Spread the love

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ

ମାଲକାନଗିରି
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରକଟ ହୋଇଥିବା ପ୍ରବଳ ତାତି ଓ ଗୁଳୁଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଓସେପା ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ଏହା ସହିତ ବିଏସଇ , ସିଏଚଏସଇ, ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ନିର୍ଦ୍ଧାରିତ ପରୀକ୍ଷା ମଧ୍ୟ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ନାମଲେଖା, ପ୍ରଶାସନିକ କାର୍ଯ୍ୟ ଏବଂ ଜନଗଣନା ପରି ଜରୁରୀ କାର୍ଯ୍ୟ ଚାଲୁ ରହିବ। ଏଥିପାଇଁ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସକାଳ ୦୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଜିଲ୍ଲା ସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀ

ସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ

ମାଲକାନଗିରି
ମାଲକାନଗିରି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ସମାରୋହ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଡଃ ତ୍ରିପାଠୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Oplus_131072

ଏହି ଅବସରରେ ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ, ଡଃ ସଦାଶିବ ତ୍ରିପାଠୀ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଆଧୁନିକ ଓଡ଼ିଶାର ଜଣେ ଦୂରଦ୍ରଷ୍ଟା ନିର୍ମାତା। ତାଙ୍କର ନିର୍ମଳ ଶାସନ ଏବଂ ସମାଜର ମଙ୍ଗଳ ପାଇଁ ତାଙ୍କର ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମହାରଣା, ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଡଃ ତ୍ରିପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେମାନେ ମିଳିତ ଭାବେ କହିଥିଲେ ଯେ, ଡଃ ତ୍ରିପାଠୀଙ୍କ ସରଳ ଜୀବନଯାପନ ଏବଂ ଶିକ୍ଷାର ପ୍ରସାର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଅତୁଳନୀୟ। ଜଣେ ଗାନ୍ଧୀବାଦୀ ନେତା ଭାବେ ସେ ସର୍ବଦା ନିଷ୍ପେସିତଙ୍କ ସ୍ୱର ହୋଇ ରହିଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ରଞ୍ଜନ ମହାନ୍ତି ଏବଂ ହରେକୃଷ୍ଣ କୀର୍ତ୍ତନିୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଜୟନ୍ତୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *