Spread the love

ଐତିହାସିକ ସଂସ୍କାର ମାଧ୍ୟମରେ ଶିଳ୍ପାୟନକୁ ନୂଆ ଗତି: ବ୍ୟବସାୟ କରିବାର ସୁଗମତା ବୃଦ୍ଧି ଦିଗରେ ଇଡିକୋର ବଡ଼ ପଦକ୍ଷେପ

ଶିଳ୍ପ ସଂସ୍ଥାମାନଙ୍କ ସହ ଉଚ୍ଚସ୍ତରୀୟ ହିତାଧିକାରୀ ବୈଠକ: ଶିଳ୍ପ ଭିତ୍ତିଭୂମି, ସେବା ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫ ଜୁଲାଇ: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତା (Ease of Doing Business)କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ପକ୍ଷରୁ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ଇଡ୍କୋ ପରିସରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, ଏମ୍‌ଏସ୍‌ଏମ୍‌ଇ ସଂଗଠନ ଏବଂ ଆଞ୍ଚଳିକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ, ଜଳଯୋଗାଣ, ଲଜିଷ୍ଟିକ୍ସ ଏବଂ ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରିଥିଲେ । ଶିଳ୍ପ ସଂସ୍ଥାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଶିଳ୍ପ ସଂସ୍ଥାମାନଙ୍କ ସହ ନିୟମିତ ଆଲୋଚନା , ସ୍ୱଚ୍ଛ ପ୍ରଶାସନ ଏବଂ ଦ୍ରୁତ ସମସ୍ୟା ସମାଧାନ ହିଁ ଇଡିକୋର ପ୍ରମୁଖ ପ୍ରାଥମିକତା । ଏହା ମାଧ୍ୟମରେ ରାଜ୍ୟରେ ଅଧିକ ନିବେଶ ଆକର୍ଷଣ ସହ ଏକ ପ୍ରତିଯୋଗିତାମୂଳକ ଶିଳ୍ପ ପରିବେଶ ସୃଷ୍ଟି ହେବ ।

ଗତ ଦୁଇ ବର୍ଷ ମଧ୍ୟରେ ଇଡିକୋ ପ୍ରାୟ ୬ ହଜାର ଏକର ଜମିକୁ ଶିଳ୍ପ ଭୂମି ବ୍ୟାଙ୍କରେ ସାମିଲ କରିଥିବା ବେଳେ ୬,୦୨୭ ଏକର ଜମି ବୃହତ୍ ଓ ମଧ୍ୟମ ଶିଳ୍ପ ପାଇଁ ହସ୍ତାନ୍ତର କରିଛି । ଏହାସହ ୯୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଜମି ଆବଣ୍ଟନ କରାଯାଇଛି । ରାଜ୍ୟରେ ୩୦ଟି ମଲ୍ଟି-ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇ hପାର୍କ ସହ ଇଲେକ୍ଟ୍ରୋନିକ୍ସ, ବୟନ, ପ୍ଲାଷ୍ଟିକ୍, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆଲୁମିନିୟମ୍ ଭିତ୍ତିକ ଶିଳ୍ପ ପାଇଁ ସ୍ୱତନ୍ତ୍ର ପାର୍କ ଗଢ଼ି ଉଠିଛି ।

ବର୍ତ୍ତମାନ ₹୩,୫୦୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ୧୪୭ଟି ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆଇଆଇଡିଏଫ୍ ଏବଂ ସାସ୍‌ସି ଯୋଜନାରେ ₹୧,୮୭୦ କୋଟିରୁ ଅଧିକ ଅର୍ଥ ବ୍ୟୟର ୧୧୭ଟି ନୂତନ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି । ଇଡିକୋ ବର୍ତ୍ତମାନ ପ୍ରାୟ ୧୫୦ଟି ଶିଳ୍ପାଞ୍ଚଳ, ଶିଳ୍ପ ଇଷ୍ଟେଟ୍ ଓ ଏମ୍‌ଏସ୍‌ଏମ୍‌ଇ ପାର୍କ ପରିଚାଳନା କରୁଛି, ଯେଉଁଠାରେ ୬,୬୬୧ଟି ଶିଳ୍ପ ୟୁନିଟ୍ କାର୍ଯ୍ୟରତ ଅଛି ।

ଶିଳ୍ପ କ୍ଷେତ୍ରରେ ଅନୁମୋଦନ ପ୍ରକ୍ରିୟାକୁ ସହଜ ଓ ଶୀଘ୍ର କରିବା ପାଇଁ ଇଡିକୋ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛି । ଶିଳ୍ପ ଭବନ, ଫ୍ଲାଟେଡ୍ ଫ୍ୟାକ୍ଟରୀ ଓ ଆଇଟି/ଆଇଟିଇଏସ୍ ପ୍ରତିଷ୍ଠାନ ପାଇଁ ଭୂମି ଆବରଣ ସୀମା ହଟାଯାଇଥିବା ବେଳେ ଟିଡିଆର୍ ପ୍ରମାଣପତ୍ର ବିନା ସମ୍ପୂର୍ଣ୍ଣ ଏଫ୍‌ଏଆର୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଶିଳ୍ପ ସଂଗଠନମାନଙ୍କୁ ନିର୍ଦ୍ଧିଷ୍ଟ ମାନର ଭବନ ନକ୍ସା ପୂର୍ବରୁ ଅନୁମୋଦନ ପାଇଁ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମର୍ଗେଜ୍ ଏନ୍‌ଓସି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରାଯାଉଥିବା ବେଳେ ଶିଳ୍ପ ଭୂମି ବ୍ୟାଙ୍କର ସମସ୍ତ ତଥ୍ୟ ସହ ଏକ ସାର୍ବଜନିକ ଡିଜିଟାଲ୍ ପୋର୍ଟାଲ୍ ପ୍ରସ୍ତୁତ କରାଯାଉଛି । ଜମି ଆବଣ୍ଟନ ଅନୁମୋଦନ ପରେ ଏକ ମାସ ମଧ୍ୟରେ ଲିଜ୍ ଓ ଦଖଲ ପ୍ରଦାନ ସମ୍ପୂର୍ଣ୍ଣ କରିବାକୁ ଇଡିକୋ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ବୈଠକରେ ଶିଳ୍ପାଞ୍ଚଳରେ ଜଳଯୋଗାଣ, ବିଦ୍ୟୁତ, ଡ୍ରେନେଜ୍, ଯାତାୟାତ, ପାର୍କିଂ ଏବଂ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଜଳଯୋଗାଣ ସ୍ୱାଭାବିକ ହୋଇଥିବା ବେଳେ ଇନ୍‌ଫୋସିଟିରେ ବହୁସ୍ତରୀୟ ପାର୍କିଂ ପ୍ରକଳ୍ପ ଏବଂ ସାତଟି ପ୍ରମୁଖ ଶିଳ୍ପାଞ୍ଚଳରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଚାଲିଥିବା ସୂଚନା ଦିଆଯାଇଥିଲା ।

ଏହି ବୈଠକରେ ୟୁସିସିଆଇ, ସିଆଇଆଇ, ଫିକି, ଆସୋଚାମ୍, ଆଇସିସି, ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଭୁବନେଶ୍ୱର, ଫିଓ, ନାସକମ୍ ସମେତ ବିଭିନ୍ନ ଶିଳ୍ପ ଓ ବାଣିଜ୍ୟ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ ।

ବୈଠକ ଶେଷରେ ଶିଳ୍ପ ସଂଗଠନ ଏବଂ ଇଡିକୋ ମଧ୍ୟରେ ନିୟମିତ ଆଲୋଚନାକୁ ଅଧିକ ସୁଦୃଢ଼ କରିବା, ଶିଳ୍ପ ଭିତ୍ତିଭୂମିର ଦ୍ରୁତ ବିକାଶ ଏବଂ ପ୍ରଶାସନିକ ପ୍ରକ୍ରିୟାର ସରଳୀକରଣ ମାଧ୍ୟମରେ ଓଡ଼ିଶାକୁ ଦେଶର ଅଗ୍ରଣୀ ନିବେଶ ଗନ୍ତବ୍ୟରେ ପରିଣତ କରିବାକୁ ସମସ୍ତେ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ ।
………..

Leave a Reply

Your email address will not be published. Required fields are marked *