ଗଜପତି ଜିଲ୍ଲାର ଖବର// ଏଥର ଗଜପତି ପୋଲିସ ହାତରେ ମୂଖ୍ୟ ଗଂଜେଇ ମାଫିଆ ,କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ଓ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା ଏବଂ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ମାମଲାରେ ବାଲେଶ୍ୱରରୁ ଯୁବକ ଗିରଫ

Spread the love

ଗଜପତିର ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, 21/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି. ଜିଲ୍ଲାର ଦୁର୍ଗମ ବନାଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଓ ଦେଶୀ ମଦ କାରବାରକୁ ସମ୍ପୂର୍ଣ ଭାବେ ବିଲୋପ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢଉ ଓ ପେଟ୍ରୋଲିଂ ଜାରି ରହିଛି. ଏଭଳି ଭାବେ ପେଟ୍ରୋଲିଂ ଚାଲିଥିବା ବେଳେ ଅଡ଼ବା ଥାନା ଅଞ୍ଚଳର ଗଲିମେରା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁଲିସ ୧୦୭୫ କିଲୋ ଗଞ୍ଜେଇ ଜବତ କରିଛି. ଏନେଇ ଅଡ଼ବା ଥାନାରେ କେସ୍ ନମ୍ବର ୧୯୪/୨୦୨୬ରେ ଏନ୍‌ଡି ନ୍‌ଡିପିଏସ୍ ଆଇନର ଧାରା ୨୦(ବି)(ii) (C) ଅନୁଯାୟୀ ମାମଲା ରୁଜୁ ହୋଇଛି. ସେପ୍ଟେମ୍ବର ୧୯ ତାରିଖରେ ଅଡ଼ବା ଥାନା ପୁଲିସ ରାସପେଟ, ଗଲିମେରା ଓ ଏହାର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ସହ ଗଞ୍ଜେଇ ଚାଲାଣ ବିରୋଧୀ ଅଭିଯାନ ଚଳାଇଥିଲା. ଏହି ସମୟରେ ଗଲିମେରା ଗ୍ରାମ ନିକଟ ଜଙ୍ଗଲରେ ୪୩ଟି ପ୍ଲାଷ୍ଟିକ୍ ଜେରିକ୍ୟାନ୍‌ରେ ଗଞ୍ଜେଇ ରହିଥ‌ିବା ପୁଲିସ ଦେଖୁଥୁଲା. ତେବେ ଘଟଣାସ୍ଥଳରେ କେହି ନଥିବାରୁ ଗଞ୍ଜେଇଗୁଡ଼ିକୁ ଅଜଣା ବ୍ୟକ୍ତିମାନେ ଚାଲାଣ ଉଦ୍ଦେଶ୍ୟରେ ଜଙ୍ଗଲରେ ରଖୁଥ‌ିବା ସନ୍ଦେହ କରାଯାଉଛି| ପୁଲିସ ପକ୍ଷରୁ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜେରିକ୍ୟାନ୍‌ଗୁଡ଼ିକ ଖୋଲି ଯାଞ୍ଚ, ଓଜନ ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା ଜବତ ଗଞ୍ଜେଇର ନିଟ୍ ଓଜନ ୧୦୭୫ କିଲୋ ଏବଂ ଜେରିକ୍ୟାନ୍ ସହ ମୋଟ ଓଜନ ୧୦୭୯ କିଲୋ ୩୦୦ ଗ୍ରାମ ରହିଥୁଲା ଗଞ୍ଜେଇକୁ ଆଇନ ଅନୁଯାୟୀ ପ୍ୟାକିଂ ଓ ସିଲ୍ କରି ଜବତ କରାଯାଇଛି. ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ଘଟଣାରେ ସମ୍ପୃକ୍ତ ଗଞ୍ଜେଇ ଚାଲାଣ ଓ ମାଲିକାନା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଅଡ଼ବା ପୁଲିସର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି.

ଗଜପତିରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଚୂଡ଼ାନ୍ତ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା

ପାରଳାଖେମୁଣ୍ଡି,୨୧.୦୯ (ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ଆଜି ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଏଥି ଅନୁଯାୟୀ ବର୍ତ୍ତମାନ ମୋଟ ଭୋଟରଙ୍କ ସଂଖ୍ୟା 4,33,952ରେ ପହଞ୍ଚିଲା.

ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମୁନିଦ୍ର ହୋନନାଗା ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଅମିତ ବିଶ୍ୱାଳ, ଡେପୁଟି କଲେକ୍ଟର ପାରଳାଖେମୁଣ୍ଡି କ୍ରୀତି ସାଇ ଶୁକ୍ଲା,ଜିଲ୍ଲାର ସମସ୍ତ ରାଜନୈତିକ ଦଳର ଜନ ପ୍ରତିନିଧି ଓ ଗଣମାଧ୍ଯମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲାରେ ୨ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ, ଯଥା ୧୩୬- ମୋହନା (ସଂରକ୍ଷିତ) ଓ ୧୩୭-ପାରଳାଖେମୁଣ୍ଡି ରହିଛି। ଏହି ସଂଶୋଧନ ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ। ୦୫.୦୭.୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବା ପରେ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ସେଗୁଡ଼ିକର ନିଷ୍ପତ୍ତି ନିଆଯାଇଛି।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୧୩୬- ମୋହନା(ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସଂଖ୍ୟା ମୋଟ -୨୩୨୬୬୨ ସେଥିମଧ୍ୟରୁ ପୁରୁଷ ସଂଖ୍ୟା -୧୧୪୩୭୪, ମହିଳା ସଂଖ୍ୟା- ୧୧୮୨୮୪ ଓ ତୃତୀୟ ଲିଙ୍ଗ ୪ ଜଣ ରହିଛନ୍ତି।
୧୩୭-ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା- ୨୦୧୨୯୦ ସେଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୦୦୦୪, ମହିଳା ସଂଖ୍ୟା ୧୦୧୨୭୩ ଓ ତୃତୀୟ ଲିଙ୍ଗ ୧୩ ଜଣ ରହିଛନ୍ତି।
ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ମୋଟ – ୪୩୩୯୫୨ ,ସେଥିମଧ୍ୟରୁ ପୁରୁଷ ସଂଖ୍ୟା- ୨୧୪୩୭୮, ମହିଳା ସଂଖ୍ୟା ୨୧୯୫୫୭ ଓ ତୃତୀୟ ଲିଙ୍ଗ ୧୭ ଜଣ ରହିଛନ୍ତି।
ଗଜପତିର ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ମାମଲାରେ ବାଲେଶ୍ୱରରୁ ଯୁବକ ଗିରଫ
ପାରଳାଖେମୁଣ୍ଡି, 21/9(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଧମକଚମକ ଦେବା ମାମଲାରେ ପାରଳାଖେମୁଣ୍ଡି ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ବାଲେଶ୍ଵର ଜିଲ୍ଲାରୁ ଜଣେ ଯୁବକକୁ ଗିରଫ କରିଛନ୍ତି. ଗିରଫ ଯୁବକ ହେଲେ ସୋର ଥାନା ଅନ୍ତର୍ଗତ ନୂଆପୁର ଗ୍ରାମର
ଭରତ କୁମାର ମହାରଣା (୩୪). ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳର ଯୁବତୀ (୨୨) ଜଣକ ୨୦୨୩ରେ ଚାକିରି ଅନ୍ବେଷଣରେ ଚେନ୍ନାଇ ଯାଇଥିଲେ। ସେଠାରେ ଏକ ସପିଂମଲ୍‌ରେ କାମ କରୁଥିବା ବେଳେ ଭରତ ସହ ତାଙ୍କର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ପ୍ରାୟ ଦୁଇ ବର୍ଷ ପରେ ଯୁବତୀଜଣକ ଗତବର୍ଷ ନଭେମ୍ବରରେ ନିଜ ଗାଁକୁ ଫେରିଆସିଥିଲେ |

ତେବେ ଭରତ ତାଙ୍କୁ ପୁଣି ଡାକିବାରୁ ସେ ମନା କରିଥିଲେ । ଏଥିରେ ଭରତ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ଏଥିସହ ଯୁବତୀଙ୍କ ଫଟୋ ଓ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା | ପ୍ରାୟ ୪ ମାସ ପୂର୍ବେ ଯୁବତୀଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ | ପୁଲିସର ହସ୍ତକ୍ଷେପ ପରେ ଅଭିଯୁକ୍ତର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଦୁଇଥର ଡିଲିଟ କରାଯାଇଥିଲା। ଅଭିଯୁକ୍ତ ପୁଣି ନୂଆ ଆକାଉଣ୍ଟ୍ ଖୋଲି ଯୁବତୀଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ କରିଥିଲା। ତେଣୁ ଭରତକୁ ଗଜପତି ପୋଲିସ ଗିରଫ କରିଥିବା ବେଳେ ତା’ଠାରୁ ଦୁଇଟି ମୋବାଇଲ ଜବତ କରିଛନ୍ତି. ଗତକାଲି ଅପରାହ୍ନରେ ଭରତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ସାଇବର ଥାନାଧିକାରୀ ଟୁନା ଶବର ପ୍ରକାଶ କରିଛନ୍ତି ।