‘ନବୀନ’ର ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ଉଦଘାଟିତ
ବ୍ରହ୍ମପୁର,22/7 : ଦର୍ଶନ ସମୀକ୍ଷା
ବ୍ରହ୍ମପୁରରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ସର୍ବପୁରାତନ ସମ୍ୱାଦପତ୍ର ସାପ୍ତାହିକ ‘ନବୀନ’ର ମହାନଗର ଶାଖା କାର୍ଯ୍ୟାଳୟ ବୁଧବାର ସ୍ଥାନୀୟ ଟେଲିଫୋନ ଭବନ ପାର୍ଶ୍ଵ ନୀଳକଣ୍ଡ ବିଷୋୟୀ ଲେନ୍ ଠାରେ ଉଦଘାଟିତ ହୋଇଯାଇଛି।
‘ନବୀନ’ର ସମ୍ପାଦକ ରବି ରଥ ଏହି କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ‘ନବୀନ’ ସବୁବେଳେ ସାଧାରଣ ଜନତାଙ୍କ ସ୍ଵର ଭାବରେ ନିଜର ଭୂମିକା ତୁଲାଇ ଆସୁଛି ବୋଲି କହିଥିଲେ । ‘ନବୀନ’ର ବ୍ରହ୍ମପୁର ସହର ପ୍ରତିନିଧି ରାମକୃଷ୍ଣ ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ଼. ବାୟାମନୁ ଚର୍ଚ୍ଚି ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ଵାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ନବୀନର ଅବଦାନ ଅତୂଳନୀୟ ବୋଲି କହିଥିଲେ ।
ଏଥିରେ ସମ୍ମାନିତ ଅତିଥି ରୂପେ ଭୁବନେଶ୍ଵରରୁ ପ୍ରକାଶ ପାଉଥିବା ସ୍ଵତନ୍ତ୍ର ବାର୍ତ୍ତାର ସମ୍ପାଦକ ଜେ୍ୟାତି ରଂଜନ ମହାପାତ୍ର ନବୀନର ଇତିହାସକୁ ଦୋହରାଇବା ସହ ପତ୍ରିକା ଶତବାର୍ଷିକୀ ପାଳନ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୀନକେତନ ଜେନା, ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର, ଆମ୍ ଆଦମୀ ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, କବି ବଂଶୀଧର ସେଠୀ, ସମାଜସେବୀ କିଶୋର ଚନ୍ଦ୍ର ପାତ୍ର, ଆଶିଷ ଜେନା, ପବିତ୍ର କୁମାର ଚୌଧୁରୀ, ମାନସ ରଂଜନ ତ୍ରିପାଠୀ, ସିଏଚ୍ ମୋହନ ରାଓ, ସୁଶାନ୍ତ କର, ଆଇନଜୀବୀ ରାଜ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନବୀନର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ । ଶେଷରେ ‘ନବୀନ’ର ବ୍ରହ୍ମପୁର ସହର ପ୍ରତିନିଧି ରାମକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।












Leave a Reply