ଗଜପତି // ବସ୍ତିବାସୀଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ସମାଜସେବୀ ଜସ୍ମିନ୍ ଶେଖ

Spread the love

ପାରଳାର ଯୁବ ପ୍ରତିଭା ସ୍ୱସ୍ତିକ ପାଢ଼ୀ ଓଡ଼ିଆ ସଙ୍ଗୀତ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ
ପାରଳାଖେମୁଣ୍ଡି, 22/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପ୍ରାଚୀନ କାଳରୁ ତଥା ପାରଳାର ଖ୍ୟାତନାମା ଗଜପତି ରାଜବଂଶୀୟ ରାଜରାଜୁଡା ଶାସନ ଅମଳରୁ ସଙ୍ଗୀତ, କଳା, ସାହିତ୍ୟ, ନାଟକ ଆଦି ସମସ୍ତ କ୍ଷେତ୍ରରେ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ପରିଚୟ ରହିଆସିଛି. ଏହି ପାରଳାଖେମୁଣ୍ଡିର ଯୁବକ ସ୍ୱସ୍ତିକ ପାଢ଼ୀ ଓଡ଼ିଆ ସଙ୍ଗୀତ ଜଗତରେ ନିଜ ପ୍ରତିଭା ଓ ସାଧନାରେ ପରିଚୟ ସୃଷ୍ଟି କରି ଆଜି ଲୋକପ୍ରିୟ ହୋଇପାରିଛନ୍ତି. ବର୍ତ୍ତମାନ ସମଗ୍ର ଓଡ଼ିଶାରେ
ଯୁବ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସ୍ୱସ୍ତିକ ପାଢ଼ୀଙ୍କ ନାମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ପାରଳାଖେମୁଣ୍ଡିର ସ୍ୱର୍ଗତ ଭାସ୍କର ପାଢ଼ୀଙ୍କ ନାତି ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସୁପୁତ୍ର ଅଟନ୍ତି । ପାରଳାଖେମୁଣ୍ଡିର ଐତିହ୍ୟ ଓ ପରିବାରର ସଙ୍ଗୀତମୟ ପରିବେଶରେ ବଢ଼ିଥିବା ସ୍ୱସ୍ତିକ ପିଲାଦିନରୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ ହୋଇଥିଲେ। ବାପାଙ୍କ ସଙ୍ଗୀତ ଧାରାକୁ ଆଗେଇ ନେବା ସହ ନିଜସ୍ୱ ପରିଚୟ ଗଢ଼ିବାରେ ସେ ନିରନ୍ତର ପ୍ରୟାସରତ ଥିଲେ । ବିଭିନ୍ନ ଓଡ଼ିଆ ମ୍ୟୁଜିକ୍ ଆଲବମ୍, ଚଳଚ୍ଚିତ୍ର ଓ ୟୁଟ୍ୟୁବ୍ ମାଧ୍ୟମରେ ତାଙ୍କ କଣ୍ଠସ୍ୱର ଶ୍ରୋତାଙ୍କ ନିକଟରେ ପହଞ୍ଚିଛି। କଣ୍ଠଶିଳ୍ପୀ ଭାବେ ସଫଳତା ସହ ସେ ସଙ୍ଗୀତ ନିର୍ଦ୍ଦେଶନାରେ ମଧ୍ୟ ଦକ୍ଷତା ପ୍ରମାଣ କରିଛନ୍ତି। ‘ମିଠା ଚୁଇଙ୍ଗମ୍’, ‘ସ୍କୁଲ୍ ଡାଏରୀ’, ‘ମଙ୍ଗଳମୟୀ ମା’ ମଙ୍ଗଳା’ ଏବଂ ‘ଜଗା ପରି ଭାଇ ଜଗତେ ନାହିଁ’ ଭଳି ଚଳଚ୍ଚିତ୍ର ସହ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବେଶ ଲୋକପ୍ରିୟ ହୋଇପାରିଛି। ଏହାଛଡ଼ା, ତାଙ୍କ ପିତା ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସେ ସଙ୍ଗୀତ ପରିଚାଳନାର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ତୋ ବିନୁ ଅନ୍ୟ ଗତି ନାହିଁ’ର ‘ତତେ ଖାଇତେ ଦେବି ମାଗୁର ମାଛ ବେସର’ ଗୀତ ତାଙ୍କୁ ବିଶେଷ ଲୋକପ୍ରିୟତା ଦେଇଛି। ସେହିପରି, ତରଙ୍ଗ ପ୍ରଡକ୍ସନର ଆଉ ଏକ ସିନେମା ‘ପ୍ରେମର ଛକି ଶୂନ’ ରେ ଗାଇଥିବା ରୋମାଣ୍ଟିକ୍ ଗୀତ ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କ ପରିଚୟକୁ ଆହୁରି ମଜବୁତ କରିଛି। ସମ୍ପ୍ରତି ସିଦ୍ଧାର୍ଥ ପ୍ରଡକ୍ସନ୍ସର ଏକ ବ୍ୟୟବହୁଳ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ସଙ୍ଗୀତ ସହ ସ୍ୱସ୍ତିକ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି।
ଗଜପତି:- ଜିଲ୍ଲାସ୍ତରୀୟ ୬୭ ତମ ପୋଲିସ ଶହୀଦ ସ୍ମୃତି ଦିବାସ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, 22/10 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସଶସ୍ତ୍ର ରିଜର୍ଭ ପୋଲିସ ପଡିଆ ଠାରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ମିଳିତ ପ୍ୟାରେଡ୍ ବାହିନୀ’ର ସେଲ୍ୟୁଟ ଗ୍ରହଣ କରି କର୍ତ୍ତବ୍ୟ ସମୟରେ ଯେଉଁ ପୋଲିସ ଭାଇ ମାନେ ଉଗ୍ରବାଦୀ ଓ ମାଓବାଦୀ ମାନଙ୍କ ଶିକାର ହୋଇ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାତୃକା ପାଇଁ ପ୍ରାଣବଳିି ଦେଇ ଯାଇଛନ୍ତି , ପ୍ରତିବର୍ଷ ଆଜିର ଦିନରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇ ଆସୁଅଛି । ଆମ ପୋଲିସ କର୍ମଚାରୀ ମାନେ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପଦ ଆପଦ ହେଉ କିମ୍ବା ଉଗ୍ରବାଦୀ କି ମାଓବାଦୀ କାର୍ଯ୍ୟକଳାପ ହେଉ , ସବୁଥିରେ ତାର ଉଚିତ୍ ମୁକାବିଲା କରିବା ପାଇଁ ଯଥେଷ୍ଟ ସମର୍ଥ ଅଛନ୍ତି ବୋଲି କହି ସବୁବେଳେ ନିରବଚ୍ଛିନ୍ନ ଓ ନିର୍ଭୀକ ଭାବେ ସେବା ପ୍ରଦାନ କରିବା ସହ ଜନସାଧାରଣଙ୍କ ସମସ୍ତ ଆଶା ପୁରଣ କରିବା ଦିଗରେ ଆସ୍ଥାଭାଜନ ହେବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଆହ୍ବାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଏସପି: ଶ୍ରୀ ମୀନା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଠାଇଥିବା ବାର୍ତ୍ତା ପାଠ କରିବା ସହ କର୍ତ୍ତବ୍ୟ ସମୟରେ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ବୀରଗତି ପ୍ରାପ୍ତ ହୋଇ ସହିଦ ହୋଇଥିବା ଭାରତ ବର୍ଷର ୧୫୪ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନାମ ପାଠ କରିବା ସହ ପୋଲିସ ସହୀଦ ସ୍ମୃତିସ୍ତମ୍ଭ ଠାରେ ସେମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିଭଳି ଉପସ୍ଥିତ ପୋଲିସ ଅଧିକାରୀ ମାନଙ୍କ ସମେତ ଉପସ୍ଥିତ ଶହୀଦ ପରିବାର’ଙ୍କ ପକ୍ଷରୁ ମଧ୍ୟ ସହିଦ ସ୍ମୃତିସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିବା ବେଳେ ପ୍ୟାରେଡ଼ ଦଳର ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ନିଜର ସଶସ୍ତ୍ର ସହ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ଦୁଇ ପୋଲିସ କର୍ମଚାରୀ ସିମାଞ୍ଚଳ ପ୍ରଧାନ ଏବଂ ବିଶ୍ୱଜିତ ଜେନାଙ୍କ ପରିବାର ତଥା ସେମାନଙ୍କ ପତ୍ନୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପାରଳାଖେମୁଣ୍ଡିରେ ମା ଦୁର୍ଗାଙ୍କ ଭସାଣି
ପାରଳାଖେମୁଣ୍ଡି, 23/10(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ସହରରେ ଆୟୋଜିତ ସମସ୍ତ ଦୁର୍ଗାମଣ୍ଡପରୁ ମା ଦୁର୍ଗାଙ୍କୁ ପୂଜା ପାଠ କରି ମେଲାଣି ଦେଇ ଭସାଣି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି. ମା ଦୁର୍ଗାଙ୍କ ଏହି ଭସାଣି କାର୍ଯ୍ୟକ୍ରମକୁ ମହାସମାରୋହରେ ନାଚ ଗୀତ ବିଭିନ୍ନ ବାଦ୍ୟ, ଶଙ୍ଖ, ମହୁରୀ ଓ ବିଭିନ୍ନ ରକମର ବାଣ ଫୁଟାଇ ବିରାଟ ବିରାଟ ପଟୁଆରରେ ମାଙ୍କ ବିସର୍ଜନ କାର୍ଯ୍ୟକ୍ରମରେ ପାରଳା ସହର ମୁଖରିତ ହୋଇ ଚଳଚଞ୍ଚଳ ହୋଇଉଠିଛି. ପାରଳା ସହରର ଖଞ୍ଜାସାହି ଛକ ଠାରେ ଅନୁଷ୍ଠିତ ଦୁର୍ଗା ମେଢ଼ ସମେତ ପାୱାର ହାଉସ ଦୁର୍ଗା ମେଢ଼, ଜନ ସ୍ୱାସ୍ଥ୍ୟ ବିଭାଗର ଦୁର୍ଗା ମେଢ଼, କବିଚନ୍ଦ୍ର ସାହି, ବଡ଼ ବ୍ରାହ୍ମଣ ସାହି, ରାଜଗୁରୁ ସାହି ଆଦିରେ ଅନୁଷ୍ଠିତ ଦୁର୍ଗା ମେଢ଼ ଏବଂ ପୋଲିସ ବ୍ୟାରେକ ଦୁର୍ଗା ମେଢ଼ ଆଦି ସମସ୍ତ ଅଞ୍ଚଳରେ ଆୟୋଜିତ ଦୁର୍ଗା ମଣ୍ଡପ ଠାରୁ ମାଆଙ୍କୁ ମେଲାଣି ଦେଇ ପାରଳା ସହର ପରିକ୍ରମା କରିବା ସହ ମହେନ୍ଦ୍ରତନୟା ନଦୀରେ ମାଆ ଦୁର୍ଗାଙ୍କ ବିସର୍ଜନ କାର୍ଯ୍ୟକ୍ରମକୁ ସମାପନ ହୋଇଯାଇଛି. ଶାନ୍ତିଶୃଙ୍ଖଳାର ସହ ସମସ୍ତ ମେଢ଼ର ବିସର୍ଜନ କାର୍ଯ୍ୟକ୍ରମ ସମାପନ ପାଇଁ ପାରଳା ପୋଲିସ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି.
ପାରଳାର ରାମନଗର ବସ୍ତିବାସୀଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ସମାଜସେବୀ ଜସ୍ମିନ୍ ଶେଖ

ପାରଳାଖେମୁଣ୍ଡି,23/10(ତାରିଣୀ ପ୍ରସାଦ ପଣ୍ଡା ):

ମାନବିକତା ଓ ସେବା ମନୋଭାବକୁ ଆଧାର କରି ସମାଜସେବୀ ଜସ୍ମିନ୍ ଶେଖଙ୍କ ପକ୍ଷରୁ ରାମନଗର ବସ୍ତିବାସୀଙ୍କ ସୁବିଧା ପାଇଁ ଏକ ଛୋଟ ପ୍ରୟାସ କରାଯାଇଛି। ବସ୍ତିର ଲୋକମାନଙ୍କୁ କିଛି ଲୁଗାପଟା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସେ ମାନବ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ସମାଜର ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ହିଁ ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
ଏହି ଅବସରରେ ସମାଜସେବୀ ଜସ୍ମିନ୍ ଶେଖ କହିଛନ୍ତି ଯେ, ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ନିରନ୍ତର ଜାରି ରହିବ। ସେ ସବୁବେଳେ ଲୋକଙ୍କ ହିତରେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି।