ବୌଦ୍ଧ : ସଫଳ ରଥଯାତ୍ରା ପରିଚାଳନା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ସମୟସୂଚୀ ଅନୁସାରେ ସମସ୍ତ କାର୍ଯ୍ୟ ସଂପାଦନ ପାଇଁ ନିଷ୍ପତ୍ତି..
ବୌଦ୍ଧ :କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ମୁଖ୍ୟାଳୟସ୍ଥ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଏସ୍.ଡି.ପି.ଓ ଲରେନ୍ସ ରାଉତରାୟ, ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀ, ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ, ବିଭିନ୍ନ ନିଯୋଗର ସେବକ, ମନ୍ଦିର ପରିଚାଳନା କମିଟି ଏବଂ ରଥଯାତ୍ରା କମିଟିର ସଦସ୍ୟମାନେ ଉପସ୍ଥିତ ରହି ରଥଯାତ୍ରାର ସୁପରିଚାଳନା ସମ୍ପର୍କରେ ନିଜ ନିଜର ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ l ବୈଠକରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତିକୁ ଶାସ୍ତ୍ରୋକ୍ତ ରୀତିନୀତି ଅନୁଯାୟୀ ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସହ ଭକ୍ତମାନଙ୍କ ସୁବିଧା, ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ, ପରିମଳ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ବିଦ୍ୟୁତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l
ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ସମ୍ପନ୍ନ କରାଯିବ l ଅପରାହ୍ନ ୪ଟା ସୁଦ୍ଧା ବିଗ୍ରହମାନଙ୍କ ରଥାରୋହଣ ସମାପ୍ତ ହେବ। ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଶିଶୁମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ସନ୍ଧ୍ୟା ୫ ଟାରୁ ରଥଟଣା ଆରମ୍ଭ କରାଯିବ ଏବଂ ରଥକୁ ଶୀଘ୍ର ମାଉସୀମା ମନ୍ଦିରରେ ପହଞ୍ଚାଇବା ପାଇଁ ସମସ୍ତ ବିଭାଗ ଓ ସେବାୟତମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା l
ଅତିରିକ୍ତ ଜିଲ୍ଲାପାଳ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ, ପୁଲିସ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସେବାୟତ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ପାରସ୍ପରିକ ସମନ୍ୱୟ ରକ୍ଷା କରି ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ l












Leave a Reply