ପୃଥିବୀର ପାପଭାର ବଢ଼ିଗଲେ ଅଧର୍ମର ବିନାଶ କରି, ଧର୍ମ ସଂସ୍ଥାପନ ଓ ସାଧୁଙ୍କ ପରିତ୍ରାଣ ପାଇଁ ଭଗବାନ ବିଭିନ୍ନ ଅବତାରଧରି ଏହି ଧରା ଧାମକୁ ଅବତରିଆସନ୍ତି

Spread the love

କେଶବ ଧୃତ ବୁଦ୍ଧ ଶରୀର
===============
ପୃଥିବୀର ପାପଭାର ବଢ଼ିଗଲେ ଅଧର୍ମର ବିନାଶ କରି, ଧର୍ମ ସଂସ୍ଥାପନ ଓ ସାଧୁଙ୍କ ପରିତ୍ରାଣ ପାଇଁ ଭଗବାନ ବିଭିନ୍ନ ଅବତାରଧରି ଏହି ଧରା ଧାମକୁ ଅବତରିଆସନ୍ତି l ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଏହା ହେଉଛି ଭଗବାନଙ୍କର ଯୁଗ ଯୁଗର ଲୀଳା l ସେହିପରି ଏକଦା ଯଜ୍ଞ ନାମରେ ପୃଥିବୀରେ ପଶୁବଳୀ ଭଳି କ୍ରୂରକର୍ମ, ବେଦନିନ୍ଦା ତଥା ନାନା ପାପର ଭାର ବଢ଼ି ଯିବାରୁ ପୃଥିବୀକୁ ସେହି ପାପ ଭାରରୁ ମୁକ୍ତ କରିବା ପାଇଁ ଭଗବାନ ବୁଦ୍ଧାବତାର ଧରି ଧରା ଧାମକୁ ଅବତରି ଥିଲେ l ମହାକବି ଜୟଦେବ ଶ୍ରୀଦଶାବତାର ସ୍ତୋତ୍ରରେ ଭଗଵାନ ବୁଦ୍ଧଙ୍କୁ ଶ୍ରୀହରିଙ୍କ ନବମ ଅବତାର ରୂପେ ବର୍ଣ୍ଣନା କରି କହିଛନ୍ତି:-
ନିନ୍ଦସି ଯଜ୍ଞ ଵିଧେରହହ ଶ୍ରୁତିଜାତମ୍ l
ସଦୟହୃଦୟଦର୍ଶିତପଶୁଘାତମ୍ ll
କେଶଵ ଧୃତ ବୁଦ୍ଧ ଶରୀର
ଜୟ ଜଗଦୀଶ ହରେ ll
ପୁଣ୍ୟ ବୁଦ୍ଧପୂର୍ଣ୍ଣିମାରେ ଆଜି ସେହି ପରମ ପାବନ ଭଗଵାନ ବୁଦ୍ଧଙ୍କ ଜନ୍ମ ଗାଥା l
କପିଳବାସ୍ତୁ ରାଜପ୍ରାସାଦରେ ସେଦିନ ମହାରାଣୀ ମହାମାୟା (ମାୟା ଦେବୀ) ଗାଢ଼ନିଦ୍ରାରେ ଶୋଇ ଥାନ୍ତି l ସେ ବିସ୍ମୟକର ସ୍ବପ୍ନ ଗୋଟିଏ ଦେଖିଲେ, “ଗର୍ଭରେ ତାଙ୍କର ଛଅଟି ଦାନ୍ତ ଥିବା ଏକ ଶ୍ୱେତ ହସ୍ତୀ ପ୍ରବେଶ କରୁଛି”l ରାଣୀ ମହାମାୟା ସେହି ଦିନ ଅନ୍ତଃସତ୍ଵା ହେଲେ ଓ ତାଙ୍କ ଗର୍ଭସ୍ଥ ହେଲେ ବୋଧିସତ୍ତ୍ୱ,ସେଦିନ ସାରା ପ୍ରକୃତିରେ ଖେଳିଗଲା ଉଲ୍ଲାସ l ପୃଥିବୀ ହୋଇ ଉଠିଲା ଅଧିକ ଶୋଭା ମୟୀ ଓ ଶସ୍ୟଶାଳିନୀ l
ଏକ ଦିବ୍ୟ ଶିଶୁ ତାଙ୍କର ଗର୍ଭସ୍ଥ ହୋଇଛି, ତେଣୁ ମହାମାୟା ନିର୍ମଳ ଚିତ୍ତରେ ସନ୍ତାନଜନ୍ମ ସମୟକୁ ଅପେକ୍ଷା କରିରହିଲେ l କ୍ରମେ ସେ ସମୟ ନିକଟ ହୋଇ ଆସିଲା l ସେକାଳର ପ୍ରଥାନୁଯାୟୀ ରାଣୀ ପିତ୍ରାଳୟକୁ ଯିବାକୁ ଚାହିଁଲେ l ରାଜା ଶୁଦ୍ଧୋଦନ ରାଣୀଙ୍କ ଯାତ୍ରାପାଇଁ ଏକ ସୁବର୍ଣ୍ଣ ପାଲିଙ୍କି ତିଆରି କରି ଦେଲେ l କପିଳବାସ୍ତୁରୁ ରାଣୀଙ୍କ ପିତ୍ରାଳୟ ଦେବଦାହ ନଗରୀ ପର୍ଯ୍ୟନ୍ତ ରାଜରାସ୍ତା ତୋରଣ ଏବଂ ଆଲୋକମାଳାରେ ସଜ୍ଜିତ ହେଲା l ପ୍ରହରୀ ମାନେ ସ୍ଥାନେ ସ୍ଥାନେ ରାଜପଥକୁ ଜଗି ରହିଲେ l ଏକହଜାର ରାଜକର୍ମଚାରୀ ତଥା ଅନେକ ଦାସୀ ପରିବାରିଙ୍କ ଗହଣରେ ରାଣୀ ମାୟାଦେଵୀ ପିତୃ ଗୃହକୁ ଯାତ୍ରା କଲେ l
ବାଟରେ ପଡ଼ିଲା ଲୁମ୍ବିନୀ ବନ l ଲୁମ୍ବିନୀ ବନରେ ଶାଳଗଛ ସବୁ ପୁଷ୍ପମଣ୍ଡିତ ହୋଇ ଅପୂର୍ବ ଶୋଭା ଧାରଣ କରିଥାନ୍ତି l ଗିରି ଝରଣା ମାନେ କୁଳୁକୁଳୁ ନାଦ କରି ବହି ଯାଉଥାନ୍ତି l ଲୁମ୍ବିନୀର ଏ ଅପୂର୍ବ ଶୋଭାବଲୋକନ ପାଇଁ ମାୟା ଦେବୀ ପାଲିଙ୍କିରୁ ଓହ୍ଲାଇ ପଡ଼ି ବିଚରଣ କରିବାକୁ ଲାଗିଲେ l ଏକ ପୁଷ୍ପଭରା ଶାଳଗଛକୁ ଧରି ସେ ଠିଆ ହୋଇଛନ୍ତି ଏହି ସମୟରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେଲା l ପରିଚାରିକା ମାନେ ଦୋଉଡ଼ିଆସି ତାଙ୍କୁ ବସ୍ତ୍ରରେ ଆବରଣ କରିଦେଲେ l ସେହି ଶାଳଗଛ ମୁଳରେ ମହାମାୟା ଗୋଟିଏ ପୁତ୍ର ସନ୍ତାନ ପ୍ରସବ କଲେ l ପୁଅଟି ଗର୍ଭରୁ ଖସି ପଡ଼ିବା ବେଳେ ଚାରି ଜଣ ମହାବ୍ରହ୍ମ ତାକୁ ସୁନା ଜାଲରେ ଧରିନେଲେ l ସେମାନେ କହିଲେ,ମହାରାଣୀ ତୁମ ଗର୍ଭରୁ ଏକ ମହା ଶକ୍ତିଶାଳୀ ପୁତ୍ର ଜନ୍ମ ଗ୍ରହଣ କରିଛି l
ମହାବ୍ରହ୍ମଙ୍କ ଠାରୁ ଆସି ଚାରି ଦିଗପାଳ ପୁଅଟିକୁ ମୃଗ ଚର୍ମରେ ଗ୍ରହଣ କଲେ l ଦିଗ ପାଳଙ୍କ ଠାରୁ ମନୁଷ୍ୟମାନେ ପଟ୍ଟବସ୍ତ୍ରରେ ତାଙ୍କୁ ଗ୍ରହଣ କଲେ l ଶିଶୁଟି ମନୁଷ୍ୟଙ୍କ ହସ୍ତରୁ ଖସିଯାଇ ଭୂମି ଉପରେ ଠିଆ ହୋଇ ପଡ଼ିଲେ ଓ ଏ ସମସ୍ତ ଜଗତର ଚିତ୍ର ତାଙ୍କ ସମ୍ମୁଖରେ ଉଦ୍ଭାସିତ ହୋଇ ଉଠିଲା l ସେ ଦଶଦିଗକୁ ଚାହିଁଦେଇ ଉତ୍ତର ଆଡ଼କୁ ସାତ ପାଦ ଚାଲିଗଲେ l ସେ ସିଂହନାଦ କରି କହିଲେ, ମୁଁ ଏ ଜଗତର ସର୍ବଶ୍ରେଷ୍ଠ ହେବି l ତାଙ୍କ ସପ୍ତ ପଦପାତ ସ୍ଥାନରେ ସାତଗୋଟି କମଳପୁଷ୍ପ ପ୍ରସ୍ଫୁଟିତ ହୋଇ ଥିଲାବୋଲି କୁହାଯାଏ l ପରବର୍ତ୍ତୀ କାଳରେ ଏହି ଦିବ୍ୟ ଶିଶୁଟି ସିଦ୍ଧିଲାଭ କରି ହେଲେ ବୁଦ୍ଧ l
ଲୁମ୍ବିନୀ ବନ ପ୍ରଦେଶରେ ଯେତେବେଳେ ବୁଦ୍ଧଙ୍କ ଜନ୍ମ ହେଲା ସେତିକି ବେଳେ ତାଙ୍କର ଭାବି ପତ୍ନୀ ଯଶୋଧାରା, ଅନୁଚର ଛନ୍ଦକ, ଅଶ୍ୱ କନ୍ଥକ ଏବଂ ବୋଧି ଦ୍ରୁମଙ୍କର ଜନ୍ମ ମଧ୍ୟ ହୋଇ ଥିଲା l ବୁଦ୍ଧଙ୍କ ଜନ୍ମହେବା ଖବର କପିଳବାସ୍ତୁ ଓ ଦେବଦାହରେ ପହଞ୍ଚିବାକ୍ଷଣି ଲୋକମାନେ ଲୁମ୍ବିନୀ ବନ ଆଡ଼କୁ ଦୌଡ଼ି ଆସିଲେ l ରାଜା ଶୁଦ୍ଧୋଦନ ଲୁମ୍ବିନୀ ବନ ଠାରେ ଏକ ବିଶାଳ ପଟୁଆର ଘେନି ପହଞ୍ଚିଲେ l ସେ ରାଣୀ ମହାମାୟା ଓ ନବ ଜାତ ଶିଶୁ ପୁତ୍ରକୁ ରାଜପ୍ରାସାଦ ଘେନି ଆସିଲେ l
ଲୁମ୍ବିନୀ ବନ ଏବେ ନେପାଳର ତରାଇ ଅଞ୍ଚଳର ଗୁମ୍ମିନ ଦେଇ ନାମକ ସ୍ଥାନ ନିକଟରେ ଅବସ୍ଥିତ l ଏଠାରେ ମହାରାଜ ଅଶୋକଙ୍କ ନିର୍ମିତ ଏକ ସ୍ତମ୍ଭ ରହିଛି l ସେହି ସ୍ତମ୍ଭରେ ପାଲ୍ଲୀଭାଷାରେ ଖୋଦିତ ହୋଇଛି,”ଦେବତାଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ତାଙ୍କ ରାଜ୍ୟାଭିଷେକର କୋଡ଼ିଏବର୍ଷ ପରେ ଏହି ସ୍ଥାନକୁ ଆସି ପୂଜାର୍ଚ୍ଚନା କରି ଥିଲେ l ଶାକ୍ୟମୁନି ବୁଦ୍ଧଙ୍କର ଏଠାରେ ଜନ୍ମ ହୋଇଥିଲା l ତେଣୁ ସେ ଏଠାରେ ପଥର ପାଚେରି ମଧ୍ୟରେ ଗୋଟିଏ ସ୍ତମ୍ଭ ନିର୍ମାଣ କରିଛନ୍ତି l ଏଠାରେ ଭଗବାନ ବୁଦ୍ଧ ଜାତ ହୋଇଥିବାରୁ ଏ ଗ୍ରାମର କର ଛାଡ଼ କରାଗଲା”l ପବିତ୍ର ଲୁମ୍ବିନୀ ବନରେ ବୁଦ୍ଧ ଜନ୍ମ ହୋଇଥିବାରୁ ଏହା ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ପରିଗଣିତ l
ଲୁମ୍ବିନୀ ବନରେ ଭଗବାନ ବୁଦ୍ଧଙ୍କ ଧରାବତରଣ ହୋଇଥିଲା ଖ୍ରୀଷ୍ଟ ପୂର୍ବ 563 ସାଲ, ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଦିନ l ଭଗଵାନ ବୁଦ୍ଧ କରୁଣାର ଅବତାର ଥିଲେ l ତାଙ୍କ କରୁଣାହସ୍ତ ସ୍ପର୍ଶରେ ବିପଥ ଗାମୀ ମନୁଷ୍ୟର ହୃଦୟ ପରିବର୍ତ୍ତନ ହୋଇ ଯାଉଥିଲା l ଦୁର୍ଦ୍ଦାନ୍ତ ନରହନ୍ତାଡାକୁ ଅଙ୍ଗୁଳିମାଳ ତାଙ୍କ କରୁଣା ସ୍ପର୍ଶରେ ପରିବର୍ତ୍ତିତ ହୋଇ ତାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲା l ଗଣିକା ଆମ୍ରପଲ୍ଲୀ ପିଚ୍ଛିଳପଥ ଛାଡ଼ି, ମହା ଶ୍ରମଣାରେ ପରିବର୍ତ୍ତିତ ହୋଇଥିଲା l ତାଙ୍କ ଜନ୍ମ ହୋଇଥିଲା ଏ ପୃଥିବୀରେ ବୌଦ୍ଧିକ ଜ୍ଞାନର ବିତରଣପାଇଁ l କରୁଣାବତାର ଭଗବାନ ବୁଦ୍ଧଙ୍କୁ ଶ୍ରୀମଦ୍ ଭାଗବତରେ ଶ୍ରୀହରିଙ୍କ ବିଂଶ ଅବତାର ଭାବେ ବର୍ଣ୍ଣନା କରାଯାଇଛି l ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତରେ କହିଲେ :-
ପ୍ରବୋଧ ବୁଦ୍ଧ ଅବତାରେ l
ଜ୍ଞାନ ବିସ୍ତାରେ ଏ ସଂସାରେ ll

Leave a Reply

Your email address will not be published. Required fields are marked *