ସିଜିମାଳି ରେ ବେଆଇନ ବକ୍ସାଇଟ୍ ଖଣି ପ୍ରକଳ୍ପ ସମ୍ପୂର୍ଣ୍ଣ ବାତିଲ କରାଯାଉ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ। ଚାରି ବାମପନ୍ଥୀ ଦଳର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

Spread the love

🔴ସିଜିମାଳି ଘଟଣା:ଆଦିବାସୀଙ୍କୁ ନିର୍ମମ ଦମନ,
ବେଆଇନ ଖଣି ଖନନ ଏବଂ ଅମାନବୀୟ ବିସ୍ଥାପନ ବିରୋଧରେ ଚାରି ବାମପନ୍ଥୀ ଦଳର ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

ଭୁବନେଶ୍ୱର,ତାରିଖ:୧୩ ଏପ୍ରିଲ ୨୦୨୬

🔴ଚାରି ବାମପନ୍ଥୀ ଦଳ — ସିପିଆଇ,ସିପିଆଇ(ଏମ୍),ସିପିଆଇ(ଏମ୍‌ଏଲ୍)-ଲିବେରେସନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ — ର ଏକ ୮ ଜଣିଆ ପ୍ରତିନିଧି ଦଳ ଆଜି ମାନନୀୟ ରାଜ୍ୟପାଳ ମହୋଦୟଙ୍କୁ ସାକ୍ଷାତ କରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ସୁଙ୍ଗେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ଆଦିବାସୀଙ୍କ ଉପରେ ହୋଇଥିବା ନିର୍ମମ ପୁଲିସ୍ ଦମନ,ବେଦାନ୍ତ କମ୍ପାନୀର ସିଜିମାଳି ପାହାଡ ରେ ବେଆଇନ ବକ୍ସାଇଟ୍ ଖଣି ଖନନ ପ୍ରକଳ୍ପ ଏବଂ ଅମାନବୀୟ ବିସ୍ଥାପନ ବିରୋଧରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Oplus_131072

🔴ଏହି ପ୍ରତିନିଧି ଦଳରେ ସି.ପି.ଆଇ. ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ସି.ପି.ଆଇ(ଏମ୍),ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ସି.ପି.ଆଇ (ଏମ୍‌ଏଲ୍)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ସି. ପି. ଆଇ.ର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,ସି.ପି.ଆଇ(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ,ବଦ୍ରୀ ନାରାୟଣ ଦାଶ,ସି.ପି.ଆଇ.(ଏମ୍‌ଏଲ୍)-ଲିବେରେସନ,ରାଜ୍ୟ ନେତା ମହେନ୍ଦ୍ର ପରିଡା ଓ ଫରୱାର୍ଡ ବ୍ଲକ ର ରାଜ୍ୟ ନେତ୍ରୀ ଲକ୍ଷ୍ମୀ ଦୋରା ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯାଇଥିଲେ।

🔴ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ପଞ୍ଚମ ଅନୁସୂଚୀ ପଞ୍ଚାୟତ ସମ୍ପ୍ରସାରଣ କ୍ଷେତ୍ର ଆଇନ(PESA)-
୧୯୯୬,ଜଙ୍ଗଲ ଅଧିକାର ଆଇନ(FRA)-୨୦୦୬ ଆଇନ କୁ ଉଲ୍ଲଂଘନ କରି ବେଦାନ୍ତ କମ୍ପାନୀର ଖଣି ପ୍ରକଳ୍ପ ପାଇଁ କାମ ଜାରି ରହିଛି। ଗ୍ରାମସଭା ସମ୍ମତି ବିନା ରାସ୍ତା ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଛି। ପରିବେଶ ମଞ୍ଜୁରୀ, ରୋଡ କ୍ଲିୟରାନ୍ସ ଏବଂ ଜଙ୍ଗଲ ଅଧିକାର କ୍ଲିୟରାନ୍ସ ସମ୍ପୂର୍ଣ୍ଣ ଭାବେ ଅନୁମତି ମିଳି ନାହିଁ।

🔴ଏପ୍ରିଲ ୭ ତାରିଖରେ ବଡି ଭୋରରୁ କଣ୍ଟାମାଳ ଗ୍ରାମରେ ପୁଲିସ୍ ଲାଠିଚାର୍ଜ,ଲୁହବୁହା ଗ୍ୟାସ୍ ଓ ବିଦ୍ୟୁତ୍ ବିଚ୍ଛିନ୍ନ କରି ଲୋକଙ୍କୁ ବର୍ବର ଭାବେ ଆକ୍ରମଣ କରାଯାଇଛି ।ବହୁ ଆଦିବାସୀ ଆହତ ହୋଇଛନ୍ତି ଓ ଏକ ଗାଈର ମୃତ୍ୟୁ ହୋଇଛି। ମିଥ୍ୟା ମାମଲାରେ ଆନ୍ଦୋଳନକାରୀ ମାନଙ୍କୁ ଜେଲ୍ ପଠାଯାଇଛି।

🔴ମୁଖ୍ୟ ଦାବି :
୧. ପୁଲିସ୍ ଦମନ, ଡ୍ରୋନ୍ ସର୍ଭେଲାନ୍ସ ଓ ଭାରତୀୟ ନ୍ୟାୟ ସଂହିତା ର ଧାରା-୧୬୩ ନିଷେଧାଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ।

୨.ସିଜିମାଳି ରେ ବେଆଇନ ବକ୍ସାଇଟ୍ ଖଣି ପ୍ରକଳ୍ପ ସମ୍ପୂର୍ଣ୍ଣ ବାତିଲ କରାଯାଉ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ।

୩.ଏପ୍ରିଲ ୭ କଣ୍ଟାମାଳ ଘଟଣାର ଉଚ୍ଚ ସ୍ତରୀୟ, ନିରପେକ୍ଷ ତଦନ୍ତ କରାଯାଉ ଓ ଆହତଙ୍କୁ ଉନ୍ନତ ଚିକିତ୍ସା ଓ କ୍ଷତିପୂରଣ ଦିଆଯାଉ।

୪. ଆନ୍ଦୋଳନକାରୀଙ୍କ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର ଓ ଜେଲରୁ ନିଃସର୍ତ୍ତ ମୁକ୍ତି ଦିଆଯାଉ।

୫.ପଞ୍ଚମ ଅନୁସୂଚୀ ଅଞ୍ଚଳରେ ପଞ୍ଚମ ଅନୁସୂଚୀ ପଞ୍ଚାୟତ ସମ୍ପ୍ରସାରଣ କ୍ଷେତ୍ର ଆଇନ (PESA)-୧୯୯୬ ଓ ଜଙ୍ଗଲ ଅଧିକାର ଆଇନ( FRA)-୨୦୦୬,ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନର୍ବାସ ଆଇନ (LARR)-୨୦୧୩ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ଓ ଜାଲିଆତି ଗ୍ରାମସଭାକୁ ବାତିଲ କରାଯାଉ ଏବଂ ନିରପେକ୍ଷ ଗ୍ରାମସଭା ଆୟୋଜନ କରାଯାଉ।

୬.ପଞ୍ଚମ ଅନୁସୂଚୀ ଅନୁଯାୟୀ ଆଦିବାସୀଙ୍କ ଜଳ-ଜମି-ଜଙ୍ଗଲ-ଜୀବିକା ଓ ସାଂସ୍କୃତିକ ଅଧିକାର ସୁରକ୍ଷିତ କରାଯାଉ।

🔴ବାମପନ୍ଥୀ ପ୍ରତିନିଧି ଦଳ ମାନନୀୟ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ଯେ ସାମ୍ବିଧାନିକ ଦାୟିତ୍ୱ ପାଳନ କରି ତୁରନ୍ତ ହସ୍ତକ୍ଷେପ କରନ୍ତୁ ଓ ଆଦିବାସୀଙ୍କ ଅଧିକାର ରକ୍ଷା କରନ୍ତୁ। ରାଜ୍ୟପାଳ ମହୋଦୟ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ଡଃ ପ୍ରଶାନ୍ତ କୁମାର ମିଶ୍ର
ରାଜ୍ୟ ସମ୍ପାଦକ
ସିପିଆଇ

ସୁରେଶ ଚନ୍ଦ୍ର ପାଣିଗ୍ରାହୀ,
ରାଜ୍ୟ ସମ୍ପାଦକ,
ସି ପି ଆଇ (ଏମ୍)

ରାଜ୍ୟ ସମ୍ପାଦକ
ଯୁଧିଷ୍ଟିର ମହାପାତ୍ର
ରାଜ୍ୟ ସମ୍ପାଦକ
ସିପିଆଇ(ଏମ୍ଏଲ୍) ଲିବେରେସନ

ଜ୍ଯୋତି ରଞ୍ଜନ ମହାପାତ୍ର
ରାଜ୍ୟ ସମ୍ପାଦକ
ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ଵ୍ଲକ

Leave a Reply

Your email address will not be published. Required fields are marked *