।। ଘଡି ପଥୁଲି ପୂଜା ।।
ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖ ର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡି ପଥୁଲି ପୂଜା ସହ ପରିଚିତ ଥିବେ। ବଡ଼ ମାନଙ୍କ ପାଇଁ ଏହା ଏକ ପୂଜା ହେଇଥିବା ବେଳେ ଛୋଟ ଛୁଆଙ୍କ ପାଇଁ ଏହା ଏକ ମଉଜ ଆଉ ଘଡ଼ି ପଥୁଲି ସହ ଉପହାର ପାଇବାର ଦିନଟିଏ।ସକାଳୁ ମା ମାନେ ଚଉରା ମୂଳରେ ପିଲାଙ୍କ ଶୁଭମନାସୀ ଏହି ପୂଜା କରିଥାନ୍ତି।
ଅକ୍ଷୟ ତୃତୀୟା ର ବହୁ ପୁର୍ବରୁ ମାଟି ର ଏଇ ଘଡ଼ି ପଥୁଲି କିଣି ସେଥିରେ ଚୂନ ଦେଇ ଶୁଖାଇ ତା’ ଉପରେ ସୁନ୍ଦର ଚିତ୍ର ଆଙ୍କି ଦିଅନ୍ତି। ଏଥିରେ ଭୂଜା ଭରିକି ତା’ର ଉପରେ ପିଲାଙ୍କୁ ଭଲଲାଗିଲା ପରି ବିଭିନ୍ନ ସାମଗ୍ରୀ ସବୁ ରଖି ପୂଜା କରନ୍ତି। ଆଗେ ମୁଆଁ, ଖଣ୍ଡ ଘୋଡା, ବିଭିନ୍ନ ପ୍ରକାରର ଫଳ, ମିଠେଇ ଆଦି ରଖୁଥିଲେ। ଏବେ କିନ୍ତୁ ସମୟ ବଦଳିବା ସହ ପିଲାଙ୍କ ର ପସନ୍ଦକୁ ଦୃଷ୍ଟିରେ ରଖି ସେଥିରେ କଲମ, ପେନସିଲ, ଖାତା,ବହି,ରଙ୍ଗ,ସ୍କେଚ ପେନ୍, ଖେଳନା, ଚକୋଲେଟ ମଧ୍ୟ ରଖୁଛନ୍ତି। ଏହା ଭୋଗ ହେଲାପରେ ଛୋଟ ଛୁଆ ଙ୍କ ଭିତରେ ବାଣ୍ଟି ଦିଆଯାଏ। ଛୋଟ ଛୁଆ ମାନେ ମଧ୍ୟ ବ୍ୟାଗ୍ ଧରି ଘର ଘର ବୁଲି ଘଡି ପଥୁଲି ମାଗିବାକୁ ବାହାରି ପଡ଼ନ୍ତି। ରାଜା ଘରେ ବଡ଼ ବଡ଼ ଘଡି ପଥୁଲି ବସେ, ସେଥିରେ ନଡ଼ିଆ ସହ ବଡ଼ ବଡ଼ ଲଡୁ ଆଉ ଟିକିଏ ଦାମୀ ଜିନିଷ ମିଳିଥାଏ। ଯେଉଁ ପିଲା ରାଜା ଘରୁ ଯାଇ ସଂଗ୍ରହ କଲା, ତା’ର ଖୁସି ଆଉ କହିଲେ ନ ସରେ।
ପୁରୀ ର ଏହି ଅନନ୍ୟ ପୂଜା ପାଇଁ ଅଗ୍ରୀମ ଶୁଭେଚ୍ଛା।












Leave a Reply