ଗଞ୍ଜାମ ନିକଟ ଦେଇ ଗଭୀର ଅବପାତ ଗତି କରିବାର ଆଶଙ୍କା ; ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଓଡ୍ରାଫ୍ ଟିମ୍ ସଜାଗ
ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା । ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଏଥିପାଇଁ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୨୩ ଓ ୨୪ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହେବା ସହ ପ୍ରବଳ ବର୍ଷା ସହିତ ପବନର ବେଗ ୫୦ରୁ ୬୦ କି.ମି. ରହିବ । ଗଞ୍ଜାମ ଜିଲ୍ଲା ପାଖ ଦେଇ ଗତି କରିବାର ରହିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତି ଭାସନ ।
ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଥିବାରୁ ବିଜୁଳି ଘଡଘଡିରେ କେହି ଯେପରି ମୃତାହତ ନ ହୁଅନ୍ତି ସେଥିପାଇଁ ଜନସାଧାରଣଙ୍କୁ ବିନା କାରଣରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି । ଚାଷ ଜମିରେ ଘଡଘଡିର ଅଧିକ ସମ୍ଭାବନା ଥିବାରୁ ଚାଷ ଜମିକୁ ଆଗାମୀ ୩ରୁ ୪ଦିନ ପାଇଁ ନ ଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଅନୁରୋଧ କରିଛନ୍ତି । ଅତ୍ୟଧିକ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଯେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ସେହି ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସମସ୍ତ ବ୍ଲକ ମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ହେଲେ ନଦୀ ଓ ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲା ଓ ବ୍ଲକ୍ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେହି ନମ୍ବରରେ ଯୋଗାଯୋଗ କରିପାରିବେ । ଏହାସହ ସମସ୍ତ ବ୍ଲକ, ତହସିଲ ଅଧିକାରୀମାନେ ପ୍ରସ୍ତୁତ ଅଛନ୍ତି । ଯଦି କେଉଁଠି କିଛି ସମସ୍ୟା ଦେଖାଯାଏ ସେମାନେ ଲୋକଙ୍କ ପାଖରେ ପହଞ୍ଚିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ପୋଲିସ ପ୍ରଶାସନଇ ଓଡ୍ରାଫ ଟିମ୍ ସମସ୍ତେ ସଜାଗ ହୋଇ ରହିଛନ୍ତି । ପୂର୍ବ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ଦିଗପହଣ୍ଡି, ସାନଖେମୁଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, କଳିଙ୍ଗା ଘାଟିର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ସମ୍ଭାବନା ରହୁଛି, ଏଣୁ ସେ ସମସ୍ତ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ସେ ସ୍ଥାନ ମାନଙ୍କରେ ଅଗ୍ନିଶମ ଓ ଓଡ୍ରାଫ ବାହିନୀ ନିୟୋଜିତ କରାଯାଇଛି ।
କଳିଙ୍ଗା ଘାଟିରେ ଯାତାୟତରେ ବିପଦ ସୃଷ୍ଟି ହୋଇପାରେ ସେଥି ଲାଗି କନ୍ଧମାଳ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସଜାଗ କରି ରଖାଯାଇଛି । ଯେଉଁଠି ବିଦ୍ୟୁତ ଖୁଣ୍ଟ ପଡିବ ସେହି ସ୍ଥାନ ମାନଙ୍କରେ ବିଦ୍ୟୁତ ବିଭାଗ ସାଙ୍ଗେ ସାଙ୍ଗେ ପହଞ୍ଚି ମରାମତି କରିବାକୁ କୁହାଯାଇଛି । ଜିଲ୍ଲାରେ ବର୍ଷାର ପ୍ରଭାବକୁ ଦେଖି ଆବଶ୍ୟକ ସ୍ଥଳେ ସମସ୍ତ ସ୍କୁଲ କଲେଜ ଛୁଟି କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରକାରୀ କର୍ମଚାରୀ ହେଡକ୍ୱାର୍ଟର ନ ଛାଡିବାକୁ କୁହାଯାଇଛି । ଏପରିକି, ଆରଆଇ ଓ ପିଇଓ ମାନେ ମଧ୍ୟ ହେଡକ୍ୱାର୍ଟର ଅଞ୍ଚଳରେ ରହିବାକୁ କୁହାଯାଇଛି । ଯେଉଁ ସରକାରୀ ଅଧିକାରୀ ମାନେ ଛୁଟିରେ ଯାଇଛନ୍ତି ସେମାନେ ତୁରନ୍ତ ଫେରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପାତ୍ରପୁରର ତୁମ୍ବା ଭଳି ଅଞ୍ଚଳରେ ଭୂସ୍ଖଳନ ଓ ଚିକିଟି ଅଞ୍ଚଳରେ ନଦୀ କୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯିବା ସହ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ସଇସେବୁର ସମୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାଘଲଟି, ଘୋଡାହାଡ ଡ୍ୟାମରେ ୫୦ ରୁ ୬୦ ପ୍ରତିଶତ ପାଣି ଖାଲି ଅଛି, ଆବଶ୍ୟକ ସ୍ଥଳେ ଲୋକଙ୍କୁ ମାଇକ୍ ଯୋଗେ ପ୍ରଚାର କରି ପାଣି ଛଡାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।











