Spread the love

ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ
ପାରଳାଖେମୁଣ୍ଡି, 28/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଚୋରା ମଦ କାରବାରକୁ ଜିଲ୍ଲାରୁ ସମ୍ପୂର୍ଣ ବିଲୋପ ପାଇଁ ସମଗ୍ର ଜିଲ୍ଲାରେ ଅବକାରୀ ଚଢଉ ଲଗାତାର ଭାବେ ଜାରି ରହିଛି. ଗତକାଲି ଓ ଆଜି ପାରଳାଖେମୁଣ୍ଡି ସଦର ଓ ଭ୍ରାମ୍ୟମାଣ ଅବକାରୀ ସ୍ୱ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ଦେଶୀ ମଦ ରନ୍ଧା ଭାଟି ଗୁଡିକୁ ଭାଙ୍ଗି ଚୁରମାର କରାଯିବା ସହ 5 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦେଶୀ ମହୁଲ ମଦ ଓ ମହୁଲ ପୋଚକୁ ଜବତ କରାଯାଇଥିବା ଜଣା ଯାଇଛି. ଗଜପତି ଜିଲ୍ଲାର ରାୟଗଡ ଓ ଗୁରାଣ୍ଡି ଥାନା ଅଞ୍ଚଳର ଗୋଠେଇ, ଗୋବିନ୍ଦପୁର ଗ୍ରାମର ପାହାଡ଼ ପାର୍ଶ୍ଵରେ ଥିବା ଏକ ନାଳ ନିକଟରେ ଚାଲୁ ରହିଥିବା ବେଆଇନ ମଦ ଭାଟିକୁ ଚଢାଉ କରି ଭାଙ୍ଗି ଚୁରମାର କରାଯାଇଛି. ଏହି ଚଢଉରେ 620 ଲିଟର ଦେଶୀ ମହୁଲ ମଦ, 6 ହଜାର 400 ଲିଟର ମହୁଲ ପୋଚ ଆଦି ସହ ଦେଶୀ ମଦ ତିଆରିରେ ବ୍ୟବହୃତ ସରଞ୍ଜାମ ଗୁଡିକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି. ଏହି ଚଢାଉରେ ମୋବାଇଲ ଅବକାରୀ ନିରୀକ୍ଷକ ମନୁ ଆୟଲ, ପାରଳାଖେମୁଣ୍ଡି ସଦର ଓଆଇସି ଦଣ୍ଡ ଶବର, ମିନତି ପାଇକ, ଦେବଦତ୍ତ ଶବର, ଉଷାଦେବୀ ଶବର, ସୁଶୀଲ ଘାଟିଆ, ମାନିନୀ ବେହେରା, ସର୍ବଶ୍ଵର ଦାସ ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ. ଏହି ଅବକାରୀ ଚଢ଼ଉ ପୂର୍ବରୁ ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ଅବକାରୀ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିବା ଯୋଗୁଁ ଏହି ମାମଲାରେ କାହାକୁ ଗିରଫ କରାଯାଇପାରିନାହିଁ. ତେବେ ଏନେଇ ମକଦ୍ଦ୍ୱମା ରୁଜୁ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.
ଗଜପତି : କାରକୁ ଧକ୍କା ଦେଇ ଓଲଟିଲା ଟ୍ରକ, 2 ଜଣ ଆହତ ପାରଳାଖେମୁଣ୍ଡି, 28/6(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ନିକଟ ଭୀମଦଲି ଘାଟିରେ ଶନିବାର ଏକ ଟାୟାର ବୋଝେଇ ଟ୍ରକ କାରକୁ ଧକ୍କା ଦେଇ ଓଲଟି ପଡିଛି। ଫଳରେ 2ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଟ୍ରକ ଚାଳକ ସୌମ୍ୟରଞ୍ଜନ ପୃଷ୍ଟି (୨୬) ଓ କାରରେ ଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ଗ୍ରାମର ଟ୍ଵିଙ୍କିଲ ପଣ୍ଡା (୨୦)। ରାୟଗଡାରୁ ଗୋଟିଏ ପରିବାରର ୪ ଜଣ ମହିଳା ପୁରୁଷ ଏକ ମାରୁତି କାର (ଓଡ଼ି୧୮ସି ୪୫୭୭)ରେ ଦିଗପହଣ୍ଡି ଯାଉଥିବା ବେଳେ ଅପର ପାର୍ଶ୍ଵରୁ କଟକ ଜିଲା ଜଗତପୁରରୁ ଟାୟାର ବୋଝେଇ କରି ଜୟପୁର ଆସୁଥିବା ଟ୍ରକ (ଓଡ଼ି୦ ୨ଡ଼ିଏମ ୯୯୮୧) ଭୀମଦଲି ଘାଟିର ଏକ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ କାରକୁ ଟ୍ରକ ଧକ୍କା ଦେଇ ରାସ୍ତା କଡରେ ଓଲଟି ପଡ଼ିଥିଲା।

ଫଳରେ ଦୁର୍ଘଟଣାରେ ଉଭୟ ଗାଡିର ଉପରୋକ୍ତ ୨ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବିରିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଅଡବା ପୋଲିସ ଘଟଣାସ୍ଥଳରେ ପ‌ହ‌ଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଗଜପତି ଜିଲ୍ଲାରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭରାମ୍ଭ: ସମଗ୍ର ଜିଲ୍ଲାରେ 66365 ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଖୁଆଇବା ଲକ୍ଷ୍ୟଧାର୍ଯ୍ୟ
ପାରଳାଖେମୁଣ୍ଡି : ୨୮/୦୬(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । ସରକାରଙ୍କ ନିଷ୍ପତି ପ୍ରକାରେ, ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ. ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପ୍ରାୟ ୬୬୩୬୫ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଅଛି ।

ଏଥ‌ିପାଇଁ ଚିହ୍ନଟ କରାଯାଇଥିବା ୫୭୪ ଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଅଛି । ଏତଦ ବ୍ୟତିତ, ୨୦ଟି ଭ୍ରାମ୍ୟମାଣ ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ ୩୦ଟି ଦଳ ନିୟୋଜିତ
କରାଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡ. ମଞ୍ଜୁ ରାଣୀ ଜେନା, ଡଏମଓ ଡ.ଶାନ୍ତନୁ କୁମାର ପାଢ଼ୀ, ଡିପିଏମ ସରିତା ମହାପାତ୍ର ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା.

Leave a Reply

Your email address will not be published. Required fields are marked *