ଗଜପତିରେ ସବୁଠାରୁ ସର୍ବନିମ୍ନ ବୃଷ୍ଟିପାତ: ପାଣି ଅଭାବରୁ ଚାଷଜମି ଫାଟି ଆଁ ହୋଇରହିଛି….. ଆସନ୍ନ ମରୁଡି ଆଶଙ୍କାରେ ଚାଷୀକୁଳ
ପାରଳାଖେମୁଣ୍ଡି, 24/10 (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ଗତ ଚାରି ମାସ ମଧ୍ୟ୍ୟରେ 896.7
ମିଲିମିଟର ବର୍ଷା ହୋଇଛି. ଯେଉଁ ବର୍ଷାର ପରିମାଣ ସମଗ୍ର ରାଜ୍ୟରେ ଗଜପତି ଜିଲ୍ଲାରେ ସର୍ବନିମ୍ନ ଅଟେ. 60 ପ୍ରତିଶତରୁ ଅଧିକା ଚାଷ ଜମି ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ. ଏହାଛଡା ଗତ 1 ମାସ ହେଲା ଗଜପତି ଜିଲ୍ଲାରେ ବର୍ଷା ଉଭାନ ହୋଇଯାଇଛି. ଏହି ସମସ୍ତ କାରଣ ଯୋଗୁଁ ଧାନ କନ୍ଦା ବାହାରିବା ସମୟରେ ଚାଷ ଜମିରେ ପାଣିର ତୀବ୍ର ଅଭାବ ଯୋଗୁଁ ଚାଷ ଜମି ଫାଟି ଆଁ ହୋଇ ରହିଛି. ଏହାଦ୍ୱାରା ଧାନ ଗଛ ଗୁଡିକ ଶୁଖିବାରେ ଲାଗିଛି. ଏଭଳି ସ୍ଥିତିକୁ ନେଇ ଗଜପତି ଜିଲ୍ଲାରେ ଆସନ୍ନ ମରୁଡି ଦେଖା ଦେବା ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗଜପତି ଜିଲ୍ଲାରେ ମୋଟ 33 ହଜାର 409 ହେକ୍ଟର ଧାନ ଜମି ରହିଛି. ଗଜପତି ଜିଲ୍ଲା ଚାଷୀ ଓ କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ବର୍ତ୍ତମାନର ଏହି ଅବସ୍ଥା ନେଇ ଉଦବେଗ ପ୍ରକାଶ କରିଛନ୍ତି. ସେ କହିଛନ୍ତି ଆଗାମୀ 4/5 ଦିନ ମଧ୍ୟରେ ବର୍ଷା ନ ପଡିଲେ କିମ୍ବା କ୍ଷେତକୁ ଯେକୌଣସି ଭାବେ ପାଣି ଛଡା ନଗଲେ ଧାନ ଫସଲ ନିଶ୍ଚିତ ଭାବେ ଉଜୁଡି ଯିବ. ଧାର କରଜ କରି ଧାନ ଫସଲ କରିଥିବା ଚାଷୀକୂଳ ବର୍ତ୍ତମାନର ପରିସ୍ଥିତି ନେଇ ଅତ୍ୟନ୍ତ ଚିନ୍ତାରେ ମୁଣ୍ଡରେ ହାତମାରି ବର୍ଷାର ଆଗମନ ପାଇଁ ଆକାଶକୁ ଚାହିଁ ରହିଛନ୍ତି. ଅପପକ୍ଷରେ ଗଜପତି ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର କହିଛନ୍ତି ଜିଲ୍ଲାରେ ବର୍ଷାଭାବ ଯୋଗୁଁ ଧାନଜମିରେ ସମସ୍ୟା ଦେଖା ଦେଇଛି. ହେଲେ ଆଗାମୀ ଦୁଇ ଦିନ ମଧ୍ୟରେ ଲଘୁଚାପଜନିତ ବାତ୍ୟା ଓ ବର୍ଷା ଗଜପତି ଜିଲ୍ଲାରେ ହେବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି. ତେଣୁ ଦୁଇଦିନ ମଧ୍ୟ୍ୟରେ ଗଜପତିରେ ବର୍ଷା ହେବା ନିଶ୍ଚିତ ଓ ଏହି ବର୍ଷାରେ ସମସ୍ତ ଚାଷ ଜମିରେ ଦେଖା ଦେଇଥିବା ସମସ୍ୟା ନିଶ୍ଚିତ ଭାବେ ଦୂର ହେବ.
ଗଜପତି ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା 5 କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇକୁ ପୋଡି ନଷ୍ଟ କରାଗଲା
ପାରଳାଖେମୁଣ୍ଡି, 24/10(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା 5 କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଥିବା ସୂଚନା ମିଳିଛି. ମୋଟ ୯,୭୯୩.୨୮ କିଲୋଗ୍ରାମ ଗଞ୍ଜେଇକୁ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଏବଂ ନିଶାଦ୍ରବ୍ୟ ନଷ୍ଟ କମିଟିର ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଶେରଗଡ଼ ଠାରେ ଥିବା ଇନସିନେରେଟରରେ ପୋଡି ନଷ୍ଟ କରାଯାଇଛି. ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହଲ୍ଲାଦ ସହାୟ ମୀନା, ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ପୁଲିସ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ ଏବଂ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ଗଜପତି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ନିଶାଦ୍ରବ୍ୟ କାରବାରକୁ ରୋକିବା ଦିଗରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ କରାଯାଇ ଗଜପତି ଜିଲ୍ଲାର ମୋହନା ଥାନା ଓ ଆର. ଉଦୟଗିରି ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହୋଇଥିବା ଏହି 5 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଡି ପାଉଁଶ କରଯାଇଛି.
ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ଅଭିଯୋଗରେ ଯୁବତୀ ଗିରଫ
ପାରଳାଖେମୁଣ୍ଡି, 24/10(ତାରିଣୀ ପ୍ରସାଦ ପଣ୍ଡା) :
ଇନ୍ଷ୍ଟାଗ୍ରାମ୍ରେ ନକଲି ଆଇଡି ଖୋଲି ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଅଭିଯୋଗରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ନନ୍ଦିତା ମହାଙ୍କୁଡ଼ ନାମକ ଯୁବତୀଙ୍କୁ ଅକ୍ଟୋବର ୨୩ ତାରିଖ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ରେ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି । ପୁଲିସ ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୦ ତାରିଖରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୁକ୍ତା ଓ ପୀଡ଼ିତ ଉଭୟେ ଲକ୍ଷ୍ମୀପୁର ଗ୍ରାମର ପଡ଼ୋଶୀ ବୋଲି ତଦନ୍ତରୁ ଜଣାପଡ଼ିଛି । ପୂର୍ବ ଶତ୍ରୁତା ଓ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭିଯୁକ୍ତା ନିଜ ମୋବାଇଲ୍ରେ ଏକାଧିକ ଇନ୍ଷ୍ଟାଗ୍ରାମ୍ ଆଇଡି ଖୋଲିଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ଗୋଟିଏ ଆଇଡି ଜରିଆରେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ପ୍ରାୟ ୫ରୁ ୬ ମାସ ଧରି ଇନ୍ଷ୍ଟାଗ୍ରାମ୍ରେ ଚାଟିଂ ହେବା ପରେ ଅଭିଯୁକ୍ତା ଯୁବକଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ମାଗିଥିଲେ । ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି ।
ତଦନ୍ତ ସମୟରେ ମେଟା ପକ୍ଷରୁ ମିଳିଥିବା ତଥ୍ୟ ଓ ଆଇପି ଠିକଣା ସମ୍ପର୍କିତ ସୂଚନା ଆଧାରରେ ସମ୍ପୃକ୍ତ ଇନ୍ଷ୍ଟାଗ୍ରାମ୍ ଆଇଡିର ବ୍ୟବହାରକାରୀଙ୍କ ସମ୍ପର୍କରେ ତଥ୍ୟ ମିଳିଥିବା ପୁଲିସ୍ କହିଛି । ଅଭିଯୁକ୍ତାଙ୍କ ନିକଟରୁ ବିନା ସିମ୍କାର୍ଡରେ ଥିବା ଏକ ରିଅଲ୍ମି ସ୍ମାର୍ଟ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ତଦନ୍ତରେ ପ୍ରାଥମିକ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।











