ଅନ୍ୟ ସମ୍ପ୍ରଦାୟର ପରିବାରଙ୍କୁ ଚିକିତ୍ସା ସେବା ଯୋଗାଇବା ଯୋଗୁଁ ଗଜପତିରେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ, 5 ହଜାର ଟଙ୍କା ଜରିମାନା
ପାରଳାଖେମୁଣ୍ଡି, 9/7(ତାରିଣୀ ପ୍ରସାଦ ପଣ୍ଡା): ଭିନ୍ନ ସମ୍ପ୍ରଦାୟର ପରିବାରକୁ ଚିକିତ୍ସା ସେବା ଯୋଗାଇବାରୁ ଗଜପତିରେ ଆଶାକର୍ମୀଙ୍କୁ ସାମାଜିକ ବାସନ୍ଦ କରାଯିବା ସହ 5 ହଜାର ଟଙ୍କା ଜରିମାନା ଦଣ୍ଡ ବିଧାନ କରାଯାଇଥିବା ଅଭାବନୀୟ ଦୁଃଖଦ ଖବର ହସ୍ତଗତ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ସୁନନ୍ଦିନୀ ମିଶାଲ ଆଶାକର୍ମୀ ଭାବେ ସେଠାରେ କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆଶାକର୍ମୀଙ୍କ କାର୍ଯ୍ୟ ଅଟେ. ହେଲେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପନ୍ନରେ ଅନ୍ୟ ଏକ ଭିନ୍ନ ସମ୍ପ୍ରଦାୟ ପରିବାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା କରିବାକୁ ଯାଇ ନିଜ ସମ୍ପ୍ରଦାୟ ଦ୍ୱାରା ସାମାଜିକ ବାସନ୍ଦ ହେବା ସହ ଅର୍ଥ ଦଣ୍ଡ ଓ ବିଭିନ୍ନ ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି. ଗଜପତି ଜିଲ୍ଲାର ରାୟଗଡ଼ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ବାଧ୍ୟ ହୋଇ ଜିଲ୍ଲା ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି. ଗଜପତି ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଘଟଣା ନେଇ ଏସ୍ଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁନନ୍ଦିନୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଯେଉଁ ସାହିରେ ସେଠି ରହୁଥିବା ଭିନ୍ନ ସମ୍ପ୍ରଦାୟର ପରିବାରକୁ ସେ ଔଷଧ, ଇଞ୍ଜେକ୍ସନ୍ ଆଦି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ତେବେ ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସହ କାହିଁ କି କଥା ହେଉଛ, କାହିଁକି ସେମାନଙ୍କ ଘରକୁ ଯାଉଛି, କାହିଁକି ଫୋନ୍ରେ ଯୋଗାଯୋଗ କରୁଛ ବୋଲି କହି ୪ ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନେତୃତ୍ବରେ ସାହିର କିଛି ଲୋକ ତାଙ୍କୁ ବାସନ୍ଦ କରିଛନ୍ତି । ତାଙ୍କ ଉପରେ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଦିଆ ଯାଇଥିଲା. ଏଥିରେ ତାଙ୍କ ସ୍ବାମୀ ବିଜିଝିକଲ ମିଶାଲ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଦେବା ସତ୍ତ୍ୱେ ତାଙ୍କୁ କିମ୍ବା ସ୍ବାମୀଙ୍କୁ ଧାର୍ମିକ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରାଯାଉନି। ତାଙ୍କ ସହ କେହି କଥା ହେଉନାହାନ୍ତି କିମ୍ବା ସାହିର କୌଣସି କାର୍ଯ୍ୟକୁ ଡକଯାଉନି। ଓଲଟି ଚାକିରି ନେଇଯିବେ ବୋଲି ଧମକ ଦେଉଥିବା ସୁନନ୍ଦିନୀ ଅଭିଯୋଗ କରିଛନ୍ତି. ସମ୍ପୃକ୍ତ ଘଟଣା ନେଇ ଗଜପତି ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.
ଗଜପତିରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ
ପାରଳାଖେମୁଣ୍ଡି, 9/7(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ବ୍ଲକ କାର୍ଯ୍ୟାଳୟର ବରିଷ୍ଠକିରାଣି ରାଜେଶ କୁମାର ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକାଶ ଘଟାଇବା ଏହି ଶିବିରରେ ମୁଖ୍ୟ ଲକ୍ଷ୍ୟ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଶିବିରରେ ପ୍ରାୟ ୯୪ ଜଣଙ୍କ ପଞ୍ଜିକୃତ ହୋଇଥିବା ବେଳେ ଯୋଗଦେଇଥିବା ବେଳେ ଅସ୍ତିଶଲ୍ୟ ସମସ୍ୟାରେ 53 ଜଣ, ମାନସିକ ସମସ୍ୟାରେ 11ଜଣ, ନଶୁଭିବା ସମସ୍ୟାରେ 22 ଜଣ, ଚକ୍ଷୁ ସମସ୍ୟାରେ 8 ଜଣ ଚିହ୍ନଟ ହୋଇଥିଲେ । ଏହି ଅବସରରେ 3 ଜଣଙ୍କୁ ଡିଆରଆଇ ଋଣ ଏବଂ 9 ଜଣଙ୍କୁ ବସ ରିହାତି ଜନିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି 22 ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରିବା ଲାଗି ଚିହ୍ନଟ ହୋଇଛନ୍ତି.
ପାରଳା ପୋଲିସ ଦ୍ୱାରା ବେଆଇନ ଦେଶୀ ମଦ ଜବତ
ପାରଳାଖେମୁଣ୍ଡି, 9/7(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦଶ ଥାନା ପୋଲିସ ତରଫରୁ ବେଆଇନ ଦେଶୀ ମଦ ବିରୋଧରେ ସ୍ୱତନ୍ତ୍ର ଚଢ଼ଉ ଜାରି ରହିଛି. ଏହି ଚଢଉରେ ପାରଳା ପୋଲିସ ରାଣୀପେଣ୍ଠ ଗ୍ରାମ ନିକଟର ଏକ ପୋଲ ତଳୁ ପ୍ରାୟ ୧୨୦ ଲିଟର ବେଆଇନ ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ଜଣା ପଡିଛି ।

ଏଥିସହ ପାରଳା ସହରର ସୁଭାଷ ନଗରରେ ପୋଲିସ ଚଢ଼ଉ କରି ଶ୍ରୀମତୀ ଏମ୍. ସରୋଜିନୀଙ୍କ ଘରର ଆଲମିରା ଓ ରୋଷେଇ ଘରରୁ ୧୧୫ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି। ଏହି ଦୁଇ ଗୋଟି ଘଟଣାରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି ।












Leave a Reply