Spread the love

ଝାରସୁଗୁଡ଼ା : ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ..

ମହିଳା ଚାଷୀଙ୍କ ଜୀବିକା ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ସ୍ଥାୟୀ କୃଷି ପାଇଁ ବାୟୋ-ରିସୋର୍ସ ୟୁନିଟ୍ ପ୍ରତିଷ୍ଠା ଉପରେ ଆଲୋଚନା
ଝାରସୁଗୁଡ଼ା : କୁନା ଦିଗାଲ (ଦର୍ଶନ ସମୀକ୍ଷା )

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କୁଣାଳ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୫-୨୬ ର ‘ଯୋଜନା ବନାମ ସଫଳତା’ର ସମୀକ୍ଷା କରାଯିବା ସହ ଆଗାମୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ‘ବାର୍ଷିକ କାର୍ଯ୍ୟଖସଡ଼ା’ କୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯାଇଛି l ବୈଠକ ପ୍ରାରମ୍ଭରେ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିଷୟଭିତ୍ତିକ ପ୍ରଗତି ଓ ସଫଳତାର ବିବରଣୀ ଉପସ୍ଥାପନ କରାଯାଇଥିଲା l ଜୀବିକା ବିକାଶ ଏବଂ କୃଷିର ଉନ୍ନତି ପାଇଁ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି l ବିଶେଷ କରି ମହିଳା ଚାଷୀମାନଙ୍କ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଓ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଏହା ସହିତ ସ୍ଥାୟୀ କୃଷି ପ୍ରଣାଳୀର ପ୍ରସାର ପାଇଁ ବାୟୋ-ରିସୋର୍ସ ୟୁନିଟ୍ ଗଠନ କରିବା ଏବଂ ସମସ୍ତ ସଂଶ୍ଳିଷ୍ଟ ବିଭାଗର ମିଳିତ ସହଯୋଗରେ ମହିଳା ଚାଷୀଙ୍କ ସ୍ତରରେ ଏକ ସଠିକ୍ ଓ ଆଦର୍ଶ ସମନ୍ୱୟ ମଡେଲ ପ୍ରଦର୍ଶନ କରିବା ଉପରେ ଏହି ବୈଠକରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି l ଏହି ସମୀକ୍ଷା ବୈଠକରେ ଜୀବିକା ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଲାଇନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ l ଏଥିରେ କୃଷି, ଉଦ୍ୟାନ କୃଷି, ପ୍ରାଣୀଧନ ବିଭାଗ, ଓଡ଼ିଶା ଉଠା ଜଳସେଚନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ଜିଲ୍ଲା ପ୍ରତିନିଧିମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ଝାରସୁଗୁଡ଼ା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତିମୟୀ ଭିତ୍ରିଆ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *