ରଥଯାତ୍ରାରେ ହୋଟେଲ ମାଲିକଙ୍କ ମନମାନି: ଶୋଷଣର ଶିକାର ଗରିବ ଓ ମଧ୍ୟବିତ୍ତ ଶ୍ରଦ୍ଧାଳୁ, ରାସ୍ତା କଡ଼ରେ କଟୁଛି ରାତି ୧୮ ହଜାରରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦାବି କରାଯାଉଛି।

Spread the love

ରଥଯାତ୍ରାରେ ହୋଟେଲ ମାଲିକଙ୍କ ମନମାନି: ଶୋଷଣର ଶିକାର ଗରିବ ଓ ମଧ୍ୟବିତ୍ତ ଶ୍ରଦ୍ଧାଳୁ, ରାସ୍ତା କଡ଼ରେ କଟୁଛି ରାତି
​ପୁରୀ, : ଦର୍ଶନ ସମୀକ୍ଷା

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଏବେ ଜନସମୁଦ୍ରରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ହେଲେ ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କେତେକ ହୋଟେଲ ବ୍ୟବସାୟୀଙ୍କ ଅମାନୁଷିକ ମନମାନି ଓ ଶୋଷଣ ଯୋଗୁଁ ସାଧାରଣ ଗରିବ ଏବଂ ମଧ୍ୟବିତ୍ତ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
​୪ ଗୁଣା ଭଡ଼ା: ସମୁଦ୍ର କୂଳ ଓ ରାସ୍ତା କଡ଼ ସାଜିଛି ଆଶ୍ରୟସ୍ଥଳୀ
​ଅଭିଯୋଗ ଅନୁଯାୟୀ, ରଥଯାତ୍ରାର ସୁଯୋଗ ନେଇ ପୁରୀର ବିଭିନ୍ନ ହୋଟେଲରେ ସାଧାରଣ ଦରଠାରୁ ପ୍ରାୟ ୪ ଗୁଣା ଅଧିକ ଭଡ଼ା ଆଦାୟ କରାଯାଉଛି। ୩ ଦିନ ପାଇଁ ରୁମ୍ ବୁକିଂ ବାଧ୍ୟତାମୂଳକ କରାଯାଇ ଛୋଟ ଛୋଟ ହୋଟେଲଗୁଡ଼ିକରେ ମଧ୍ୟ ୧୮ ହଜାରରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦାବି କରାଯାଉଛି। ମାତ୍ର ଗୋଟିଏ ଦିନ ପାଇଁ ଆସୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରଦ୍ଧାଳୁମାନେ ଏତେ ଅଧିକ ଅର୍ଥ ଦେବାକୁ ଅସମର୍ଥ ହୋଇ ଶେଷରେ ରାସ୍ତା କଡ଼, ବଡ଼ଦାଣ୍ଡ ଏବଂ ସମୁଦ୍ର କୂଳରେ ଖୋଲା ଆକାଶ ତଳେ ରାତି ବିତାଇବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ବିଲ୍ଡିଂର ଛାତ ଉପରେ ବସି ରଥଯାତ୍ରା ଦେଖାଇବା ନାଁରେ କିଛି ଲୋକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଯାହା ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ।
​ବର୍ଷା ଦାଉ ଓ ଧର୍ମଶାଳାର ଅଭାବ
​ଚଳିତ ବର୍ଷ ରଥଯାତ୍ରା ପୂର୍ବ ଦିନରୁ ପ୍ରବଳ ବର୍ଷା ଯୋଗୁଁ ଯାତ୍ରୀଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି। ଆଜି ରାତିରେ ମଧ୍ୟ ବୁନ୍ଦା ବୁନ୍ଦା ବର୍ଷା ଆରମ୍ଭ ହେବାରୁ ଭକ୍ତମାନେ ଆତ୍ମରକ୍ଷା ପାଇଁ ପ୍ଲାଷ୍ଟିକ ଜରି କିଣୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଗରିବ ଯାତ୍ରୀଙ୍କ ପାଇଁ ସସ୍ତା ଧର୍ମଶାଳା ବ୍ୟବସ୍ଥା ଥିବାବେଳେ, ଏବେ ସେହି ସରକାରୀ ଧର୍ମଶାଳାଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଓ ଥାନା ଚାଲିଛି। ଫଳରେ ସାଧାରଣ ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉନାହାନ୍ତି।
​ଭିଆଇପିଙ୍କୁ ମାଗଣା ଟେଣ୍ଟ, ଗରିବଙ୍କୁ ଅଣଦେଖା
​ଅପରପକ୍ଷରେ, ଉଚ୍ଚ ପଦାଧିକାରୀ ଓ ଭିଆଇପିଙ୍କ ପାଇଁ ସରକାରୀ ଅର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାଗଣା ଟେଣ୍ଟ, ରହିବା ଓ ଖାଇବାର ସବୁ ସୁବିଧା କରାଯାଇଛି। ମନ୍ଦିର ସମ୍ମୁଖରେ ପରିବାର ସହ ବସି ରଥଯାତ୍ରା ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗତ କଂଗ୍ରେସ ଅମଳରୁ ଚାଲିଆସୁଥିବା ଏହି ଅବ୍ୟବସ୍ଥା ବର୍ତ୍ତମାନର ସରକାରଙ୍କ ସମୟରେ ମଧ୍ୟ ଜାରି ରହିଛି। ବିଭିନ୍ନ ମହଲରୁ ସମାଲୋଚନା ସତ୍ତ୍ୱେ ବର୍ତ୍ତମାନର ସରକାର ଏହି ସାମନ୍ତବାଦୀ ଓ ଭିଆଇପି ସଂସ୍କୃତିକୁ ବନ୍ଦ କରିବାକୁ ସାହସ କରୁନାହାନ୍ତି।
​ଟ୍ରେନ୍ ଓ ବସ୍ ଅଭାବରୁ ବଡ଼ଦାଣ୍ଡରେ ଯାତ୍ରୀ
​ଆଜି ଅପରାହ୍ନ ସୁଦ୍ଧା ତିନୋଟି ଯାକ ରଥ ଶ୍ରୀମନ୍ଦିରରୁ ପ୍ରାୟ ୩ କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଛି। ରଥ ପହଞ୍ଚିବା ପରେ ହଜାର ହଜାର ଯାତ୍ରୀ ଘରକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଟ୍ରେନ୍ ବା ବସ୍ ସେବା ମିଳିପାରିନାହିଁ। ଫଳରେ ବହୁ ସଂଖ୍ୟକ ଭକ୍ତ ବଡ଼ଦାଣ୍ଡରେ ଆଶ୍ରୟ ନେଇଛନ୍ତି।
​റെଳବାଇର ପ୍ରଶଂସନୀୟ ପଦକ୍ଷେପ:
ରେଳ ମନ୍ତ୍ରୀଙ୍କ ପ୍ରୟାସ କ୍ରମେ ଗତ ବର୍ଷ ୨୦ ହଜାର ଏବଂ ଏହି ବର୍ଷ ପ୍ରାୟ ୩୦ ହଜାର ଯାତ୍ରୀଙ୍କ ଆଶ୍ରୟ ନେବା ପାଇଁ ପୁରୀ ରେଳ ଷ୍ଟେସନରେ ବ୍ୟବସ୍ଥା କରାଯାଇଛି, ଯାହା ଯାତ୍ରୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ହେଲେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଟେଲ ମାଲିକଙ୍କ ଏଭଳି ଲୁଟ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଭଳି ଦୁର୍ଦ୍ଦଶା କାରଣରୁ ପୁରୀକୁ ଆସୁଥିବା ଭକ୍ତମାନେ ଆଗାମୀ ଦିନରେ ଏଠାକୁ ଆସିବା ପୂର୍ବରୁ ବାରମ୍ବାର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି।

Leave a Reply

Your email address will not be published. Required fields are marked *