Spread the love

ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ଏପ୍ରିଲ-ମେ’ରେ ହୋଇପାରେ ଭୋଟ୍
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ (SEC) ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜାତୀୟ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସରେ ଉଭୟ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ଶନିବାର ଦିନ ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି।

ସଚିବଙ୍କ ସୂଚନା ଅନୁଯାୟୀ, ଜନଗଣନା ଶେଷ ହେବା ପରେ ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଯୋଜନା ରହିଛି। ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ଗୁଡ଼ିକରେ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କମିଶନ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଆସନ୍ତା ଅକ୍ଟୋବର ମାସରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ। କମିଶନ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଏକାସାଙ୍ଗରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି। ପୌର ନିର୍ବାଚନ ପାଇଁ ବର୍ତ୍ତମାନ କମିଶନଙ୍କ ପାଖରେ ପ୍ରାୟ ୧୨,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ମହଜୁଦ୍ ଥିବାବେଳେ ଅତିରିକ୍ତ ୬,୦୦୦ ମେସିନ୍ ପାଇଁ ଅର୍ଡର ଦିଆଯାଇଛି। ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହେବା ପରେ ଘରକୁ ଘର ବୁଲି ସର୍ଭେ କରାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ଶୃଙ୍ଖଳିତ ଭୋଟଦାନ ପାଇଁ ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ପୋଲିଂ ବୁଥ୍ ରହିବ। ଏହା ସହିତ ଇଭିଏମ୍ ପାଇଁ ବାଲଟ୍ ପେପର ସଂଗ୍ରହ ଏବଂ ନିର୍ବାଚନ ଡ୍ୟୁଟି ପାଇଁ ଗାଡ଼ି ଭଡ଼ାରେ ନେବା ଭଳି ଲଜିଷ୍ଟିକ୍ ପ୍ରସ୍ତୁତି ମଧ୍ୟ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *