Spread the love

କନ୍ଧମାଳ : ଗୃହହୀନଙ୍କୁ ପକ୍କା ଘର ଯୋଗାଣ ପାଇଁ ନୂଆ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ..ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ଉତ୍ସବର ସିଧା ପ୍ରସାରଣ, ଜନପ୍ରତିନିଧି ଓ ହିତାଧିକାରୀଙ୍କ ଯୋଗଦାନ..

କନ୍ଧମାଳ: କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ତଥା ରାଜ୍ୟର ୭ ଲକ୍ଷ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଶନିବାର ବଲାଙ୍ଗୀର ଜିଲ୍ଲା ପଥରଚେପା ପଡ଼ିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-(ଗ୍ରାମୀଣ) ରାଜ୍ୟସ୍ତରୀୟ ଶୁଭାରମ୍ଭ ହେଇଛି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଏହାର ସିଧା ପ୍ରସାରଣ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା l ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ହିତାଧିକାରୀ, ଜନପ୍ରତିନିଧି ଓ ସାଧାରଣ ଲୋକେ ଯୋଗଦେଇ ବଲାଙ୍ଗୀରର ମୁଖ୍ୟ ସମାରୋହର ସିଧା ପ୍ରସାରଣ ଦେଖିଥିଲେ l ଏଥିରେ ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଏବଂ ଜିଲ୍ଲା ପରିଷଦ ସଭ୍ୟା ଅନିତା କହଁର ଓ ନମିତା କହଁର ଉପସ୍ଥିତ ଥିଲେ l ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଧାୟକ ଉମାଚରଣ ମଲ୍ଲିକ ଓ ମାନଗୋବିନ୍ଦ ପ୍ରଧାନ ଆବାସ ଯୋଜନାର ଗୁରୁତ୍ୱ ଓ ଗ୍ରାମାଞ୍ଚଳର ଗରିବ ପରିବାରଙ୍କ ପାଇଁ ଏହାର ଉପାଦେୟତା ସମ୍ପର୍କରେ କହିଥିଲେ l ଶେଷରେ ଫୁଲବାଣୀ ବିଡିଓ ସୌମ୍ୟ ରଞ୍ଜନ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l