ବୌଦ୍ଧ : ହରଭଙ୍ଗା ବ୍ଲକ୍ ରେ ପିଡିଏସ୍ ବଣ୍ଟନ, ରେଳ ଓଭରବ୍ରିଜ୍ କାର୍ଯ୍ୟ ଏବଂ ଆବାସ ଗୃହ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ..
ବୌଦ୍ଧ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ପୁରୁଣାକଟକ ଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ କାର୍ଯ୍ୟର ଅଗ୍ରଗତି ତଦାରଖ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ପରେ ସେ ଇନ୍ଦ୍ରପୁର ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ l ଉପଭୋକ୍ତା ମାନଙ୍କୁ ଶୀଘ୍ର ଗୃହ ପ୍ରଦାନ ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଗୁଣବତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ l ଏହି ଗ୍ରାମରେ ବ୍ୟାପକ ବୃକ୍ଷ ରୋପଣ ନିମିତ୍ତ ହେଉଥିବା ଜମି ଚିହ୍ନଟ ପ୍ରକ୍ରିୟା କୁ ତଦାରଖ କରିଥିଲେ l ଏହାପରେ ଜିଲ୍ଲାପାଳ ପୁରୁଣାକଟକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କୁ ସାଧାରଣ ବିତରଣ ବ୍ୟବସ୍ଥା ମାଧ୍ୟମରେ ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ l ହିତାଧିକାରୀ ମାନେ ଯେପରି ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ସମୟୋପଯୋଗୀ ସେବା ପାଇପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ଏହି ପରିଦର୍ଶନ ସମୟରେ ହରଭଙ୍ଗା ତହସିଲଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l












Leave a Reply