ଗଜପତିରେ ତଥାପି ବର୍ଷା ଜାରି ରହିଛି : ପୁଣି ଭୂଷ୍ଫଳନ, ଜଳବନ୍ଦୀରେ ଥିବା 31 ଜଣ ଉଦ୍ଧାର
ପାରଳାଖେମୁଣ୍ଡି,୨୪/୯(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଖବର ଲେଖିବା ସମୟ ସୁଦ୍ଧା ତୁହାକୁ ତୁହା ବର୍ଷା ଜାରି ରହିଛି. ଏଭଳି ଭାବେ ଲଗାତାର ବର୍ଷା ହେବା ଯୋଗୁଁ ଜିଲ୍ଲାର ବନ ପାହାଡ଼ ଘେରା ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାରେ ଭୂଷ୍ଫଳନ ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ପଥର ଖଣ୍ଡ ମୁଖ୍ୟ ରାସ୍ତାକୁ ଖସି ଆସିଛି. ସେହିପରି ପ୍ରବଳ ବର୍ଷା ଯୋଗୁଁ ଜଳ ବନ୍ଦୀ ଥିବା 31 ଜଣଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଥିବା ବେଳେ ପାହାଡ଼ରୁ ଜାତ ନଦୀ ସ୍ରୋତରେ ଭାସି ଯାଉଥିବା ସମୟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ଖବର ମଧ୍ୟ ମିଳିଛି. ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଓ ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୫୭୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ୨୪ ଘଣ୍ଟିଆ ହାରାହାରି ବର୍ଷା ପରିମାଣ ୭୧.୬୪ ମିଲିମିଟର ରହିଛି। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ନଦୀ, ନାଳ ଓ ତଳିଆ ଅଞ୍ଚଳର ଜଳସ୍ତର ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି।

ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରଖାଯିବା ସହ ସମସ୍ତ କାର୍ଯ୍ୟକ୍ରମ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବିନିଯୋଗ କରାଯାଉଛି. ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରୁ ଜାତ ମହେନ୍ଦ୍ରତନୟା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି. ଲଗାତାର ବର୍ଷା ଯୋଗୁଁ ବର୍ଷା ପାଣି ଓ ମହେନ୍ଦ୍ରତନୟାର ବନ୍ୟା ଜଳ ପାରଳା ସହର ତଳି ଅଞ୍ଚଳର ଲୋକଙ୍କ ଠାରେ ବନ୍ୟାର ଭୟ ଓ ଆତଙ୍କ ସୃଷ୍ଟି କରିଛି. କାଶୀନଗର ଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ମଧ୍ୟ ବନ୍ୟା ଜଳ ଦେଖା ଦେଇଛି. ହେଲେ ଖବର ଲେଖିବା ସୁଦ୍ଧା ବଂଶଧାରାରେ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରିନାହିଁ. ଗଜପତି ଜିଲ୍ଲାର ମୋହନା ବ୍ଲକର ବିରିକୋଟ ଡ୍ୟାମ ରାସ୍ତାରେ ଲଗାତାର ବର୍ଷା ଯୋଗୁଁ ଭୂଷ୍ଫଳନ ଘଟି ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ଏକ ବିରାଟ ପଥର ରାସ୍ତା ଉପରକୁ ଖସି ପଡିଛି. ଲଗାତାର ବର୍ଷା ଯୋଗୁଁ ମୋହନା ବ୍ଲକର ରୋଷାଣୀଗଣ୍ଡା ଗ୍ରାମବାସୀମାନେ ଜଳବନ୍ଦୀ ହୋଇ ରହିଥିଲେ. ସେମାନଙ୍କୁ ଓଡ୍ରାଫଟିମ 5 କିମି ପାହାଡିଆ ରାସ୍ତାରେ ପାଦ ଚଲାରେ ଯାଇ ଉଦ୍ଧାର କରିଛନ୍ତି. ଏହି ରୋଷାଣୀଗଣ୍ଡା ଗ୍ରାମରେ 13 ଗୋଟି ଘରେ ମୋଟ 31 ଜଣ ବସବାସ କରନ୍ତି . ଏହି 31 ଜଣ ଗ୍ରାମବାସୀ ଗ୍ରାମ ନିକଟରେ ଥିବା ଏକ ପାହାଡିଆ ନଦୀର ବନ୍ୟା ସ୍ରୋତରେ ଜଳବନ୍ଦୀ ହୋଇ ରହିଥିବା ବେଳେ ଓଡ୍ରାଫଟିମ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟ ସ୍ଥଳରେ ରଖିଥିବା ଜଣାପଡିଛି. ସେହିପରି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକରେ ଚାଷ ଜମି କାମ ସାରି ଠେଲାଗଡ଼ ଗ୍ରାମକୁ ସ୍ୱାମୀ -ସ୍ତ୍ରୀ ଫେରୁଥୁବା ବେଳେ ଧୋବାନାଳ ପାର ହେଉଥିବା ବେଳେ ସ୍ୱାମୀ ଜଗନ୍ନାଥ ବଡ଼ କୁମାର ହଠାତ ଭାସି ଯାଇଥିଲେ. ହେଲେ ସ୍ତ୍ରୀଙ୍କ ଚିତ୍କାରରେ ନିକଟରେ ରାସ୍ତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଆର. ଉଦୟଗିରି ବ୍ଲକ ଲରିମନ ଖରସେଲ ଏବଂ ତହସିଲଦାର ଜୋର୍ତିମୟ ଦାସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଜଗନ୍ନାଥଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ. ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବହୁ ବାସଗୃହ ଭାଙ୍ଗି ଯାଇଛି. ମୋହନା ବ୍ଲକର ତଲାସିଂ ଗ୍ରାମରେ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡି ଘରର ମହିଳା ଲିଲି ନାୟକ ଆଜି ଭୋର ସମୟରେ ଗୁରୁତର ହୋଇପଡିଥିଲେ. ପ୍ରଶାସନ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରି ସମସ୍ତ ଚିକିତ୍ସା ବ୍ୟବସ୍ଥା ଜାରି ରଖିଛନ୍ତି. ଏହି ଲଗାଣ ବର୍ଷା ଓ ବାତ୍ୟା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ଅନେକ ଗଛ ଭାଙ୍ଗି ପଡିଛି. ପ୍ରଶାସନର ନିର୍ଦେଶକ୍ରମେ ବିଦ୍ୟୁତ ଖୁଣ୍ଟର ମରାମତି ଓ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଅଞ୍ଚଳ ଗୁଡିକୁ ସଫା କରାଯାଉଛି. ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି, ଏନେଇ ପ୍ରଶାସନ ସମ୍ପୂର୍ଣ ସଜାଗ ରହିଛି. ଆତଙ୍କିତ ନ ହୋଇ ପ୍ରଶାସନକୁ ସମସ୍ତ ଖବର ପ୍ରଦାନ କରି ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ଯେଭଳି କାମ କରିବ ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ.











