Spread the love

ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ:

ଜୁନ ୨୮ ଫର୍ମ ବଣ୍ଟନ ଓ ସଂଗ୍ରହ ର ଶେଷ ସମୟସୀମା।

୯୯.୬୨% ଭୋଟରଙ୍କୁ ବଣ୍ଟାଗଲାଣି ପରିଗଣନା ଫର୍ମ, ୭୫.୮୪% ଡିଜିଟାଇଜେସନ ଶେଷ

ସ୍ୱତନ୍ତ୍ର ସଘନ ସଂଶୋଧନ ପରିଗଣନା ଫର୍ମ ଡିଜିଟାଇଜ଼ କରିବାରେ  ୬୩-ଆଠମଲ୍ଲିକ  ଓଡ଼ିଶାର ପ୍ରଥମ ବିଧାନସଭା ନିର୍ବାଚନ ମଣ୍ଡଳୀ।

ଭୁବନେଶ୍ୱର,୨୦ ଜୁନ। ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)

ରାଜ୍ୟରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ  କାର୍ଯ୍ୟକ୍ରମ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ପ୍ରତିଶତ ଅର୍ଥାତ ୩କୋଟି ୩୨ଲକ୍ଷ ୭୨ହଜାର ୩୦୮ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହା ସହିତ ସଂଗୃହିତ ତଥ୍ୟର ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି, ଯେଉଁଥିରେ ୭୫.୮୪ପ୍ରତିଶତ ଅର୍ଥାତ ୨କୋଟି ୫୩ଲକ୍ଷ  ୨୯ହଜାର ୩୨୯ ଭୋଟରଙ୍କର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ  ପ୍ରକ୍ରିୟା ଏବେ ବେଶ୍ ଉତ୍ସାହଜନକ ମୋଡ଼ରେ ପହଞ୍ଚିଛି। ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଥମ କରି ୧୦୦ ପ୍ରତିଶତ ଡିଜିଟାଇଜେସନ ହାସଲ କରି ରେକର୍ଡ କରିଥିବା ବେଳେ, ଏବେ ରାଜ୍ୟର ଅନ୍ୟ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ୯୯ ପ୍ରତିଶତ ରୁ ଅଧିକ ଡିଜିଟାଇଜେସନ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି।

ସେହିପରି ଡିଜିଟାଇଜେସନ ରେ ଜିଲ୍ଲାକ୍ଷେତ୍ରରେ ସୁବର୍ଣ୍ଣପୁର ,ଦେବଗଡ, ସୁନ୍ଦରଗଡ ଯଥାକ୍ରମେ ୮୯.୬୧,୮୮.୬୧ ଓ ୮୮.୨୪ ପ୍ରତିଶତ ସହ ଆଗରେ ରହିଛନ୍ତି

ଏକ ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ଏହି ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀ ଓ ବିଏଲ୍‌ଓ ମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ପ୍ରତିଟି ସ୍ତରରେ ଉଲ୍ଲେଖନୀୟ ସଫଳତା ମିଳିଛି। ଘରକୁ ଘର ବୁଲି ସୂଚନା ସଂଗ୍ରହ ଓ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ପ୍ରାୟ ଶତପ୍ରତିଶତ (୯୯.୬୨%) ଶେଷ ହୋଇଥିବାରୁ ଏହି ଅଭିଯାନ ଏକ ବଡ଼ ସଫଳତା ଆଡ଼କୁ ଗତି କରୁଛି।

ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ  ହେବା ପାଇଁ ଭାରତ ନିର୍ବାଚନ ଆୟୋଗ ର ପ୍ରମୁଖ ସଚିବ ଓ ସଚିବ ଆସି ରାଜ୍ୟର ବିଭିନ୍ନ ଜିଲ୍ଲାର ସମୀକ୍ଷା କରି ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦେବା ସହ ରାଜ୍ୟରେ ଏସ ଆଇ ଆର ର ଅଗ୍ରଗତି ନେଇ ମଧ୍ୟ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି।

ପରିଗଣନା ଫର୍ମ ବଣ୍ଟନ ସହିତ ସମାନ୍ତରାଳ ଭାବେ ଡାଟା ଏଣ୍ଟ୍ରି ବା ଡିଜିଟାଇଜେସନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭୫.୮୪ପ୍ରତିଶତ ଭୋଟରଙ୍କ ତଥ୍ୟକୁ ସଫଳତାର ସହ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରାଯାଇଛି। ବାକି ଥିବା  ଭୋଟରଙ୍କର ତଥ୍ୟକୁ  ସୀମିତ ସମୟ ମଧ୍ୟରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରି, ତଥ୍ୟ ପୂରଣ କରି ନିଜେ ମଧ୍ୟ ଅପଲୋଡ୍ କରିପାରିବେ।

ରାଜ୍ୟର କୌଣସି ବି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟରେ ଏକ ତ୍ରୁଟିହୀନ ଏବଂ ସମ୍ପୂର୍ଣ୍ଣ ଆଧୁନିକୀକରଣ ହୋଇଥିବା ଭୋଟର ତାଲିକା ଉପଲବ୍ଧ ହେବ, ଯାହା ଆଗାମୀ ନିର୍ବାଚନ ପରିଚାଳନାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବ ବୋଲି ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ବିଜୟାନନ୍ଦ ମଲ୍ଲିକ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *