କଲିକତା ମଞ୍ଚରେ ଓଡ଼ିଆ ଝିଅ ଡେଜିଙ୍କ ସୁରର ଯାଦୁ
କଲକାତା, ୧୮/୯ : ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଦେଶର ବିଭିନ୍ନ ପ୍ରାନ୍ତର କଳା, ସଂସ୍କୃତି ଓ ସଙ୍ଗୀତକୁ ଗୋଟିଏ ମଞ୍ଚରେ ଏକତ୍ର କରି ସାଂସ୍କୃତିକ ଏକତାର ବାର୍ତ୍ତା ଦେଇଛି ‘ଜସ୍ତେ ମସ୍ତି’ ସାଂସ୍କୃତିକ ମହୋତ୍ସବ। ରୁଫ ଷ୍ଟେଜ ପ୍ରତିଷ୍ଠାନ ପକ୍ଷରୁ କଲକାତାର ଏସ୍ଆର୍ଏଫ୍ଟି ପ୍ରେକ୍ଷାଳୟରେ ଆୟୋଜିତ ଏହି ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶତାଧିକ ଶିଳ୍ପୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ମହୋତ୍ସବର ବିଶେଷ ଆକର୍ଷଣ ଥିଲା ଓଡ଼ିଶାର ଝିଅ ଡେଜି ସ୍ୱାଇଁଙ୍କ ସୁମଧୁର ସଙ୍ଗୀତ ପରିବେଷଣ। ତାଙ୍କ ମନଛୁଆଁ କଣ୍ଠସ୍ୱରରେ ପ୍ରେକ୍ଷାଳୟର ପରିବେଶ ସଙ୍ଗୀତମୟ ହୋଇଉଠିଥିଲା। ଡେଜିଙ୍କ ସଙ୍ଗୀତ ଶୁଣି ଉପସ୍ଥିତ ଦର୍ଶକ ମନମୁଗ୍ଧ ହୋଇଥିବା ବେଳେ କଲକାତାରେ ବସବାସ କରୁଥିବା ଓଡ଼ିଆମାନେ ତାଙ୍କ ପରିବେଷଣକୁ ବିଶେଷ ଭାବେ ପ୍ରଶଂସା କରିଥିଲେ। ତାଙ୍କ କଣ୍ଠରେ ଓଡ଼ିଆ ସଙ୍ଗୀତର ମାଧୁର୍ଯ୍ୟ ଓ ମାଟିର ମହକ ଅନୁଭବ କରିଥିଲେ ଦର୍ଶକ।
ରୁଫ ଷ୍ଟେଜର ମୁଖ୍ୟ ପ୍ରଦୀପ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମହୋତ୍ସବଟି ଆୟୋଜିତ ହୋଇଥିଲା। ଶ୍ରୀ ମହାପାତ୍ର ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ଶିଳ୍ପୀଙ୍କୁ ଆମନ୍ତ୍ରଣ କରି ସେମାନଙ୍କୁ ନିଜ ନିଜ କଳା ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ପ୍ରଦାନ କରିଥିଲେ। ଫଳରେ ଏହି ମହୋତ୍ସବ ବିଭିନ୍ନ ଭାଷା ଓ ସଂସ୍କୃତିର ଏକ ଅନନ୍ୟ ସଙ୍ଗମସ୍ଥଳୀରେ ପରିଣତ ହୋଇଥିଲା।
ଏହି ଅବସରରେ ଡକ୍ଟର ଭି ଲକ୍ଷ୍ମଣ, ଜୟଶ୍ରୀ ଆରୋରା, ଯେ ବଲା କୁମାର, କେଶବ ମିଶ୍ର, ବିରଜା ପ୍ରସନ୍ନ କର, ପାର୍ଥ ଚାଟାର୍ଜୀ, ନିବେଦିତା ପଟ୍ଟନାୟକ, ମମତା ତ୍ରିପାଠୀ, ସ୍ଥିତ ପ୍ରଜ୍ଞା କର ଓ ଡେଜି ସ୍ୱାଇଁ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ଭାଷାଭାଷୀ ଶିଳ୍ପୀଙ୍କ ସଙ୍ଗୀତ ଓ କଳା ପରିବେଷଣ ଦର୍ଶକଙ୍କୁ ଏକ ଭିନ୍ନ ସାଂସ୍କୃତିକ ଅନୁଭୂତି ପ୍ରଦାନ କରିଥିଲା।
ଆୟୋଜକଙ୍କ କହିବା ଅନୁଯାୟୀ, ଭିନ୍ନ ଭିନ୍ନ ଭାଷା, ଅଞ୍ଚଳ ଓ ସମ୍ପ୍ରଦାୟର କଳାକାରଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରି ସାଂସ୍କୃତିକ ଆଦାନପ୍ରଦାନର ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ସଙ୍ଗୀତ ଓ କଳା ମାଧ୍ୟମରେ ବିଭିନ୍ନତା ମଧ୍ୟରେ ଏକତାର ଭାବନାକୁ ଅଧିକ ମଜବୁତ କରିବା ଦିଗରେ ଏହା ଏକ ସୁନ୍ଦର ପ୍ରୟାସ ବୋଲି ଆୟୋଜକମାନେ କହିଛନ୍ତି।
ରୁଫ ଷ୍ଟେଜର ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ସେବାରେ ମଧ୍ୟ ଜଡ଼ିତ ରହିଛନ୍ତି। ବିଭିନ୍ନ ସମୟରେ କର୍କଟ ରୋଗୀଙ୍କ ନିକଟରେ ସଙ୍ଗୀତ ପରିବେଷଣ କରି ସେମାନଙ୍କ ମାନସିକ କଷ୍ଟ ଲାଘବ କରିବାକୁ ପ୍ରୟାସ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସଙ୍ଗୀତର ମାଧୁର୍ଯ୍ୟ ସହ ସେବାର ଭାବନାକୁ ଯୋଡ଼ି ରୁଫ ଷ୍ଟେଜ ଏହି ମହୋତ୍ସବ ମାଧ୍ୟମରେ ଏକ ସକାରାତ୍ମକ ସାଂସ୍କୃତିକ ବାର୍ତ୍ତା ଦେଇଛି।











