Spread the love

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ।

ଢେଙ୍କାନାଳ, ତା. ୧୪.୫.୨୦୨୬- ଦର୍ଶନ ସମୀକ୍ଷା ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା, ସମ୍ଭାବ୍ୟ ବନ୍ୟା ମୁକାବିଲା ନିମିତ୍ତ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପୂର୍ବରୁ ଛୋଟ ଛୋଟ ସମସ୍ଯାର ସମାଧାନ କରିଦେଲେ ଆଗକୁ ବଡ଼ ସମସ୍ୟା ଉପୁଜିବ ନାହିଁ ବୋଲି କହି ଏଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଯତ୍ନବାନ ହେବା ସହ ଆବଶ୍ୟକସ୍ଥଳେ ତୁରନ୍ତ ମରାମତି ପାଇଁ ସେ ଗୁରୁତ୍ଵାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବା ସହିତ କୌଣସି ଅସୁବିଧା ଥିଲେ, ଯଥା ଶୀଘ୍ର ସମାଧାନ କରିବା ପାଇଁ କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା ପରାମର୍ଶ ଦେଇଥିଲେ । ସମସ୍ତ ସହରାଞ୍ଚଳରେ ଥିବା ନାଳ ନର୍ଦ୍ଧମାକୁ ଯଥାଶୀଘ୍ର ସଫା କରି ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା, ବାତ୍ୟାରେ ଫସଲ ଓ ନିର୍ମାଣ ଆଦିର କ୍ଷୟକ୍ଷତି ଘଟିଲେ , ତାହାର ଆକଳନ କରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ । କୌଣସି ଅଂଚଳରେ ଯେପରି ଜଣ୍ଡିସ୍ ଓ ଝାଡ଼ାବାନ୍ତି ନ ବ୍ୟାପିବ, ସେଥିପ୍ରତି ସଂପୂର୍ଣ୍ଣ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ ବ୍ୟବସ୍ଥା, ଶୁଖିଲା ଖାଦ୍ୟ ମହଜଦ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଉଦ୍ଧାର କାର୍ଯ୍ୟ ପାଇଁ ରାପିଡ୍ ରେସ୍ପନସ୍ ଟିମ ମୁତୟନ , ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ଓ ରୋଗୀ ଚିକିତ୍ସା ବ୍ୟବସ୍ଥା ଓ ଆବଶ୍ୟକ ଔଷଧ ମହଜୁଦ, ଗୃହପାଳିତ ପଶୁ ସଂପଦର ସୁରକ୍ଷା, ଚାଷ କାର୍ଯ୍ୟ ପରିଚାଳନା, ସାର ମହଜୁଦ ଓ ବିକ୍ରିର ତଦାରଖ କରିବା, ବହୁମୁଖୀ ଆଶ୍ରୟ ସ୍ଥଳୀରେ ଆନୁସାଙ୍ଗିକ ବ୍ୟବସ୍ଥା, ସରଞ୍ଜାମର ତଦାରଖ ଓ ପ୍ରସ୍ତୁତି ଆଦି ସଂପର୍କରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସଂଜୟ ମହାପାତ୍ରଙ୍କ ସମେତ ସମସ୍ତ ଉପ-ଜିଲ୍ଲାପାଳ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ, ବିଡ଼ିଓ , ତହସିଲଦାର, ଅଗ୍ନିଶମ ଏବଂ ଓଡ୍ରାଫର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶେଷରେ ଆପାତ୍ କାଳୀନ ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *