସହ ଏକ ସୁଦୃଢ଼, ସମୃଦ୍ଧ ଓ ଐକ୍ୟବଦ୍ଧ ଭାରତ ଗଠନରେ ସମସ୍ତେ ନିଜ ନିଜର ଯୋଗଦାନ ଦେବାକୁ ଏହି ଅବସରରେ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି l











