Spread the love

🌸 *ଗୃହସ୍ଥ ଧର୍ମ ପଞ୍ଚକ* 🌸

ଅଥର୍ବ ବେଦରେ ଗୃହସ୍ଥଙ୍କ ପ୍ରତି ନିର୍ଦେଶ…

*ଓ୩ମ୍‍ ସହୃଦୟଂ ସାଂମନସ୍ୟ ମବିଦ୍ୱେଷଂ କୃଣୋମି ବଃ ।*
*ଅନ୍ୟୋ ଅନ୍ୟମଭି ହର୍ଯତବତ୍ସଂ ଜାତମିବାଘ୍ନ୍ୟା ॥ଅଥର୍ବ ବେଦ, କାଣ୍ଡ ୩-ସୂକ୍ତ୩୦-ମନ୍ତ୍ର୧॥*

ହେ ଗୃହସ୍ଥଗଣ ! ମୁଁ ଯେପରି ଆଦେଶ ଦେଉଛି, ତୁମ୍ଭେମାନେ ସମସ୍ତେ ତଦନୁରୂପ କର୍ମ କର, ତଦ୍ଦ୍ୱାରା ଚିର ସୁଖ-ଶାନ୍ତି ଲାଭ କରିବ । ତୁମ୍ଭମାନଙ୍କୁ ଦ୍ୱେଷରହିତ ସମାନ-ହୃଦୟ ଓ ସମାନ-ମନ ପ୍ରଦାନ କରୁଛି । ସଦ୍ୟ ଉତ୍ପନ୍ନ ଶୀଳା ଧେନୁ ଯେପରି ନିଜ ବାଛୁରୀକୁ ଅନାବିଳ ସ୍ନେହ ପ୍ରଦର୍ଶନ କରେ, ସେହିପରି ତୁମ୍ଭେମାନେ ମଧ୍ୟ ପରସ୍ପର ପ୍ରତି ସ୍ନେହ-ସୌହାର୍ଦ୍ଦ୍ୟଶୀଳ ହୁଅ ।୧ା

*ଓ୩ମ୍‍ ଅନୁବ୍ରତଃ ପିତୁଃ ପୁତ୍ରୋ ମାତ୍ରା ଭବତୁ ସଂମନାଃ ।*
*ଜାୟା ପତ୍ୟେ ମଧୁମତୀଂ ବାଚଂ ବଦତୁ ଶାନ୍ତିବାମ୍‍ ॥ଅଥର୍ବ ବେଦ, କାଣ୍ଡ ୩-ସୂକ୍ତ୩୦-ମନ୍ତ୍ର୨॥*

ପୁତ୍ର ପିତାଙ୍କର ସର୍ବଦା ଆଜ୍ଞାବହ ହେଉ ଓ ଅନୁକୂଳ ଆଚରଣ ପ୍ରଦର୍ଶନ କରୁ । ମାଆଙ୍କ ନିକଟରେ ପ୍ରୀତିଯୁକ୍ତ ଶ୍ରଦ୍ଧାଶୀଳ ହେଉ । ପତ୍ନୀ ତଥା ପତି ସମସ୍ତଙ୍କ ପ୍ରତି ମଧୁର ଭାଷିଣୀ ହୁଅନ୍ତୁ । ସେହିପରି ପତି ମଧ୍ୟ ଶାନ୍ତ ଓ ମଧୁର ଭାଷଣ ପ୍ରଦାନ କରନ୍ତୁ ।୨ା

*ଓ୩ମ୍‍ ମା ଭ୍ରାତା ଭ୍ରାତରଂ ଦ୍ୱିକ୍ଷନ୍ମା ସ୍ୱସାରମୁତ ସ୍ୱସା ।*
*ସମ୍ୟଞ୍ଚଃ ସବ୍ରତା ଭୂତ୍ୱା ବାଚଂ ବଦତ ଭଦ୍ରୟା ॥ଅଥର୍ବ ବେଦ, କାଣ୍ଡ ୩-ସୂକ୍ତ୩୦-ମନ୍ତ୍ର୩॥*

ହେ ଗୃହସ୍ଥଗଣ ! ତୁମ୍ଭମାନଙ୍କ ମଧ୍ୟରେ ଭାଇ ଭାଇ ପ୍ରତି ଓ ଭଉଣୀ ଭଉଣୀ ପ୍ରତି, ତଥା ଭାଇ ଭଉଣୀ ପରସ୍ପର ପ୍ରତି କଦାପି ଦ୍ୱେଷ ଭାବନା ପୋଷଣ ନ କରନ୍ତୁ । ଆପଣା ଆପଣା ମଧ୍ୟରେ ସର୍ବଦା କଲ୍ୟାଣକାରୀ, ପ୍ରୀତିପ୍ରଦ ବାଣୀ ବ୍ୟବହାର କରନ୍ତୁ ।୩ା

*ଓ୩ମ୍‍ ସମାନୀ ପ୍ରପା ସହ ବୋଽନ୍ନଭାଗଃ ସମାନେ ୟୋକ୍‍ତ୍ରେ ସହ ବୋ ୟୁନଜ୍ମି ।*
*ସମ୍ୟଞ୍ଚୋଽଗ୍ନିଂ ସପର୍ଯତାରା ନାଭିମିବାଭିତଃ ॥(ଅଥର୍ବ ବେଦ କାଣ୍ଡ ୩-ସୂକ୍ତ୩୦-ମନ୍ତ୍ର୬ ॥*

ହେ ଗୃହସ୍ଥ ମାନବଗଣ ! ତୁମ୍ଭମାନଙ୍କର ଜଳପାନ, ସ୍ନାନାଦିର ସ୍ଥାନ ଏକପ୍ରକାର ହେଉ । ଖାଦ୍ୟପେୟ ଓ ଯାନବାହନ ସମାନ ଧରଣର ହେଉ । ତୁମ୍ଭେମାନେ ସମସ୍ତେ ସମାନ ସୁଯୋଗ ଲାଭ କର । ଚକର ଅରଗୁଡି଼କ ନାଭି (ତୁମି୍ୱ) ସହିତ ସଂଲଗ୍ନ ଥିବାପରି ତୁମ୍ଭମାନଙ୍କୁ ପାରସ୍ପରିକ କଲ୍ୟାଣ, ସଦ୍‍ଭାବନା ଓ ସମୁନ୍ନତିର ଧର୍ମ କେନ୍ଦ୍ରରେ ଏକାଠି କରି ରଖୁଛି ।୪ା

*ଓ୩ମ୍‍ ସଧ୍ରୀଚୀନାନ୍‍ ବଃ ସଂମନସସ୍କୃଣୋମ୍ୟେକଶ୍ନୁଷ୍ଟୀନ୍ତ୍‍ ସଂବନେନ ସର୍ବାନ୍‍ ।*
*ଦେବା ଇବାମୃତଂ ରକ୍ଷମାଣାଃ ସାୟଂପ୍ରାତଃ ସୌମନସୋ ବୋ ଅସ୍ତୁ ॥ଅଥର୍ବ ବେଦ କାଣ୍ଡ ୩-ସୂକ୍ତ୩୦-ମନ୍ତ୍ର୭॥*

ହେ ଗୃହସ୍ଥାଦି ମନୁଷ୍ୟଗଣ ! ମୁଁ ତୁମ୍ଭମାନଙ୍କୁ ଧର୍ମାଚରଣ ଓ ପରସ୍ପର ପ୍ରେମପୂର୍ବକ ସାହାଯ୍ୟ ସହାନୁଭୂତି ପ୍ରଦର୍ଶନ କରିବାପାଇଁ ନିଯୁକ୍ତ କରୁଅଛି । ପ୍ରାତଃ ଓ ସାୟଂକାଳରେ ସମସ୍ତେ ପ୍ରୀତିପୂର୍ବକ ଏକତ୍ର ସମ୍ମିଳିତ ହୁଅ । ତୁମ୍ଭମାନଙ୍କ ହୃଦୟରେ ଆନନ୍ଦପ୍ରଦାନକାରୀ ଶୁଦ୍ଧ-ପୂତ ଭାବ ଚିରସ୍ଥାୟୀ ହୋଇ ରହୁ ।
🙏🕉️🙏🕉️🙏

Leave a Reply

Your email address will not be published. Required fields are marked *