ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ବିଭିନ୍ନ ସ୍କୁଲର ଯୁବ ଭାରତୀୟଙ୍କ ଯୋଗଦାନ
ଶିକ୍ଷା ପରିଦର୍ଶନ କାର୍ଯ୍ୟକ୍ରମରେ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହେଲେ
ଭୁବନେଶ୍ୱର, ୧୫/୦୭/୨୦୨୪ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟଙ୍କୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶା ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିବା ପାଇଁ ଶିକ୍ଷା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ୮ଟି ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଯୋଗଦେଇ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଓଡ଼ିଶା ବିଧାନସଭାର ଏକ ଗୌରବମୟ ଐତିହ୍ୟ ଓ ପରମ୍ପରା ରହିଛି । ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ଏହାର ଗରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ
କର୍ତ୍ତବ୍ୟ । ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ୍ୟକ୍ରମରେ ବିଧାନସଭା ଓ ସଂସଦର କାର୍ଯ୍ୟ, ଧାରା ଓ ପରିସର ସମ୍ପର୍କିତ ଜ୍ଞାନ ଆହରଣ କରୁଥିଲେ ମଧ୍ୟ ଏଭଳି ଶିକ୍ଷାବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ବିଷଦ ଭାବେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ।
ଆଜିର ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାମିଲ ହୋଇ ଦେଶ ଓ ଜାତି ଗଠନରେ ଅବଦାନ ରଖିବା ପାଇଁ ସ୍ୱତସ୍ପୁର୍ତ୍ତ ଭାବେ ଆଗେଇ ଆସିବା ଉଚିତ । ନିଜକୁ ଜଣେ ଜଣେ ସୁନାଗରିକ ଭାବେ ପରିବର୍ତ୍ତନ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସମୃଦ୍ଧ ଓ ଗରୀୟାନ୍ କରିବା କ୍ଷେତ୍ରରେ ଯୋଗଦାନ ଦେବା ଉଚିତ । ତା’ହେଲେ ଯାଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଧାନସଭାର କାର୍ଯ୍ୟଧାରା ଓ କାର୍ଯ୍ୟକଳାପ ଓ ଏହାର ବ୍ୟାପକ ପରିସର ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ଅବସରରେ ବିଧାନସଭାର ମୁଖ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ ବରିଷ୍ଠ ଗବେଷଣା ଅଧିକାରୀ ଶ୍ରୀ ପ୍ରଦୀପ କୁମାର କୁଲୁ, ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ଶ୍ରୀ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ମଦର୍ସ ପବ୍ଲିକ୍ ସ୍କୁଲ, ଡିପିଏସ୍ କଳିଙ୍ଗ, ଓଡ଼ିଏମ୍ ପବ୍ଲିକ୍ ସ୍କୁଲ, ନୁ୍ୟ ଷ୍ଟୁ୍ୟଆର୍ଟ ସ୍କୁଲ, ନାଳନ୍ଦା ପବ୍ଲିକ୍ ସ୍କୁଲ, ଡିପିଏସ୍ ଢେଙ୍କାନାଳ, କେଟି ଗ୍ଲୋବାଲ ସ୍କୁଲ ଓ ଲୟୋଲା ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
ବିଭୂତିନାୟକ
ସୂଚନା ଅଧିକାରୀ












Leave a Reply