ଚିତ୍ରକୋଣ୍ଡାର ଗୁଣ୍ଠାୱାଡା ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି: ୫୦ଟି ଅଭିଯୋଗ ପତ୍ର ଗ୍ରହଣ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଓ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ସିଧାସଳଖ ଶୁଣିଥିଲେ। ଏହି ଶିବିରରେ ଆଖପାଖ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥିବା ବେଳେ ଲୋକଙ୍କୁ ତୁରନ୍ତ ସରକାରୀ ସେବା ଯୋଗାଇବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ସ୍ୱତନ୍ତ୍ର କ୍ୟାମ୍ପ୍ ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇ ଲୋକଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଯିବା ସହ ତତ୍କାଳ ସେବା ପ୍ରଦାନ କରାଯାଇଥିଲା।ଦିନସାରା ଚାଲିଥିବା ଏହି ଶିବିରରେ ମୋଟ ୫୦ ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୫ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୪୫ ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ରହିଥିଲା। ଶିବିରରେ ମୁଖ୍ୟତଃ ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ନୂତନ ଆବେଦନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇବା ଏବଂ ନୂତନ ରାସନ କାର୍ଡ ପ୍ରଦାନ ପାଇଁ ଲୋକେ ଗୁହାରି କରିଥିଲେ। ଏହା ସହିତ ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରତିନିଧିମାନେ ଗ୍ରାମୀଣ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣରେ ଥିବା ସମସ୍ୟା, ବିଦ୍ୟୁତକରଣର ତ୍ରୁଟି ଏବଂ ଜମି ପଟ୍ଟା ପ୍ରଦାନ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାଗୁଡ଼ିକୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଜନସାଧାରଣଙ୍କ ଏହି ସମସ୍ୟାଗୁଡ଼ିକୁ ଅତି ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଭିତ୍ତିଭୂମି, ବିଶେଷ କରି ରାସ୍ତା ଓ ପାନୀୟ ଜଳ ସମସ୍ୟାର ସଠିକ୍ ସ୍ଥିତି ଅନୁଧ୍ୟାନ କରିବା ପାଇଁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ କୁହାଯାଇଛି। ସମସ୍ତ ଗରିବ ଓ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି କାଲିମେଳାର ଗୁମୁକା, ମାଥିଲିର କାର୍ତ୍ତନପାଲ୍ଲୀ, ମାଲକାନଗିରିର ସିନ୍ଧ୍ରିମାଲ, ଖଇରପୁଟର ମୁଦୁଲିପଡ଼ା, କୋରୁକୋଣ୍ଡାର ଦୁଦାମେଟା ଏବଂ ପୋଡ଼ିଆ ବ୍ଲକର ମାଟେରୁ ଗ୍ରାମ ପଞ୍ଚାୟତରେ ମଧ୍ଯ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।












Leave a Reply