ଅକ୍ଷୟ ତୃତୀୟାରେ ଗଜପତି ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ
ପାରଳାଖେମୁଣ୍ଡି,୨୦.୦୪(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବି.ଏନ୍ ପେଲେଶ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନିକଟସ୍ଥ ଚାଷ ଜମିରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇ ଅଖି-ମୁଠି ଅନୁକୂଳ କରା ଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଏମ ପ୍ରକାଶ ରାଓ, କୃଷି ଜିଲ୍ଲା ଅଧିକାରୀ ପାରଳାଖେମୁଣ୍ଡି ରବୀନ୍ଦ୍ର କୁମାର ଆଡ଼େକ, କୃଷି ଜିଲ୍ଲା ଅଧିକାରୀ ଆର୍ ଉଦୟଗିରି ବି ଏନ ମଙ୍ଗରାଜ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ଚାଷ ଜମିରେ ଧାନ ବୁଣିବା ସହ ଜମିରେ ହଳ ନଙ୍ଗଳ ବୁଲାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଓ ଅକ୍ଷୟ ତୃତୀୟାର ଗୁରୁତ୍ଵ ଓ କୃଷି ଆନୁଷଙ୍ଗିକ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି କୃଷି କାର୍ଯ୍ୟ କରିବା ପାଇଁ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ସଚେତନତା କରାଇଥିଲେ।
ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଅକ୍ଷୟ ତୃତୀୟା ପର୍ବର ପୌରାଣିକ ମହତ୍ତ୍ଵ ଓ ପ୍ରାସଙ୍ଗିକତା ବୁଝାଇଥିଲେ ।
ଅକ୍ଷୟ ତୃତୀୟାରେ ପାରଳା ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ପାରଳାଖେମୁଣ୍ଡି, 20/4 (ତାରିଣୀ ପ୍ରସାଦ ପଣ୍ଡା ):

ଆଜି ପବିତ୍ର ଅକ୍ଷୟ ତୃତୀୟା ଅଟେ. ଏହି ଶୁଭ ଅବସରରେ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ଆଜି ରଥକାଠକୁ ଅନୁକୂଳ କରାଯାଇଛି. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସକାଳେ ଅକ୍ଷୟ ତୃତୀୟା ଅବସରରେ ପୂଜା ପାଠ କରାଯାଇ ରଥକାଠକୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପ -ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ପାରଳା ତହସିଲଦାର ନାରାୟଣ ବେହେରାଙ୍କ ସମେତ ରଥଯାତ୍ରା ପାଳନ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ.
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ପର୍ଶୁରାମ ଜୟନ୍ତୀ ପାଳନ ଅବସରରେ ଉତ୍ସବ ମୁଖରିତ ପାରଳାଖେମୁଣ୍ଡି, 20/4(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର ରାୟଗଡା ବ୍ଲକରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରତନୟା ନଦୀର ଉତ୍ପତ୍ତି ସ୍ଥଳ ମହେନ୍ଦ୍ରଗିରି ପର୍ବତ ଶିଖରରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ପାଳିତ ହୋଇଛି। ତ୍ରେତେୟା ଯୁଗରୁ ଭଗବାନ ପର୍ଶୁରାମ ସେଠାରେ ତପସ୍ୟା କରୁଥିବା ଉଲ୍ଲେଖ ରହିଛି. ବିଗତ ୩୮ ବର୍ଷ ଧରି ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ରଆଶ୍ରମ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଛି। ରବିବାର ପ୍ରତ୍ୟୁଷରୁ ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ବଟ, ପର୍ଶୁରାମ ପୀଠ ଏବଂ କୁନ୍ତୀ ମନ୍ଦିର ଆଦି ତିନୋଟି ସ୍ଥାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।ସ୍ଥାନୀୟ ପୂଜକ ଓ ଶ୍ରଦ୍ଧାଳୁଙ୍କ ଦ୍ବାରା ହୋମ-ଯଜ୍ଞ ଓ ବେଦ ପାଠ କରାଯାଇ ବିଶ୍ୱଶାନ୍ତି କାମନା କରାଯାଇଥିଲା I ଭଗବାନ ପର୍ଶୁରାମଙ୍କ ବିଗ୍ରହକୁ ସୁଗନ୍ଧିତ ପୁଷ୍ପ ଓ ନୂତନ ବସ୍ତ୍ରରେ ସଜ୍ଜିତ କରାଯାଇଥିଲା I କଲିକତାରୁ ସ୍ବାମୀ ସଦାନନ୍ଦ ବ୍ରହ୍ମପୁରରୁ ବ୍ରହ୍ମାନନ୍ଦ, ବାବା ଅଜୟ ଦାସ, ବାବା ଉଦ୍ଧବ ଦାସ, ପ୍ରଫୁଲ ବାବା, ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ପ୍ରଶାନ୍ତ କରଙ୍କ ସମେତ ରୁଷିପୁତ୍ର ଓ ରୁଷିକନ୍ୟା ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସାଧୁ ସନ୍ଥ ଓ ଭକ୍ତ ଯୋଗ ଦେଇଥିଲେ | ମହେନ୍ଦ୍ରଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ସ୍ବାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା ମାମଲାରେ ଦୋଷୀଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି, 20/4(ତାରିଣୀ ପ୍ରସାଦ ପଣ୍ଡା ):

ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ପ୍ରଚେଷ୍ଟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ ତଥା ୧୮ରେ ମୋହନା ଥାନା ଅନ୍ତର୍ଗତ ମୁଡୁମୁଡ଼ିଆ ଗ୍ରାମର ଅଭିଯୁକ୍ତ ପ୍ରଭାତ ଘଡ଼େଇ (୪୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଏହି ସମ୍ବେଦନଶୀଳ ମାମଲାରେ ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।












Leave a Reply