ଗଜପତି ଜିଲ୍ଲାର //ପକ୍କା ରାସ୍ତା ନିର୍ମାଣ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ ,ରଥଯାତ୍ରା ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଓ ମୋହନା ବୁଢ଼ୀ ମା’ ଠାକୁରାଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଓ ବିଭିନ୍ନ ସାମଗ୍ରୀ ଚୋରୀ

Spread the love

ରଥଯାତ୍ରା ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, 26/7(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ଠାରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସ୍ଥାନୀୟ କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ସେବନ କରିଥିଲେ।
ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭକ୍ତମାନଙ୍କ ସହ ମହାପ୍ରସାଦ ସେବନ କରିବା ସହ ଆୟୋଜକମାନଙ୍କ ସେବାଭାବକୁ ପ୍ରଶଂସା କରିଥିଲେ। ସେହିପରି ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ବର୍ଷିତ ହେଉ ବୋଲି କାମନା କରିଥିଲେ।

କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ, ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ସ୍ୱେଚ୍ଛାସେବକମାନେ ଶୃଙ୍ଖଳିତ ଭାବରେ ପ୍ରସାଦ ବଣ୍ଟନ କରିଥିଲେ। ଭକ୍ତମାନଙ୍କ ପାଇଁ ସୁଚାରୁ ଭାବେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବାରୁ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା।
ରଥଯାତ୍ରାର ପବିତ୍ର ପରିବେଶରେ ଅନୁଷ୍ଠିତ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଭକ୍ତି, ସେବା ଓ ସାମାଜିକ ସଦ୍ଭାବର ଏକ ଉଜ୍ଜ୍ୱଳ ନିଦର୍ଶନ ପାଲଟିଥିଲା।
ମୋହନା ବୁଢ଼ୀ ମା’ ଠାକୁରାଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଓ ବିଭିନ୍ନ ସାମଗ୍ରୀ ଚୋରୀ
ପାରଳାଖେମୁଣ୍ଡି, 26/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଥିବା ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ମାଙ୍କ ମୁକୁଟ ସହ କେତେକ ସାମଗ୍ରୀ ଚୋରୀ କରି ଚମ୍ପଟ ମାରିଛି । ମା’ଙ୍କର ସେବକ ତଥା ପୂଜକ ଦୀପକ ମାଝୀ(୨୫) ଜଣାଇଛନ୍ତିଯେ, ପୂଜାର୍ଚ୍ଚନା ସାରି ଘରକୁ ଫେରିଥିଲେ । ପରେ ସକାଳ ୬ଟାରେ ପୂଜା କରିବାକୁ ଯାଇ ଦେଖିବା ବେଳେ ଫାଟକର ଚାବି ଭାଙ୍ଗି ଚୋର ମା’ଙ୍କର ପିତଳର ବଡ଼ କିରିଟି, ସାନ ମୁକୁଟ, ଘଣ୍ଟ, ଢ଼ାଳ, ଥାଳି ଆଦି ସାମଗ୍ରୀ ଚୋରୀ କରି ନେଇଯାଇଛି। ଘଟଣା ସଂପର୍କରେ ସେ ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ରଙ୍କୁ ଖବର ଦେଇଥିଲେ ।

ଖବର ପାଇ ଶ୍ରୀ ପାତ୍ର ପହଞ୍ଚିବା ପରେ ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏନେଇ ମୋହନା ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.

ଗଜପତି : ପକ୍କା ରାସ୍ତା ନିର୍ମାଣ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ
ପାରଳାଖେମୁଣ୍ଡି,26/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡା ପଞ୍ଚାୟତର ଲୋବାଗୁଡା, ଗମାଙ୍ଗଗୁଡା, ସେଣ୍ଡାରୀଗୁଡା ଏବଂ କୋଣ୍ଡୁରୁଗୁଡା ଆଦି 4 ଗୋଟି ଗ୍ରାମର ଗ୍ରାମବାସୀମାନେ ବିଗତ 10 ବର୍ଷ ଧରି ପକ୍କା ରାସ୍ତା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି. ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ଅନେକ ଥର ନିବେଦନ କରି ଆସୁଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ. ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି 4 ଗୋଟି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନିର୍ମାଣ କରାନଗଲେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ବାଧ୍ୟ ହେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି. ଗ୍ରାମବାସୀମାନେ ଜଣାଇଛନ୍ତିଯେ ରାସ୍ତା ନଥିବାରୁ ସେମାନଙ୍କ ଦୈନନ୍ଦିନ ଜୀବନରେ ବହୁ ସମସ୍ୟା ଦେଖାଦେଇଛି। ହଠାତ କେହି ଅସୁସ୍ଥ ହେଲେ ତାଙ୍କୁ ହସ୍ପିଟାଲକୁ ନେବା, ପିଲାମାନଙ୍କୁ ସ୍କୁଲ ପଠାଇବା ଏବଂ ଚାଷଜାତ ସାମଗ୍ରୀ ବଜାରକୁ ନେବା ପାଇଁ ଗ୍ରାମବାସୀଙ୍କୁ କିଲୋମିଟର କିଲୋମିଟର ପାଦରେ ଚାଲିବାକୁ ପଡୁଛି। ବିଶେଷକରି ବର୍ଷା ଦିନରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ 10 ବର୍ଷ ଧରି ସେମାନେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ କ୍ଷୁବ୍ଧ ଗ୍ରାମବାସୀ ସରକାର ଏବଂ ପ୍ରଶାସନକୁ ଶେଷ ଚେତାବନୀ ଦେଇ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ପକ୍କା ରାସ୍ତା ନିର୍ମାଣ କାମ ଆରମ୍ଭ ନ ହୁଏ, ତେବେ ଚାରି ଗାଁର 500ରୁ ଅଧିକ ପରିବାର ସାମୂହିକ ଭାବେ ଭୋଟ ବର୍ଜନ କରିବେ।

Leave a Reply

Your email address will not be published. Required fields are marked *