ଝାରସୁଗୁଡ଼ା : ଜିଲ୍ଲା କାରାଗାର ପରିଦର୍ଶନ କଲେ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ; ମହିଳା ଅନ୍ତେବାସୀ ଓ ଶିଶୁଙ୍କ ସୁବିଧା ଅସୁବିଧାର କଲେ ସମୀକ୍ଷା,ଜେଲ ପରିବେଶ ଓ ସ୍ୱଚ୍ଛତା ସେବାର ସମୀକ୍ଷା
ଝାରସୁଗୁଡ଼ା କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାରାଗାର ରେ ଥିବା ଅନ୍ତେବାସୀଙ୍କ ମାନବାଧିକାର ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ସ୍ୱରୂପ ଆଜି ଏକ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କରାଗାର ପରିଦର୍ଶନ କରିବା ସହ ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଛନ୍ତି l ଏହି ପରିଦର୍ଶନ ସମୟରେ ବିଶେଷଜ୍ଞ ଦଳ ଜେଲର ମହିଳା ୱାର୍ଡକୁ ଯାଇ ଅନ୍ତେବାସୀ ମହିଳାମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ l ସେମାନଙ୍କୁ ମିଳୁଥିବା ଦୈନନ୍ଦିନ ସୁବିଧା ସୁଯୋଗ, ସ୍ୱାସ୍ଥ୍ୟ ସେବା ଏବଂ କୌଣସି ବିଶେଷ ଅସୁବିଧା ରହିଛି କି ନାହିଁ, ସେ ସମ୍ପର୍କରେ ଟିମ୍ ପଚାରି ବୁଝିଥିଲେ l ଏଥିସହ ଜେଲ ପରିସରରେ କୌଣସି କମ୍ ବୟସର ଅନ୍ତେବାସୀ (Juveniles) ଅଛନ୍ତି କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯାଇଥିଲା l ଶିଶୁ ମଙ୍ଗଳ ଆଇନ ଅନୁଯାୟୀ ଜେଲର ସାମଗ୍ରିକ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ l କାରାଗାର ର ସାମଗ୍ରିକ ପରିବେଶକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞ ଦଳ ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି l ଅନ୍ତେବାସୀଙ୍କ ପାଇଁ ଥିବା ପାନୀୟ ଜଳ, ଶୌଚାଳୟ ଏବଂ ପରିମଳ ବ୍ୟବସ୍ଥା ଉପରେ ଦଳ ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଅଧିକ ଉନ୍ନତ କରିବାକୁ କହିଛନ୍ତି l ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଦଳ ପକ୍ଷରୁ ସବିଶେଷ ଅବଲୋକନ କରାଯାଇଥିଲା l ଏହି ଗୁରୁତ୍ୱପୂର୍ଣ୍ଣ ପରିଦର୍ଶନ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଆଲୋକମୟୀ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ମହାପାତ୍ର ଏବଂ ଜେଲ ଅଧିକ୍ଷକ ଶ୍ରୀ ଅମୀୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏଥିସହ ଆଇନଜୀବୀ ବି. ନାଗେଶ୍ୱରୀ ଏବଂ ସାଜଦା ବେଗମ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଆଇନଗତ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ l ଜେଲ୍ ଭିତରେ ଥିବା ଅନ୍ତେବାସୀ ଏବଂ ବିଶେଷ କରି ମହିଳା ଓ ସେମାନଙ୍କ ସହ ରହୁଥିବା ଶିଶୁମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା l ଏଭଳି ନିୟମିତ ସମୀକ୍ଷା ଦ୍ୱାରା ଜେଲ ପ୍ରଶାସନ ମଧ୍ୟରେ ସ୍ୱଚ୍ଛତା ଆସିବା ସହ ଅନ୍ତେବାସୀମାନଙ୍କ ମାନସିକ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l












Leave a Reply