Spread the love

      ଭାରତ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ସମ୍ମିଳନୀ।

ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ ।

ଭୁବନେଶ୍ୱର: ୦୩ ଜୁଲାଇ ,ରଜତ ମହାପାତ୍ର ଦର୍ଶନ ସମୀକ୍ଷା

ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକା ଉପଲବ୍ଧ ହେବ। କେବଳ  ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲି ଏବଂ ବିଦେଶୀ ନଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ। ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। ଲୋକଙ୍କୁ ଏ ନେଇ ସଚେତନ କରାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକସନ ମ୍ୟାନେଜମେଣ୍ଟ’ (IIIDEM) ପରିସରରେ ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏହା କହିଛନ୍ତି। ଆଗାମୀ ନିର୍ବାଚନ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମିଡିଆ ନୋଡାଲ ଅଫିସର (Media Nodal Officers) ଏବଂ ଜିଲ୍ଲା ମିଡିଆ ନୋଡାଲ ଅଫିସରମାନଙ୍କ ପାଇଁ ଏକ ଦିନିକିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇଥିଲା।ଓଡିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ(ବୈଷୟିକ)ଶ୍ରୀ ଗୁରବୀର ସିଂ, ଯୁଗ୍ମ- ନିର୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ,ଓଡ଼ିଶା ବିଧାନସଭା ର ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଜୟାନନ୍ଦ ମଲ୍ଲିକ ଙ୍କ ସମେତ ୧୩ଜଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏଥିରେ ଯୋଗ ଦେଇଥିଲେ।

ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ମାଧ୍ୟମରେ ସ୍ୱଚ୍ଛ ସୂଚନା ପ୍ରଦାନ କରିବା ନେଇ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ନିର୍ବାଚନ ସମୟରେ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା  ଓ ଭ୍ରମାତ୍ମକ ଖବର କୁ ଚିହ୍ନଟ କରିବା ଏବଂ ତା’ର ତୁରନ୍ତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମ ଏ ଦିଗରେ ନିଜର ବିଶ୍ୱାସନିୟତା ବଜାୟ ରଖିବା ଏବଂ ଖବର ପ୍ରକାଶନ ବା ପ୍ରଚାର ପୂର୍ବରୁ କୌଣସି ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି।

ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ମିଡିଆ ନୋଡାଲ ଅଫିସରମାନଙ୍କର ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଗାମୀ ଦିନରେ ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦିଗରେ ବେଶ୍ ସହାୟକ ହେବ।

ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡା ବିବେକ ଯୋଶୀ, ଓ ବିଷୟ ବିଶେଷଜ୍ଞମାନେ ଉଦବୋଧନ ଦେଇଥିଲେ। ଓଡିଶାରୁ ଅନୁଗୋଳ ର ଭାରପ୍ରାପ୍ତ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ,ଶ୍ରୀ ରାଜେନ୍ଦ୍ର କୁମାର ମାଝୀ ଡିଆଇପିଆରଓ,ବଲାଙ୍ଗୀର,ମନୋରଞ୍ଜନ ସୁତାର ଡିଆଇପିଆରଓ,ଦେବଗଡ଼,ଶ୍ରୀ ଅଭିଷେକ ବେହେରା,ଡିଆଇପିଆରଓ ଢେଙ୍କାନାଳ,ଶ୍ରୀମତୀ ସୁଜାତା ସାହୁ ,ଭାରପ୍ରାପ୍ତ ଡିଆଇପିଆରଓ, ନୟାଗଡ଼,ଶ୍ରୀ ଦିନେଶ କୁମାର କହଁର,ଭାରପ୍ରାପ୍ତ ଡିଆଇପିଆରଓ , କଳାହାଣ୍ଡି,ଶ୍ରୀ ନଳିନୀକାନ୍ତ ସାହୁ,ଭାରପ୍ରାପ୍ତ ଡିଆଇପିଆରଓ, କନ୍ଧମାଳ,ଶ୍ରୀ ଫକୀର ମୋହନ ମାଝୀ,ଡିଆଇପିଆରଓ, କେନ୍ଦ୍ରାପଡ଼ା,ଶିଶିର କୁମାର ମୁଣ୍ଡାୟା,ଭାରପ୍ରାପ୍ତ ଡିଆଇପିଆରଓ,ମୟୂରଭଞ୍ଜ,ଶ୍ରୀ ରମାକାନ୍ତ ବିଶ୍ୱାସ,ଭାରପ୍ରାପ୍ତ ଡିଆଇପିଆରଓ, ନୂଆପଡ଼ା,ଶ୍ରୀ ଦେବରାଜ ଟାକ୍ରି,ଭାରପ୍ରାପ୍ତ ଡିଆଇପିଆରଓ, ରାୟଗଡ଼ା,କୁମାରୀ ପ୍ରୀତି ସୁନା,ଭାରପ୍ରାପ୍ତ ଡିଆଇପିଆରଓ,ସୁବର୍ଣ୍ଣପୁର ଓ ରାଧା ରାଣୀ ସରକାର,ଏସଡିଆଇପିଆରଓ,କୋରାପୁଟ ପ୍ରମୁଖ ଯୋଗଦେଇଥିଲେ।

ବିଜୟାନନ୍ଦ ମଲ୍ଲିକ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *