Spread the love

ବୌଦ୍ଧ : ଏସ୍‌ଆଇଆର୍-୨୦୨୬ ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ..

ବୌଦ୍ଧ : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR-୨୦୨୬) ଅନ୍ତର୍ଗତ ଚାଲିଥିବା ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ତଦାରଖ ଓ ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଶାଶ୍ୱତ ପ୍ରଧାନ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ l
ପୂର୍ବାହ୍ନରେ ସେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଚାଲିଥିବା ଦାବି ଓ ଆପତ୍ତିର ଶୁଣାଣିରେ ୨୨୨ ଜଣ ଭୋଟର ଉପସ୍ଥିତ ଥିଲେ l ଶ୍ରୀ ପ୍ରଧାନ AERO-କମ୍- ଏବିଡିଓ, ହରଭଙ୍ଗାଙ୍କ ସହ ଆଲୋଚନା କରିବା ସହିତ ଉପସ୍ଥିତ ଭୋଟରମାନଙ୍କ ସହ ମଧ୍ୟ ମତବିନିମୟ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ସେ ବୌଦ୍ଧ ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l ସେଠାରେ AERO-କମ୍-ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶୁଣାଣି ଚାଲିଥିବା ବେଳେ ୧୬୧ ଜଣ ଭୋଟର ଉପସ୍ଥିତ ରହିଥିଲେ l ଏହାପରେ ଶ୍ରୀ ପ୍ରଧାନ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରିଥିଲେ l ସେଠାରେ ପ୍ରାୟ ୨୦୦ ଜଣ ଭୋଟର ଦାବି ଓ ଆପତ୍ତିର ଶୁଣାଣି ପାଇଁ ଉପସ୍ଥିତ ଥିଲେ l AERO-କମ୍- ତହସିଲଦାର, ବୌଦ୍ଧ ସେହି ଦିନର ସମସ୍ତ ଶୁଣାଣିର ସଫଳ ନିଷ୍ପତ୍ତି କରିଥିଲେ l ଶ୍ରୀ ପ୍ରଧାନ ସ୍ୱୟଂ ଉପସ୍ଥିତି ଲିଷ୍ଟ ଯାଞ୍ଚ କରିବା ସହ ଭୋଟରମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବଶ୍ୟକ ଦଲିଲପତ୍ରର ମଧ୍ୟ ଦେଖିଥିଲେ l
ଅପରାହ୍ନରେ ERO-କମ୍-ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଅନିରୁଦ୍ଧ ପଧାନଙ୍କ ସଭାପତିତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା l ବୈଠକରେ ERO-କମ୍- ଉପଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ ମଧ୍ୟ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ମନସିତ ସ୍ୱରୂପ (ନିର୍ବାଚନ) ଜିଲ୍ଲାରେ ଚାଲିଥିବା SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ l ବୈଠକରେ ଶ୍ରୀ ପ୍ରଧାନ ସମସ୍ତ AEROମାନଙ୍କୁ ଭୋଟରମାନଙ୍କ ନିକଟରେ ନୋଟିସ ବିତରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ l ସେ BLOମାନଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ମୂଳସ୍ତରର କର୍ମୀ ଭାବେ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଆହ୍ୱାନ କରିଥିଲେ l ବୈଠକ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ l ଏହି ଅବସରରେ ସମସ୍ତ ଦାବି ଓ ଆପତ୍ତିର ଶୁଣାଣିକୁ ସମୟସୀମା ମଧ୍ୟରେ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ଆସନ୍ତା ୦୬ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାରୁ ସମସ୍ତ କାର୍ଯ୍ୟକୁ ସଠିକ୍ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ CEO କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

Leave a Reply

Your email address will not be published. Required fields are marked *