ଗଜପତି ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା – ୨୦୨୬ ପାରଳାଖେମୁଣ୍ଡି 12/9(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା – ୨୦୨୬ ଉଦଯାପିତ ହୋଇଯାଇଛି।
ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୧ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରି ନିଜର ନୃତ୍ୟକଳା ଓ ଲୋକ ସଂସ୍କୃତିର ଅପୂର୍ବ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ ଯୋଗଦେଇ ଲୋକନୃତ୍ୟ ମାଧ୍ୟମରେ ଆମେ ନିଜ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ କରିପାରିବା ଏବଂ ଏହା ଯୁବପିଢି ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭାଗବତ ପାଢ଼ୀ ,

ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ୱାଇ. କ୍ରିଷ୍ଣା ରାଓ , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରଥମ ପର୍ଯ୍ୟାୟ ରେ ମଞ୍ଚାସିନା ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟର ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଶଙ୍କର ପ୍ରସାଦ ମହାନ୍ତି , ଏନସିଇଆରଟି ଭୂବନେଶ୍ୱର , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଏସ୍ . ଗିରିଧର , ଭାଗବତ ପାଢ଼ୀ , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ୱାଇ. କ୍ରିଷ୍ଣା ରାଓ , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜେତା ଦଳଗୁଡିକୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ପ୍ରଥମ ସ୍ଥାନ , ଓ ଏ ଭି ଲିଙ୍ଗିପୁର୍, ଗୋଷାଣୀ ବ୍ଲକ ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଚାରକ ଭାବେ ଶ୍ରୀ ଆଦର୍ଶ କୁମାର ଦାସ ଓ ଶ୍ରୀମତୀ ବିନ୍ଦୁପ୍ରିୟା ବେହେରା ଦାୟିତ୍ୱ ନିର୍ବାହ କରିଥିଲେ।
ଶେଷରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ୱାଇ. କ୍ରିଷ୍ଣା ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ ଓ ହରିବୋଲରେ ପହଞ୍ଚିଲା ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ଚାରି ଦ୍ୱାରବନ୍ଧ
ପାରଳାଖେମୁଣ୍ଡି, 12/9(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିରେ ନୂତନ ଭାବେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରବନ୍ଧ ଆଜି ମନ୍ଦିର ପରିସରରେ ପହଞ୍ଚିଛି। ଏହି ଅବସରରେ ଜଗନ୍ନାଥଙ୍କ ଜୟଜୟକାର, ଶଙ୍ଖନାଦ, ହରିବୋଲ ଓ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।
ସୁଦୂର ହରିୟାଣାରୁ ଆବଶ୍ୟକ ସାମଗ୍ରୀ ଅଣାଯାଇ କଟକରେ ନିର୍ମାଣ କରାଯାଇଥିବା ଏହି ଚାରି ଦ୍ୱାରବନ୍ଧକୁ ଜିଲ୍ଲାର ପ୍ରବେଶପଥ ଲାବଣ୍ୟଗଡ଼ଠାରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ସମେତ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତ କରିଥିଲେ। ବାଜାବାଜଣା, କୀର୍ତ୍ତନ, ପୂଜାର୍ଚ୍ଚନା ଓ ବନ୍ଦାପନା ମଧ୍ୟରେ ଦ୍ୱାରବନ୍ଧଗୁଡ଼ିକୁ ମନ୍ଦିର ପରିସରକୁ ନିଆଯାଇଥିଲା।
ଦ୍ୱାରବନ୍ଧଗୁଡ଼ିକର ଯାତ୍ରାପଥରେ ଗାରାବନ୍ଧ, ଗୋଷାଣୀ, ଗୁରାଣ୍ଡି, ଜୟପୁର, ସାତମାଇଲ ସମେତ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ବନ୍ଦାପନା କରି ଭକ୍ତିଭାବରେ ସ୍ୱାଗତ କରିଥିଲେ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନେକ କୀର୍ତ୍ତି ଓ ଐତିହ୍ୟ ସହ ଜଡ଼ିତ ପାରଳାଖେମୁଣ୍ଡିର ଏହି ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ରୂପରେ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଜାରି ରହିଛି। ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖା କେବେ ସାକାର ହେବ, ତାହାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି।
ସୂଚନାନୁସାରେ, ଏହି ଚାରିଟି ଦ୍ୱାରବନ୍ଧର ନିର୍ମାଣ ଓ ସ୍ଥାପନା ପାଇଁ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏଥିପାଇଁ ବିଧାୟକ ରୁପେଶ ପାଣିଗ୍ରାହୀ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ, ମନ୍ଦିର ନିର୍ମାଣ ଦାୟିତ୍ୱ ନେଇଥିବା ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।
ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ବୃଦ୍ଧ ଭାସିଯାଇ ନିଖୋଜ
ପାରଳାଖେମୁଣ୍ଡି, 12/9(ତାରିଣୀ ପ୍ରସାଦ ପଣ୍ଡା):
ପାରଳାଖେମୁଣ୍ଡି ସହର ଠାରୁ ମାତ୍ର 2 କିମି ଦୂରରେ ଅବସ୍ଥିତ ଅମରା କେରଣ୍ଡି ଗ୍ରାମ ଅଞ୍ଚଳରେ ଆଜି ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଥିବା ଖବର ମିଳିଛି। ନିଖୋଜ ବୃଦ୍ଧ ଜଣକ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ। ତାଙ୍କ ବୟସ ପ୍ରାୟ ୬୯ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ସେ ମହେନ୍ଦ୍ରତନୟା ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣିରେ ଭାସିଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ମହେନ୍ଦ୍ରତନୟା ନଦୀରେ ଖୋଜାଖୋଜି କରିଥିଲେ ସୁଦ୍ଧା ନଦୀରେ ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳିନାହିଁ. ଅଞ୍ଚଳବାସୀ ଏବଂ ପରିବାରବର୍ଗର ଲୋକମାନେ ମଧ୍ୟ ମହେନ୍ଦ୍ରତନୟା ନଦୀରେ ନିଖୋଜ ବୃଦ୍ଧାଙ୍କ ସନ୍ଧାନ ପାଇଁ ବ୍ୟାପକ ଉଦ୍ୟମ ଜାରି ରଖି ଥିଲେ ସୁଦ୍ଧା ଖବର ଲେଖିବା ସମୟ ସୁଦ୍ଧା ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳି ପାରି ନାହିଁ.











