ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ପ୍ରାକ୍ତନ
ସଭାପତି ମନ୍ମଥ ପାଢ଼ୀଙ୍କ ବିୟୋଗରେ
କଳିଙ୍ଗ ସାହିତ୍ୟ ସମାଜର ଶୋକ
ବ୍ରହ୍ମପୁର, ୨୫l0୨ : (ଦର୍ଶନ ସମୀକ୍ଷା) ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖାର ପ୍ରାକ୍ତନ ସଭାପତି ମନ୍ମଥ ପାଢ଼ୀଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି l ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ l ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା l ଏହି ଖବର ପ୍ରଚାରିତ ହେବା ମାତ୍ରେ ଓଡ଼ିଆ ଭାଷାପ୍ରେମୀ ଓ ସାହିତ୍ୟିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l
କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ଆଶ୍ରମ ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l କଳିଙ୍ଗ ସାହିତ୍ୟ ସମାଜ ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ସ୍ବର୍ଗତ ପାଢ଼ୀଙ୍କ ସ୍ମୃତିଚାରଣ ପୂର୍ବକ ଦିବଂଗତ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଶୋକସଭାରେ ଡ. କୃଷ୍ଣପ୍ରସାଦ ମହାପାତ୍ର, ଅନୁପ କୁମାର ମିଶ୍ର, ଡ. କୁଳମଣି ଓଝା, ଡ. ରମେଶ ପ୍ରଧାନ, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ନଳିନୀକାନ୍ତ ଗୌଡ଼, ସୁଶାନ୍ତ କର, କପିଳ ଚନ୍ଦ୍ର ମହାନ୍ତି, ଦିନବନ୍ଧୁ ଶ୍ରୀପଲ୍ଲଵ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପାଢ଼ୀଙ୍କ ପରଲୋକଗତ ଆତ୍ମା ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସଂପାଦକ ଡ. ଶରତ କୁମାର ଜେନା ଓ ଡ. ହୃଷୀକେଶ ପଣ୍ଡା ଦିଲ୍ଲୀରେ ଥାଇ ଶୋକବ୍ୟକ୍ତ କରିବା ସଂଗେ ସଂଗେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l