ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ଜୟନ୍ତୀ – ୨୦୨୬ ପାଳିତ
(ଢେଙ୍କାନାଳ ଜିଲ୍ଲାର ସଦର ମହକୁମାରେ ସେ ପଢ଼ିଥିବା ଶତାୟୁ ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ତାଙ୍କ ଗ୍ରାମରେ ବିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ଏକ ବୃହତ୍ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ)
ଢେଙ୍କାନାଳ: ତା.୨୮.୦୬.୨୦୨୬ ରିଖ : ( ଦର୍ଶନ ସମୀକ୍ଷା) ନିକଟରେ ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ଜୟନ୍ତୀ – ୨୦୨୬ ଦେଉଳ ସାହି,ଢେଙ୍କାନାଳସ୍ଥ କବି କୁଟୀର ପରିସରରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ପାଠାଗାରରେ ଅପରାହ୍ନ ୦୫ ଘଟିକା ସମୟରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ, ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ କୁମାର ଶତପଥି ସ୍ଵୀୟ ବକ୍ତବ୍ୟରେ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ସମ୍ପର୍କରେ ଏକ ସବିଶେଷ, ସାରଗର୍ଭକ,ତଥ୍ୟାବଳୀ ପରିପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ଶତପଥୀ ତାଙ୍କର ଅଭିଭାଷଣରେ ଉଭୟ ବ୍ୟକ୍ତିତ୍ୱଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୫ ଘଟିକା ସମୟରେ ସ୍ଥାନୀୟ କବିଭୂଷଣ ମାର୍ଗସ୍ଥିତ କବିକୁଟୀରଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଭୂଷଣଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ,ପ୍ରଫେସର୍ ଗୋଲକ ବିହାରୀ ଧଳ ଓ ବଙ୍କିମ ଚନ୍ଦ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ମିଳିତ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଥିଲା।କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ କବି ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଫଳ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ “କବି ଓ କବିତା ମଧୁକ୍ଷରା”ରେ ଉପସ୍ଥିତ ମନୋଜା ମଞ୍ଜରୀ ଦାଶ,ଉପସଭାପତି ତଥା ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡଃ.ପ୍ରମୋଦ କୁମାର ନାୟକ,ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ.ସମିର କୁମାର ସାହୁ,ସୁମିତା ରାୟ ପଟ୍ଟନାୟକ,ବିବେକାନନ୍ଦ ଷଡ଼ଙ୍ଗୀ, ଜଲି ସାହୁ,ନାଟ୍ୟକାର ମନୋହର ଶତପଥି,ଉମେଶ ଚନ୍ଦ୍ର ଦାଶ,ଇଂ ଲଳିତ ମୋହନ ବେହେରା,ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ,ଅବନ୍ତୀ ନାଥ,ନାତି ପି.ପରମଜିତ୍ ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ତିନୋଟି ଚତୁର୍ଦ୍ଦଶପଦୀ କବିତା ଓଡ଼ିଆ ସନେଟ୍,ଅନେକ କବି ସ୍ବରଚିତ କବିତାମାନ ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ଶୋତୃମଣ୍ଡଳି ଦ୍ବାରା ସେଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ ମଧ୍ୟ କରାଯାଇଥିଲା।ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଉଭୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ତାଙ୍କର ଜୀବନୀ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ସ୍ଵୀୟ ବକ୍ତବ୍ୟରେ ଉଭୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଦୁଇଟି ସୁନ୍ଦର ତଥ୍ୟାବଳୀ ସମ୍ବଳିତ ସାରଗର୍ଭକ ନିବନ୍ଧ ପାଠ କରିଥିଲେ।ସମସ୍ତ ବକ୍ତା ସ୍ୱୀୟ ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ପ୍ରଫେସର ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧ – ୨୪ ଜୁନ ୧୯୭୪) ଓଡ଼ିଆ ସାହିତ୍ୟ ଜଗତର ଜଣେ ବରେଣ୍ୟ ଭାଷାତତ୍ତ୍ୱବିତ୍,ଧ୍ୱନିତତ୍ତ୍ୱବିତ୍,ବିଶିଷ୍ଟ ପ୍ରାବନ୍ଧିକ ଏବଂ ସଫଳ ଅନୁବାଦକ ଥିଲେ।ସେ ଓଡ଼ିଶାରେ ଆଧୁନିକ ଭାଷା ବିଜ୍ଞାନ ଚର୍ଚ୍ଚାର ଆଦ୍ୟ ପ୍ରବର୍ତ୍ତକ ଭାବେ ସୁପରିଚିତ।ଓଡ଼ିଆ ଭାଷାର ଗଠନ,ସୁରକ୍ଷା,ବ୍ୟାକରଣ ଏବଂ ଉଚ୍ଚାରଣ ପଦ୍ଧତି କ୍ଷେତ୍ରରେ ତାଙ୍କର ଗବେଷଣା ଅତୁଳନୀୟ ଥିଲା।ତାଙ୍କ ଦ୍ୱାରା ରଚିତ ‘ଭାଷାଶାସ୍ତ୍ର ପରିଚୟ’ ଏବଂ ‘ଓଡ଼ିଆ କେବେ’ ପୁସ୍ତକ ଓଡ଼ିଆ ଭାଷା ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସଦୃଶ।ଭାଷାତତ୍ତ୍ୱ ବ୍ୟତୀତ ସେ ପ୍ରେମଚନ୍ଦଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଗୋଦାନ’ ଓ ‘ଗବନ’ର ସଫଳ ଓଡ଼ିଆ ଅନୁବାଦ କରିବା ସହ ‘ଆମେରିକା ଅନୁଭୂତି’ ଏବଂ ‘ଲଣ୍ଡନ ଚିଠି’ ଭଳି ଉଚ୍ଚକୋଟୀର ଭ୍ରମଣ କାହାଣୀ ମଧ୍ୟ ରଚନା କରିଥିଲେ।ନିଜର ସରଳ,ସଂକ୍ଷିପ୍ତ,ବ୍ୟଙ୍ଗାତ୍ମକ ତଥା ଇଙ୍ଗିତଧର୍ମୀ ପ୍ରବନ୍ଧ ଶୈଳୀ ମାଧ୍ୟମରେ ସେ ଓଡ଼ିଶାର ସମାଜ, ସଂସ୍କୃତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ।ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ।ସେହିଭଳି ବଙ୍କିମ ଚନ୍ଦ୍ର ଚାଟାର୍ଜୀ (୧୮୩୮-୧୮୯୪) ହେଲେ ଭାରତୀୟ ସାହିତ୍ୟର ଜଣେ ବିଶିଷ୍ଟ ଔପନ୍ୟାସିକ ତଥା ଜାତୀୟତାବାଦୀ ଚିନ୍ତାନାୟକ।ତାଙ୍କର ଅମର ସୃଷ୍ଟି ‘ଆନନ୍ଦମଠ’ ଉପନ୍ୟାସରେ ସେ ସଂସ୍କୃତ ଓ ବଙ୍ଗାଳୀ ମିଶ୍ରିତ ଭାଷାରେ ରଚନା କରିଥିଲେ ବିଶିଷ୍ଟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରଂ’।ଏହି ଗୀତଟି ମା’ ଦୁର୍ଗାଙ୍କ ରୂପରେ ଭାରତ ମାତାଙ୍କୁ ବର୍ଣ୍ଣନା କରିବା ସହ ଭାରତୀୟଙ୍କ ମନରେ ପ୍ରଚଣ୍ଡ ଦେଶପ୍ରେମ ଜାଗ୍ରତ କରିଥିଲା ।୧୮୯୬ ମସିହାରେ କଂଗ୍ରେସର କଲିକତା ଅଧିବେଶନରେ ଏହି ଗୀତ ପ୍ରଥମଥର ପାଇଁ ସ୍ୱରବଦ୍ଧ ହୋଇ ଗାନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଭାରତୀୟମାନଙ୍କର ମୁଖ୍ୟ ସ୍ଲୋଗାନ ପାଲଟିଥିଲା।ପରବର୍ତ୍ତୀ ସମୟରେ ଏହି ଗୀତର ପ୍ରଥମ ଦୁଇଟି ପଦକୁ ଭାରତର ‘ଜାତୀୟ ସ୍ତୋତ୍ର’ ଭାବରେ ମାନ୍ୟତା ଦିଆଗଲା।ପରିଶେଷରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ.ସମିର କୁମାର ସାହୁ,ଉପସଭାପତି,ଡ.ପ୍ରମୋଦ କୁମାର ନାୟକ,ସମ୍ପାଦକ କବିପୁତ୍ର,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ସଭାପତି,ଶଙ୍କର୍ଷଣ ଶତପଥୀ,ସଂଗଠନ ସଂପାଦକ ତଥା ମିଡ଼ିଆ ପ୍ରଭାରୀ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆବାହକ ବୃନ୍ଦ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।












Leave a Reply