ମାଲକାନଗିରିରେ ଶିକ୍ଷା ବିଭାଗର ସମୀକ୍ଷା ବୈଠକ: କାର୍ଯ୍ୟରେ ଅବହେଳା ପାଇଁ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ, ସଫଳତା ପାଇଁ ପ୍ରଶଂସା
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବ୍ୟାପକ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ସମେତ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଚାଲିଥିବା ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ, ସରକାରୀ ଯୋଜନା ଓ ଏହାର ପ୍ରଗତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ସରକାରୀ ଅନୁଦାନ ଏବଂ ସେବାଗୁଡ଼ିକ କିପରି ସଠିକ୍ ଭାବେ ଏବଂ ସ୍ୱଚ୍ଛତାର ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିପାରିବ, ସେ ନେଇ ବୈଠକରେ ବିସ୍ତୃତ ରୋଡମାପ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ କଡ଼ା ଚେତାବନୀ ଦେବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅପାର୍ ଆଇଡି ଜେନେରେସନ, ପ୍ରବନ୍ଧ ପୋର୍ଟାଲରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ତଥ୍ୟ ଅପଡେଟ୍ କରିବା ଏବଂ ୟୁ-ଡାଇସ୍ ପୋର୍ଟାଲ ପାଇଁ ଡାଟା ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଏହି ନୋଟିସ ଦିଆଯାଇଛି। ଏହା ସହିତ ସମସ୍ତ ସ୍କୁଲରେ ବିଦ୍ୟୁତ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ତୁରନ୍ତ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଅପରପକ୍ଷରେ, ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ବୈଠକରେ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।
କାଲିମେଳା ବିଇଓ ଙ୍କୁ ୮ ଜଣ ଶିକ୍ଷକଙ୍କ ଅବସର ଗ୍ରହଣ ଦିନ ହିଁ ପେନସନ ମଞ୍ଜୁର କରିଥିବାରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସେହିପରି ସମଗ୍ର ଶିକ୍ଷା ଅଭିଯାନର ଡିପିସି ଆକାଉଣ୍ଟସ ସେକ୍ସନ ଆବଣ୍ଟିତ ପାଣ୍ଠିର ୯୧.୩୬% ଅର୍ଥ ସଠିକ୍ ଭାବେ ବିନିଯୋଗ କରି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ସେମାନଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ଶିକ୍ଷା କ୍ଷେତ୍ରରେ କୌଣସି ପ୍ରକାରର ଶିଥିଳତା ବରଦାସ୍ତ କରାଯିବ ନାହିଁ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷାର ମାନ ବାସ୍ତବରେ ବଦଳିବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି।












Leave a Reply