ସିଦ୍ଧ ତାନ୍ତ୍ରିକ କର୍ଣ୍ଣାମଗିରିଙ୍କ ଶ୍ରୀକ୍ଷେତ୍ରରେ ଅହଂକାରର ବିନାଶ !
ଖ୍ରୀଷ୍ଟିୟ ଦ୍ୱାଦଶ ଶତାବ୍ଦୀର କଥା । ‘କର୍ଣ୍ଣାମଗିରି’ ନାମକ ଦ୍ୱାଦଶ ଶତାବ୍ଦୀର ଜଣେ ସିଦ୍ଧ, ଶିବ ଭକ୍ତ, ତାନ୍ତ୍ରିକ ଆଷାଢ଼ ମାସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର/ଅଣସର ଲୀଳା ସମୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଉପସ୍ଥିତ ହେଲେ । ଦଶନାମୀ ସନ୍ଥ ‘କର୍ଣ୍ଣାମଗିରି’ ଦକ୍ଷିଣ ଭାରତର ପୁଣ୍ୟ ତୀର୍ଥ ରାମେଶ୍ୱର, ଓଡ଼ିଶା ର ଗନ୍ଧମାର୍ଦନ ,ଅଗ୍ନି ତୀର୍ଥ ଇତ୍ୟାଦି ଭ୍ରମଣ କରି ଆଷାଢ଼ ମାସ ରେ ଜଗନ୍ନାଥପୁରୀ ରେ ପହଞ୍ଚି ମାର୍କଣ୍ଡେୟ ପୁଷ୍କରିଣୀର ପବିତ୍ରଜଳରେ ସ୍ନାନ କଲେ ।
ଆଷାଢ଼ ମାସ ନୀଳଗିରି ଉପରେ ମେଘ ମେଦୁର ଆକାଶ । ଶ୍ରୀମନ୍ଦିର ଉପରେ ପାଦୁକଖିଆ ପତିତପାବନ ଚୀରାଳ ଫର ଫର ହୋଇ ଉଡି ଉଡି ଶୂନ୍ୟ ଗଣ୍ଠି ପଡିଯାଉଥାଏ । ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଳସା ପ୍ରକାଶ କରିବାରୁ ପତି ମହାପାତ୍ର ସେବକ ‘କର୍ଣ୍ଣାମଗିରି’ ଙ୍କୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହାତ ଧରି ଧରି ବାଟ ଦେଖାଇ ପାଛୋଟି ନେଇଥିଲେ । ଅଣସର ବିରାଜିତ ମହାପ୍ରଭୁମାନଙ୍କୁ ସେ ଦର୍ଶନ ନ କରିପାରି ଅତ୍ୟନ୍ତ ଦୁଃଖିତ ହୋଇ ଦଇତାପତି ସେବକ ମାନଙ୍କୁ ଏହାର କାରଣ ପଚାରିଲେ ।
ଦଇତାପତି କହିଲେ ବର୍ତ୍ତମାନ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଅନବସର/ଅଣସର ଲୀଳା ସମୟରେ ଜ୍ୱରରେ ପିଡିତ ଅଛନ୍ତି । ଅଣସର ପିଣ୍ଡିର ଘନ ଅନ୍ଧକାର ଭିତରେ ତାଙ୍କର ଉପଚାର କ୍ରମ ବଢି ଚାଲୁଅଛି । ‘କର୍ଣ୍ଣାମଗିରି’ ପୁନଶ୍ଚ ଉତ୍ତର ଦ୍ୱାର ଦେଇ ପ୍ରବେଶ କଲେ ତଥା ଅଣସର ପୀଡିତ ଶ୍ରୀ ବିଗ୍ରହ ମାନଙ୍କୁ ଦର୍ଶନ କରିବାକୁ ଆଗେଇ ଗଲେ । ଏବେ ସେ ଦେଖିଲେ ଅଚିନ୍ତା ପାହୁଣ୍ଡ ଠାରୁ ଶତ ଶତ ରାସ୍ତା ଅଙ୍କା ବଙ୍କା ହୋଇ ଶ୍ରୀମନ୍ଦିର ଭିତରେ ପ୍ରତୀୟମାନ ହେଉଛନ୍ତି । ମହାପ୍ରଭୁ ଗର୍ବଗଞ୍ଜନ, ଅଣସରପିଣ୍ଡିକୁ ପଥ ନ ପାଇଁ ‘କର୍ଣ୍ଣାମଗିରି’ ଅତ୍ୟନ୍ତ ଦୁଃଖିତ ହୋଇ ଶ୍ରୀମନ୍ଦିର ବାହାରକୁ ଆସି ଅନ୍ନ ଜଳ ସ୍ପର୍ଶ ନ କରି ପାଦ ବ୍ରଜରେ ଚାଲି ଚାଲି ଯାଇ ସାରଙ୍ଗଗଡ କାମେଶ୍ୱର ଦେବଙ୍କ ରାଜଦରବାରରେ ପହଁଚିଲେ । ‘କର୍ଣ୍ଣାମଗିରି’ ଦରବାରରେ ଶ୍ରୀ ବିଗ୍ରହମାନଙ୍କ ଅନବସର ନୀତି ଯୋଗୁଁ ଦୂର ପ୍ରଦେଶରୁ ଆଗତ ଭକ୍ତ ମାନେ ଦର୍ଶନରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କଲେ । ସେ ପ୍ରଶ୍ନ କଲେ ଶ୍ରୀମନ୍ଦିରର ଚତୁର୍ଧାମୂର୍ତ୍ତି ଜୀବ, ବ୍ରହ୍ମ, ଯୋଗମାୟା ଙ୍କୁ ଜ୍ୱର ରୋଗ କିପରି ଅନୁଭୂତ ହୋଇପାରେ ?
ଗଜପତି କାମେଶ୍ୱର ଦେବ ଶିବ ଭକ୍ତ, ତାନ୍ତ୍ରିକ ‘କର୍ଣ୍ଣାମଗିରି’ ଙ୍କ ଯଥାରୀତି ଆତିଥ୍ୟ ସତ୍କାର କଲେ ନାହିଁ । ଗୋଟିଏ ମାଟି ପାତ୍ରରେ ଅଳ୍ପ କିଛି ବତୁରା ସୋଲା / ବୁଟ ପ୍ରଦାନ କଲେ । ଆଦେଶ କଲେ ଆପଣ ସ୍ୱୟଂ ଏହି ଅଣସର ଲୀଳା ର ରହସ୍ୟ ଉନ୍ମୋଚନ କରନ୍ତୁ । ‘କର୍ଣ୍ଣାମଗିରି’ ସାରଙ୍ଗ ଗଡ ସମ୍ମୁଖ ଅବସ୍ଥିତ ଏକ ବରଗଛକୁ ଆରୋହଣ କଲେ ତଥା ଅଗ୍ରସର ହେବାକୁ ଆଦେଶ ଦେଲେ । ବରଗଛ ଉପରେ ବସି ‘କର୍ଣ୍ଣାମଗିରି’ ଗୋଟିଏ ଗୋଟିଏ ବତୁରା ସୋଲା ଖାଇ ଖାଇ ଶ୍ରୀକ୍ଷେତ୍ର ରେ ଉଆଁସ ଦାଣ୍ଡ ରେ ପହଂଚି ବରଗଛ ରୁ ଓହ୍ଲାଇଲେ । ଗଜପତିଙ୍କ ଆଦେଶ ଅନୁସାରେ ସେ ପୁନଶ୍ଚ ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିର ରେ ପ୍ରବେଶ କରି ନିଜର ତନ୍ତ୍ର ସାଧନା ବଳରେ ନିଜକୁ ଗୋଟିଏ ଭ୍ରମରରେ ପରିଣତ କରି ଜଗମୋହନ ରେ ଉଡି ଉଡି ବୁଲିଲେ ଓ ଯେତେବେଳେ ବେହରଣ ଦ୍ବାର ଉନ୍ମଚନ ହୋଇ ଦଇତାପତି ଅଣସର ସେବାରୁ ଅଣସର ଘର କୁ ପ୍ରବେଶ କରିଲେ ଭ୍ରମର ରୂପି କର୍ଣାମଗିରି ତାଙ୍କ ପଛେ ପଛେ ଯାଇ ଅଣସର ଘରେ ପ୍ରବେଶ କରିଲେ । ଅଣସର ଘରେ ମହାପ୍ରଭୁ ଙ୍କ ସେବାପାଇଁ ଦଇତା ଓ ପତିମହାପାତ୍ର ଙ୍କ ଛଡ଼ା ଅଷ୍ଟଦେବୀ / ଅଷ୍ଟଚଣ୍ଡୀ / ଅଷ୍ଟସଖୀ / ଅଷ୍ଟମଞ୍ଜରୀ ଦେବୀ ହସ୍ତ ରେ ପଦ୍ମ କଳିକା ଧରି ଉପସ୍ଥିତ ଥାଆନ୍ତି। ଏହି ଦେବୀ ମୂର୍ତ୍ତି ଅଣସର ସମୟରେ ଜୀବନ୍ୟାସ ପାଆନ୍ତି। ତେଣୁ ଯେତେବେଳେ ଭ୍ରମର ରୁପି କର୍ଣ୍ଣମଗିରି ଅଣସର ପିଣ୍ଡି ରେ ପ୍ରବେଶ କଲେ ସେ ଦେଖନ୍ତି ମହାକାଳ ରୂପି ଶ୍ରୀ ଜଗନ୍ନାଥ ଅଣସର ର ଘନ ଅନ୍ଧକାର ରେ କେଉଁଠାରେ ଅନ୍ତର୍ଧାନ ହୋଇଅଛନ୍ତି ।ଏହିସମୟରେ ଅଷ୍ଟ ମଞ୍ଜରୀ ଙ୍କ ମାୟା ରେ ଅଣସର ଘର ସାରା ଧୁମ୍ର ମୟ ହୋଇଗଲା ଚାରିଆଡ଼େ ଖାଲି ଧୂଆଁ ମୟ କିଛି ଦେଖାଗଲା ନାହିଁ ଏହି ସମୟରେ ଜଣେ ଦେବୀ ଧରିଥିବା ପଦ୍ମ କଳିକା କୁ ପ୍ରସ୍ଫୁଟିତ କରିଲେ,ଭ୍ରମର ର ସ୍ବଭାବ ଫୁଟିଲା ଫୁଲ ପ୍ରତି ଆକର୍ଷିତ ହେବ ପରକାୟାପ୍ରବେଶ କରିଥିଲେ ମଧ୍ଯ କର୍ଣ୍ଣାମଗିରି ଭ୍ରମର ର ସ୍ବଭାବ ରୁ ନିଜକୁ ରୋକି ନପାରି ସେହି ପଦ୍ମ ଉପରେ ଯାଇ ଉପବେଶନ କରିଲେ ଓ ଭ୍ରମର ପଦ୍ମ ଉପରେ ବସିବା ମାତ୍ରେ ଦେବୀ ଙ୍କ ଆଞା ରେ ପଦ୍ମ ବନ୍ଦ ହୋଇଗଲା। କର୍ଣ୍ଣାମଗିରି ସେହି ପଦ୍ମ ଭିତରେ ଅଣ ନିଶ୍ବାସି ହୋଇ ଛଟପଟ ହେବାକୁ ଲାଗିଲେ। ସେହି ପଦ୍ମ ମଧ୍ଯରେ ରହି କର୍ଣ୍ଣାମଗିରି ଅଷ୍ଟମଞ୍ଜରୀ ଙ୍କ ହାସ୍ୟଧ୍ବନି ରେ ଦେବୀ ଙ୍କ ବଚନ ଶୁଣିବାକୁ ପାଇଲେ ଯେ ପେ ମୂର୍ଖ କର୍ଣ୍ଣାମଗିରି ଯାହାଙ୍କ ଇଛା ରେ ତନ୍ତ୍ର ର ଉଦ୍ଭବ ତୁ ତାଙ୍କୁ ତନ୍ତ୍ର ମାୟା ରେ ଦର୍ଶନ କରିବାକୁ ଆସିଛୁ! ସଚରାଚର ଜଗତ ଦେବାଦେବୀ ଯାହାଙ୍କ ଶ୍ରୀ ଛାମୁ ରେ ନିଇତି ସେବା ଖଟୁଛନ୍ତି ତୁ ତାଙ୍କ ଆଗରେ ନିଜର ଜାହିର ସାବ୍ଯସ୍ତ କରୁଛୁ । ତୋର ଇଷ୍ଟ ପ୍ରଭୁ ମହାଦେବ ମହାପ୍ରଭୁ ଙ୍କ ପ୍ରାଣପ୍ରିୟା ଜଗଦମ୍ବା ମହାଲକ୍ଷ୍ମୀ ଙ୍କୁ ମଧ୍ଯ ଅଣସର ପ୍ରବେଶ ନିଷେଧ ଆଉ ତୁ ମାୟା ବଳରେ ଅଣସର ରେ ପ୍ରବେଶ କରିଛୁ ତୋର ଖେଳ ସରିଲା ଆଜି ଏହିପରି ବଚନ ଶୁଣି ଭୟ ରେ ଫୁଲ ମଧ୍ଯରେ କମ୍ପିବାକୁ ଲାଗିଲେ କର୍ଣ୍ଣାମଗିରି। ସାତ ଦିନ ଓ ସାତ ରାତି ତା ମଧ୍ଯରେ ଯନ୍ତ୍ରଣା ରେ ଛଟପଟ ହୋଇ ପଡ଼ି ରହିଲେ ସିଦ୍ଧ ତାନ୍ତ୍ରିକ କର୍ଣ୍ଣାମଗିରି ।ଅଣସର ର ପ୍ରବେଶ ମାତ୍ରକେ ମହାପ୍ରଭୁ କର୍ଣ୍ଣାମଗିରି ର କଳା ହରଣ କରି ସାରିଥିଲେ । ଯନ୍ତ୍ରଣା ସହି ନପାରି ଶେଷରେ ନିରୁପାୟ ହୋଇ ମନେ ମନେ ନିଜର ଇଷ୍ଟ ମହାଦେବ ଶଙ୍କର ଙ୍କୁ ଏ ସଙ୍କଟ ରୁ ଉଦ୍ଧାର ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ ଓ ପ୍ରଭୁ ମହାଦେବ ତାଙ୍କୁ ମହାପ୍ରଭୁ ଙ୍କ ପାଦପଦ୍ମ ରେ ଶରଣାପନ୍ନ ହୋଇ ତାଙ୍କୁ କ୍ଷମା ଯାଚନା କରିବାକୁ ଉପାୟ କହିଲେ। ମହାଦେବ ଙ୍କ ଉପାୟ ଅନୁଯାୟୀ କର୍ଣ୍ଣାମ ଗିରି ଅହଙ୍କାର ତ୍ଯାଗ କରି ମହାପ୍ରଭୁ ଙ୍କୁ କାୟା ମନ ବାକ୍ଯ ରେ ସମର୍ପଣ ହେବା ମାତ୍ରେ ତାର ଭକ୍ତି ରେ ସେହି ଦେବୀ ଜଣକ ଦୟାପରବଶ ହୋଇ ପଦ୍ମ ପ୍ପସ୍ଫିଟିତ କରାଇ ଫୁଲଟାକୁ ବାହାର ଆଡ଼କୁ ଛିଞ୍ଚାଡ଼ି ଦବାରୁ କର୍ଣ୍ଣାମଗିରି ଭ୍ରମର ରୂପ ତ୍ଯାଗ କରି ପୂର୍ବାବତ ମନୁଷ୍ଯ ଶରୀର ଧରି ବେହରଣ ଦ୍ବାର ପାଖେ କଚାଡ଼ି ପଡ଼ିଲେ ।
ମହାବାହୁ ଙ୍କ ଅଣସର ଲୀଳାକୁ ବୁଝିବାପାଇଁ ତାଙ୍କ ପାଖରେ କୌଣସି ଉପାୟ ବାକି ରହିଲା ନାହିଁ ,ସେ ଜାଣିଗଲେ ଯେ ମହାପ୍ରଭୁ ସବୁ ତନ୍ତ୍ର ମନ୍ତ୍ର ରୁ ବହୁ ଉର୍ଦ୍ଧ୍ବରେ ତାଙ୍କର ଇଚ୍ଛା ବିନା ଦର୍ଶନ ତ ଦୁର ର କଥା ଶ୍ରକ୍ଷେତ୍ର ରେ ପାଦ ଦେବା ମଧ୍ଯ ସମ୍ଭବ ନୁହଁ। ନିଜର କ୍ରୁତ୍ୟ ପ୍ରତି ଲଜ୍ଜିତ ହୋଇ ବେହରଣ ଦ୍ବାର ପାଖରେ ଲୁହଭିଜା ନୟନ ରେ ସାଷ୍ଟାଙ୍ଗ ପ୍ରଣିପାତ କରି ବିଳାପ କରିବାକୁ ଲାଗିଲେ। ପରେ ସେ ସମ୍ପୂର୍ଣ ଭାବରେ ନୀଳାଦ୍ରିନାଥଙ୍କ ଶରଣରେ ରହି ଶ୍ରୀକ୍ଷେତ୍ରରେ ଅବସ୍ଥାନ କଲେ ଶିବ ଭକ୍ତ ହୋଇଥିବାରୁ ସେ କର୍ଣ୍ଣାମେଶ୍ୱର ମହାଦେବ ଙ୍କୁ ସ୍ଥାପନ କରି ପୂଜା ଅର୍ଚ୍ଚନା କରିଆସୁଥିଲେ। ଏହିପରି ଭାବରେ ତନ୍ତ୍ର ସାଧନା ର ଅହଂକାର ‘କର୍ଣ୍ଣାମଗିରି’ଙ୍କର ଶ୍ରୀକ୍ଷେତ୍ର ରେ ବିନାଶ ହୋଇଗଲା ।
ଖ୍ରୀଷ୍ଟିୟ ଦ୍ୱାଦଶ ଶତାବ୍ଦୀର କଥା //‘କର୍ଣ୍ଣାମଗିରି’ ନାମକ ଦ୍ୱାଦଶ ଶତାବ୍ଦୀର ଜଣେ ସିଦ୍ଧ, ଶିବ ଭକ୍ତ, ତାନ୍ତ୍ରିକ ଆଷାଢ଼ ମାସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର/ଅଣସର ଲୀଳା ସମୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଉପସ୍ଥିତ ହେଲେ












Leave a Reply