ବଡ଼ବିଲରେ ପୋଲିସର ବଡ଼ ଚଢାଉ : ୩୩ କେଜି ଗଞ୍ଜେଇ ଜବତ, ୮ ଗିରଫ
ତା -08/05/2026
ଦର୍ଶନ ସମୀକ୍ଷା, ବଡ଼ବିଲ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ନ୍ୟୁ ଓଏମସି କଲୋନୀ ନିକଟରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେଥିରୁ ୩ ଜଣ ଚାଲାଣକାରୀ ଓ ୫ ଜଣ ଖୁଚୁରା ଗଞ୍ଜେଇ ବ୍ୟବସାୟୀ ଥିବା ସୂଚନା ମିଳିଛି । ପୋଲିସ ସେମାନଙ୍କ ନିକଟରୁ ୩୩ କେଜି ୧୯୦ ଗ୍ରାମ ଗଞ୍ଜେଇ, ଏକ ଅଟୋ ରିକ୍ସା, ୨ ହଜାର ଟଙ୍କା ନଗଦ, କିଛି ମୋବାଇଲ ଫୋନ୍ ଓ ଏକ ଇଲେକ୍ଟ୍ରୋନିକ ଓଜନ ମେସିନ୍ ଜବତ କରିଛି ।
ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟରେ କେନ୍ଦୁଝରର କାଞ୍ଜିପାଣି ଅଞ୍ଚଳରୁ OD 09 Y 5862 ନମ୍ବର ଥିବା ଏକ ଅଟୋ ରିକ୍ସାରେ ବଡ଼ବିଲକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବଡ଼ବିଲ ପୋଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ବଡ଼ବିଲ ଆଇଆଇସିଙ୍କ ଶ୍ରୀ ଅଶୋକ କୁମାର ନୟାକ ନେତୃତ୍ୱରେ akoପୋଲିସ ଟିମ୍ ଭଦ୍ରାସାହି ନ୍ୟୁ ଓଏମସି କଲୋନୀ ନିକଟରେ ଚଢାଉ କରିଥିଲା ।
ଚଢାଉ ସମୟରେ ଘଟଣାସ୍ଥଳରୁ ବିଜୁ ବେହେରା, ଘନଶ୍ୟାମ ଷଡ଼ଙ୍ଗୀ ଓ ସୁଶିଲ ପରିହାରଙ୍କୁ ପୋଲିସ ଗିରଫ କରିଥିଲା । ପରେ ସେମାନଙ୍କୁ ପଚରାଉଚରା କରିବା ପରେ ବଡ଼ବିଲ ଅଞ୍ଚଳରେ ଗଞ୍ଜେଇ ବିକ୍ରି କରୁଥିବା ୫ ଜଣ ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଆଜିଏକ ସାମ୍ବାଦିକ ସମିଳନୀ ରେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ କହିଛନ୍ତି।












Leave a Reply