Spread the love

ବଡ଼ବିଲ ବାଇପାସ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଦର୍ଶନ ସମୀକ୍ଷା ବଡବିଲ
ତା -13/04/2026
କେନ୍ଦୁଝର ଜିଲ୍ଲା ବଡ଼ବିଲ ଲୋକଙ୍କର ବହୁଦିନରୁ ଆଶା ପୂରଣ ହେବାକୁ ଯାଉଛି । ସହରରେ ବହୁଦିନ ଧରି ଅପେକ୍ଷିତ ବଡ଼ବିଲ ବାଇପାସ୍/ରିଙ୍ଗ୍ ରୋଡ୍ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆଜି ବଡ଼ବିଲ ଗସ୍ତରେ ଆସି ଏହାର ଭିତ୍ତିପ୍ରସ୍ତର ରଖିବା ସହିତ ଆହୁରି ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ ମଧ୍ୟ କରିଛନ୍ତି ମୁଖ୍ୟ ମନ୍ତ୍ରୀ। ଏସବୁ ଭିତରେ ରହିଛି – ୨୯ କୋଟି ୪୧ ଲକ୍ଷ ଟଙ୍କାର ମୋଟ ୨୪ଟି ପ୍ରକଳ୍ପ ଏବଂ ୩୨୬ କୋଟି ଟଙ୍କାର ୫୧ଟି ପ୍ରକଳ୍ପ । ଏବଂ
୨୦୯୦.୯୩ କୋଟି ଟଙ୍କା ବ୍ୟୟ ଅଟଳ ବଡ଼ବିଲ ବାଇପାସ୍/ରିଙ୍ଗ୍ ରୋଡ୍ ପ୍ରକଳ୍ପ ।

ଏହି ମହାତ୍ୱାକାଙ୍କ୍ଷୀ ରିଙ୍ଗ୍ ରୋଡ୍ ରୂପାୟନ ହେଲେ ବଡ଼ବିଲ ସହର ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଟ୍ରାଫିକ ଜାମ୍, ପ୍ରଦୂଷଣ ଓ ସଡକ ଦୁର୍ଘଟଣା ଆଦିରେ ହ୍ରାସ ଆସିବ ବୋଲି ଆଶା କରାଯାଉଛି।

ରିଙ୍ଗ୍ ରୋଡ୍, ସର୍ଭିସ୍ ରୋଡ ସହିତ ୪-ଲେନ୍ ବିଶିଷ୍ଟ ନିର୍ମାଣ ହେବ । ଏଥିରେ ଏକ ଫ୍ଲାଏଓଭର ସହ ଆପ୍ରୋଚ୍ ରୋଡ୍ ମଧ୍ୟ ନିର୍ମାଣ ହେବ। ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୨୦୯୦.୯୩ କୋଟି ଟଙ୍କା ରଖାଯାଇଛି, ଯାହାର ନିର୍ମାଣ କାମ ପାଇଁ ୧୫୮୧.୨୧ କୋଟି ଓ ଭୂମି ଅଧିଗ୍ରହଣ ଏବଂ ଜଙ୍ଗଲ ପରିବର୍ତ୍ତନ ପାଇଁ ୫୦୯.୭୨ କୋଟି ଟଙ୍କା ବ୍ୟୟ ହେବ। ପ୍ରକଳ୍ପର ମୋଟ ଲମ୍ବ ୧୮.୩୨୮ କିଲୋମିଟର ଥିବାବେଳେ ଏହା ତିନୋଟି ମୁଖ୍ୟ ଅଂଶରେ ବିଭକ୍ତ । ଭଦ୍ରସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିମି ଏଲିଭେଟେଡ୍ କରିଡର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିମି ପୂର୍ବ ବାଇପାସ୍ ଓ ସେରେଣ୍ଡାରୁ ନାଲଦା ପର୍ଯ୍ୟନ୍ତ ୮.୩୨୮ କିମି ପଶ୍ଚିମ ବାଇପାସ୍ ଅନ୍ତର୍ଭୁକ୍ତ।

ରାସ୍ତାଟି ୪-ଲେନ୍ ବିଭାଜିତ କ୍ୟାରେଜ୍ ୱେ ସହିତ ପେଭଡ୍ ସୋଲ୍ଡର୍ ରହିବା ସହ ନିର୍ମିତ ଅଂଶରେ ଉଭୟ ପାର୍ଶ୍ୱରେ ୨-ଲେନ୍ ସର୍ଭିସ୍ ରୋଡ୍ ବ୍ୟବସ୍ଥା ରହିବ। ପ୍ରକଳ୍ପରେ ୧୪ଟି ବକ୍ସ କଲଭର୍ଟ, ୨ଟି ROB, ୨ଟି ଯାନବାହାନ ଅଣ୍ଡରପାସ୍, ୧ଟି ଏଲିଭେଟେଡ୍ ରୋଟାରୀ, ୬ଟି କ୍ଷୁଦ୍ର ସେତୁ ଓ ୩ଟି ମୁଖ୍ୟ ସେତୁ ନିର୍ମାଣ ହେବ। ଏହା ସହ ୩୦ଟି କ୍ଷୁଦ୍ର ଓ ୨ଟି ମୁଖ୍ୟ ଜଙ୍କସନ୍ ସହ ୩ଟି ଟ୍ରକ୍ ଲେ-ବାଇ ମଧ୍ୟ ପ୍ରସ୍ତାବିତ ହୋଇଛି।

ଏହି ପ୍ରକଳ୍ପ ପାଇଁ ମୋଟ ୨୫୬.୦୬ ଏକର ଜମି ଆବଶ୍ୟକ ଥିବାବେଳେ, ୧୦୩.୬୧୧ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯିବ। ଏହା ସହ ୯୬.୮୭୨ ଏକର ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ପ୍ରକଳ୍ପଟି ୧୫ଟି ଗ୍ରାମ ଓ ୨ଟି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଯିବ।

ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଖଣିଜବାହୀ ଯାନଗୁଡ଼ିକ ସହର ଭିତରକୁ ପ୍ରବେଶ ନ କରି ସିଧାସଳଖ ବାଇପାସ୍ ମାର୍ଗରେ ଚଳାଚଳ କରିପାରିବେ, ଯାହା ଫଳରେ ସହରର ଯାତାୟାତ ବ୍ୟବସ୍ଥା ସୁଚାରୁ ହେବା ସହ ପରିବେଶ ଉପରେ ଚାପ କମିବ। ଏହି ପ୍ରକଳ୍ପକୁ ବଡ଼ବିଲ ଅଞ୍ଚଳର ଆଧୁନିକୀକରଣ ଦିଗରେ ଏକ ମାଇଲଷ୍ଟୋନ୍ ହେବ ବୋଲି କୁହାଯାଉଛି.

“ଡବଲ ଇଞ୍ଜିନ ସରକାରରେ ଡବଲ ଧମାକା ।
ରେଳବାଇ, ଜାତୀୟ ରାଜପଥ ଭଳି ଅନେକ ବଡବଡ ପ୍ରକଳ୍ପ ଓଡ଼ିଶାରେ ହେଉଛି ।
ଉଡାନ୍ ମାଧ୍ୟମରେ ବଡ଼ବିଲ ଟଣ୍ଟୋ ଏୟାର ଷ୍ଟ୍ରିପକୁ ସାମିଲ କରାଯିବ । ବଡ଼ବିଲ ସହ ଯୋଡ଼ା ବାଂଶପାଣିକୁ ରେଳପଥ ସଂଯୋଗ ହେବ । ୧୨ ବର୍ଷ ହେବ ବନ୍ଦ ପଡିଥିବା ଇଡକଲ କଳିଙ୍ଗ ଆଇରନ କାରଖାନାକୁ ଭଲ ଫ୍ୟାକ୍ଟ୍ରି ମାଲିକଙ୍କୁ ଦିଆଯିବ, ଯିଏ ୧୦ ହଜାର କୋଟିରୁ ଅଧିକ ନିବେଶ କରିବ ଏବଂ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ ସେହିଭଳି ଲୋକଙ୍କୁ ଏହି କାରଖାନା ଦିଆଯିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବଡ଼ବିଲବାସୀ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *