ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ନୂତନ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି, 11/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲାର ନୂତନ ଉପ ଜିଲାପାଳ ଭାବେ ୨୦୨୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ବ ଗ୍ରହଣ କରିଛନ୍ତି । ସୁଶ୍ରୀ ରାଓ ଗତକାଲି ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି କହିଛନ୍ତି ଯେ, ଗଜପତି ଜିଲାରେ ତାଙ୍କର ପ୍ରଥମ ପୋଷ୍ଟି ।

ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରଶାସନିକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇ ସର୍ବସାଧାରଣଙ୍କ ସେବାରେ ମୁଁ ନିଜକୁ ସାମିଲ ରଖି ଦାୟିତ୍ୱର ସହ କାର୍ଯ୍ୟଭାର ତୁଲାଇବି. ଅନ୍ୟପକ୍ଷରେ, ଏଥି ପୂର୍ବରୁ କାର୍ଯ୍ୟରତ ଉପ ଜିଲାପାଳ ଅନୁପ କୁମାର ପଣ୍ଡାଙ୍କୁ ପ୍ରମୋଶନ ହୋଇଯାଇଛି. ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀ ପଣ୍ଡାଙ୍କ କୌଣସି ପୋଷ୍ଟି ଆଦେଶ ଆସିନଥିବା ସୂଚନା ମିଳିଛି.
ଗଜପତି: 53 ଗୋଟି କେଶରେ ଜବତ ୧୩.୩୪ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା
ପାରଳାଖେମୁଣ୍ଡି, 11/9(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ 53 ଗୋଟି ମାମଲାରେ ଜବତ ହୋଇଥିବା ୧୩.୩୪ ଟନ୍ ଗଞ୍ଜେଇକୁ ଜିଲା ଡ୍ରଗ୍ ଡିସ୍ପୋଜାଲ କମିଟିର ଆଦେଶ ଅନୁଯାୟୀ ଗଞ୍ଜାମ ଜିଲାର ଶେରଗଡ଼ ଇନ୍ସିନେରେଟର କେନ୍ଦ୍ରରେ ପୋଡ଼ି ନଷ୍ଟ କରିଦିଆଯାଇଛି । ସୂଚନାନୁସାରେ, ପୁଲିସ ବିଭାଗର ୨୩ଟି ମାମଲାରେ ୧୧, ୫୪୧. ୪୨୯ କିଲୋଗ୍ରାମ ଏବଂ ଅବକାରୀ ବିଭାଗର ୩୦ଟି ମାମଲାରେ ୧, ୮୦୪, ୭୫୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ୫୩ଟି ମାମଲାରେ ଜବତ ହୋଇଥିବା ଗଞ୍ଜେଇର ପରିମାଣ ସମୁଦାୟ ୧୩.୩୪ ଟନ୍ ବୋଲି ଜଣାପଡ଼ିଛି। ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ସମୟରେ ଦକ୍ଷିଣାଞ୍ଚଳ ଆଇଜିପି ଜୟ ନାରାୟଣ ପଙ୍କଜ, ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲା ପୁଲିସ ମୁଖ୍ୟାଳୟର ଡିଏସ୍ପି, ଅବକାରୀ ଅଧୀକ୍ଷକଙ୍କ ସମେତ ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଓ ଅବକାରୀ ଅଧିକାରୀ ଏବଂ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।
3 ମାସରେ 50 ଗୋଟି ସାଇକେଲ ଚୋରି କରିଥିବା ସିରିଜ ସାଇକେଲ ଚୋର ଗିରଫ
ପାରଳାଖେମୁଣ୍ଡି, 11/9(ତାରିଣୀ ପ୍ରସାଦ ପଣ୍ଡା):
ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଗତ 3 ମାସ ମଧ୍ୟରେ 50 ଗୋଟି ସାଇକେଲ ଚୋରି କରିଥିବା ସିରିଜ ଚୋରକୁ ଗିରଫ କରିଛନ୍ତି. ସେ ହେଉଛନ୍ତି ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରାଣାଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତି ଅଟନ୍ତି. ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ-୩୭୦, ଦଫା ୩୦୩ (୨) ବିଏନଏସରେ ମାମଲା ରୁଜୁ ହୋଇଛି। ତଦନ୍ତ ସମୟରେ ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ପଚରାଉଚରା ସମୟରେ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ସାଇକେଲ ଚୋରି କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ପ୍ରାୟ ୩ ମାସ ମଧ୍ୟରେ ସେ ପାରଳାଖେମୁଣ୍ଡି ସହରରୁ ପ୍ରାୟ ୫୦ ଟି ସାଇକେଲ ଚୋରି କରିଥିବା ଅଭିଯୋଗ ରହିଛି ଏବଂ ସେଥିମଧ୍ୟରୁ ଅନେକ ସାଇକେଲ ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ଚୋରି ସାଇକେଲ ଉଦ୍ଧାର କରାଯାଇଛି ଏବଂ ଅବଶିଷ୍ଟ ଚୋରି ସାଇକେଲ ଗୁଡ଼ିକୁ ଠାବ ଓ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାର ସଫଳ ତଦନ୍ତ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଚୋରି ସାଇକେଲ ଉଦ୍ଧାର କାର୍ଯ୍ୟରେ ପାରଳାଖେମୁଣ୍ଡି ଥାନାର ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗା , ଏ.ଏସ୍.ଆଇ. କମଳାକାନ୍ତ ସାହୁ ଓ ହାବିଲଦାର ପୂର୍ଣ୍ଣଚନ୍ଦ୍ର ମିଶାଲ ସକ୍ରିୟ ଭାବେ କାର୍ଯ୍ୟ କରିଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ପ୍ରଦାନ କରିଛନ୍ତି।
ସିୟୁଟିଏମ ତରଫରୁ
ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’
ପାରଳାଖେମୁଣ୍ଡି, 11/9(ତାରିଣୀ ପ୍ରସାଦ ପଣ୍ଡା):
ସ୍ଥାୟୀ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପ୍ରଣାଳୀ ଆପଣାଇବାକୁ ଚାଷୀଙ୍କୁ ବ୍ୟାପକ ଆହ୍ୱାନ ଦେଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାରଧାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିୟୁଟିଏମ ଦ୍ଵାରା ‘ମିନି କୃଷି ମେଳା’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି. ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM) ର ଏମ୍. ଏସ୍. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟର ଚତୁର୍ଥ ବର୍ଷର କୃଷି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ରାୱେ’ କାର୍ଯ୍ୟକ୍ରମ ଅଧୀନରେ ଏହି ବିଶେଷ ପ୍ରଦର୍ଶନୀ ଓ କୃଷକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଗ୍ରାମୀଣ ଚାଷୀ, କୃଷି ବିଜ୍ଞାନୀ, ସରକାରୀ ପ୍ରଶାସନିକ ଅଧିକାରୀ ଏବଂ କୃଷି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି କରି ଆଧୁନିକ ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ କୃଷି ପ୍ରଣାଳୀର ବ୍ୟାପକ ପ୍ରଚାର ପ୍ରସାର କରିବା।
ଗଜପତି ପୋଖରୀରେ ବୁଡି ଜଣେ ମୃତ
ପାରଳାଖେମୁଣ୍ଡି,11/9(ତାରିଣୀ ପ୍ରସାଦ ପଣ୍ଡା) :
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମରେ ଥିବା ଏକ ପୋଖରୀରେ ଜଣେ ବୁଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ମୃତ ବ୍ୟକ୍ତି ଜଣକ ସରୋଜ ପାଣିଗ୍ରାହୀ (60) ବୋଲି ଜଣାପଡିଛି । ସୂଚନା ପ୍ରକାରେ ସରୋଜ ପାଣିଗ୍ରାହୀ ପୋଖରୀକୁ ଯାଉଥିବାର କିଛି ଗ୍ରାମବାସୀ ଦେଖିଥିଲେ। ଏହାପରେ ତାଙ୍କର ଦେଖାନଥିଲା। ତେବେ ସେ କୌଣସି କାରଣରୁ ପୋଖରୀରେ ବୁଡି ଯାଇଥିଲେ ।

ଅପରାହ୍ନ ସମୟରେ ଆଉ କିଛି ଗ୍ରାମବାସୀ ପୋଖରୀରେ ଶବ ଭାସୁଥିବାର ଦେଖିଥିଲେ। ଏହାପରେ ଗାରାବନ୍ଧ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ କେ. ରବିକୁମାର ସଦଳବଳେ ପହଞ୍ଚି ଭାସୁଥିବା ଶବକୁ ଉଦ୍ଧାର କରି ଆଣିଥିଲେ । ଏନେଇ ଗାରାବନ୍ଧ ଥାନାରେ 7/26ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଅମର ମିଶ୍ର ସୂଚନା ଦେଇଛନ୍ତି ।











